କାକଟପୁର ର ମାମଙ୍ଗଳା ଙ୍କ ମନ୍ଦିର

ନିମାପଡ଼ା, (ସନ୍ତୋଷ ଦାଶ) :-ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ପୁରୀ ଜିଲ୍ଲା କାକଟପୁର ସ୍ଥିତ ମା ମଙ୍ଗଳା ଙ୍କ ମନ୍ଦିର ର ରହିଛି ନିବିଡ ସଂପର୍କ । ନବକଳେବର ସମୟରେ ଦଇତା ପତି ସେବକ ଓ ବନଯାଗ ଯାତ୍ରୀ ମାନେ କାକଟପୁର ଆସି ମା ମଙ୍ଗଳା ଙ୍କ ନିକଟରେ ଅଧିଆ ପଡ଼ି ମା ଙ୍କୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ମହାଦାରୁ ଗୁଡ଼ିକ ର ଠିକଣା ଜଣାଇଦେବାକୁ ପ୍ରାର୍ଥନା କରିଥାନ୍ତି । ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଦାରୁ ର ଠିକଣା ବତାଇଦେଉଥିବାକାକଟପୁର ର ପ୍ରସିଦ୍ଧ ମା ମଙ୍ଗଳା ଙ୍କ ମନ୍ଦିର ଟି ପୂଣ୍ୟତୋୟା ପ୍ରାଚୀ ନଦୀ କୂଳ ରେ ଅବସ୍ଥିତ । ମା ମଙ୍ଗଳା ରାଜ୍ୟ ର ଅଷ୍ଟ ଚଣ୍ଡୀ ଙ୍କ ମଧ୍ୟରେ ଅନ୍ୟତମ । ଏଣୁ ଏହି ପୀଠ ଟି ଓଡ଼ିଶା ର ପ୍ରମୁଖ ଦେବୀ ପୀଠ ମଧ୍ୟରେ ଅନ୍ୟତମ । ମା ପରମ ବୈଷ୍ଣବୀ ଅଟନ୍ତି । ବାମନ ପୁରାଣ, ପଦ୍ମ ପୁରାଣ, ଲିଙ୍ଗ ପୁରାଣ, ସ୍କନ୍ଦ ପୁରାଣ ରେ ମା ଙ୍କ ବିଷୟରେ ବର୍ଣ୍ଣନା ହୋଇଛି । କିମ୍ବଦନ୍ତୀ ଅନୁସାରେ, ମା ମଙ୍ଗଳା ଥିଲେ ଶ୍ରୀ ଲଙ୍କା ଅଧିପତି ଲଙ୍କେଶ୍ଵର ରାବଣ ର ଇଷ୍ଟ ଦେବୀ । ଦଧିବାମନ ସାହୁ ନାମକ ବଣିକ ମା ଙ୍କ ପ୍ରତିମା କୁ ନିଜ ବୋଇତ ରେ ଆଣି ସମୁଦ୍ର ରୁ ପ୍ରାଚୀ ନଦୀ ଦେଇ ନିଜ ଗ୍ରାମ କୁ ଫେରୁ ଥିବା ବେଳେ ସ୍ୱପ୍ନାଦେଶ ପାଇ ମଙ୍ଗଳପୁର ଠାରେ ରଖି ଚାଲି ଯାଇଥିଲା। ସ୍ଥାନୀୟ ଲୋକମାନେ ମା ଙ୍କୁ ପୂଜାଚର୍ନା କରି ଚାଲିଥିବା ବେଳେ ପୁରୀ ଗଜପତି ଚତୁର୍ଦ୍ଧାମୂର୍ତ୍ତି ଙ୍କ ନବକଳେବର ପାଇଁ ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ କ୍ରମେ ମା ଙ୍କ ଶରଣ ପଶି ଦାରୁସବୁର ଠିକଣା ପାଇଥିଲେ । ସେହିଦିନ ଠାରୁ ଜଗନ୍ନାଥ ସଂସ୍କୃତି ସହିତ ମା ମଙ୍ଗଳା ଙ୍କ ସମ୍ପର୍କ ଯୋଡି ହୋଇ ଯାଇଛି। ଗୋଟିଏ ବର୍ଷ ନବକଳେବର ବନଯାଗ ଯାତ୍ରା ଆରମ୍ଭ ପରେ ଜାଣିବାକୁ ମିଳିଲା ମଙ୍ଗଳପୁର ର ଦେଉଳି ମଠ ଠାରେ ଯେଉଁଠି ମା ମଙ୍ଗଳା ପୂଜା ପାଉଥିଲେ ସେଠାରେ ନାହାନ୍ତି। ସେହି ବର୍ଷ ପ୍ରବଳ ବର୍ଷା ଓ ବନ୍ୟା ହୋଇଥିଲା । ମା ଙ୍କୁ କେହି ଚୋରାଇ ନେଇଛି ଅଥବା ମା ଙ୍କ ମୂର୍ତ୍ତି ବନ୍ୟା ରେ ଭାସିଯାଇଛି ଜଣାପଡ଼ିଲା ନାହିଁ । ମା ମଙ୍ଗଳା ତାଙ୍କ ପୂଜା ପାଉଥିବା ସ୍ଥାନ ରେ ନଥିବା ଜାଣି ଗଜପତି ଚିନ୍ତା ରେ ପଡ଼ିଲେ। ମହାପ୍ରଭୂ ଙ୍କ ନବକଳେବର ବନଯାଗ ଯାତ୍ରା ଅନୁଷ୍ଠିତ ହେବ କେମିତି ? ମା ମଙ୍ଗଳା ଙ୍କୁ ଠାବ କରିବାକୁ ସେ ପୁରୀ ର ପ୍ରସିଦ୍ଧ ଦୁଇ ତାନ୍ତ୍ରିକ ଭାଇ ହଟ ଦିକ୍ଷୀତ ଓ ବଟ ଦିକ୍ଷୀତ ଙ୍କୁ କାକଟପୁର ପଠାଇଥିଲେ । ସେହି ତାନ୍ତ୍ରିକ ଦୁଇ ଭାଇ କାକଟପୁର ଦେଉଳି ମଠ ଠାରେ ପହଞ୍ଚି ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମା ଙ୍କୁ ଠାବ କରିବାକୁ ଶୁଦ୍ଧ ପୁତ୍ତ ଭାବେ ଆରମ୍ଭ କରିଥିଲେ ଯଜ୍ଞ । ଦିନ ପରେ ଦିନ ଗଡି ଚାଲିଲା, କିନ୍ତୁ ମା ଙ୍କ ଠିକଣା ମିଲିଲାନାହିଁ । ନିଜ କାର୍ଯ୍ଯ ରେ ବିଫଳ ହୋଇ ତାନ୍ତ୍ରିକ ଦୁଇ ଭାଇ ଚୈତ୍ର ମାସ ର ପଞ୍ଚମ ମଙ୍ଗଳବାର ଦିନ ଉକ୍ତ ଅଗ୍ନୀପୂର୍ଣ୍ଣ ଯଜ୍ଞକୁଣ୍ଡ ରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିବାରେ ଶୂନ୍ୟବାଣୀ ହୋଇଥିଲା I ମୁଁ ତୁମ ଦୁଇ ଭାଇ ଙ୍କ ପୂଜା, ଯଜ୍ଞରେ ସନ୍ତୁଷ୍ଟ । ତୁମେ ମନ୍ଦାର ଫୁଲ ର ମାଳ ଟେ ପୁଣ୍ୟତୋୟା ପ୍ରାଚୀ ନଦୀ ଜଳ ରେ ଭସାଇ ଦିଅ । ମାଳ ଟି ସ୍ରୋତ ରେ ଭାସିଯାଇ ଯେଉଁଠି ଅଟକିବ ତୁମେ ବୁଡ଼ ପକାଇବ, ମୋ ମୂର୍ତ୍ତି ସେଇଠାରେ ଅଛି, ଉଦ୍ଧାର କରି ଆଣି ମତେ ପୁନର୍ବାର ସ୍ଥାପନା କରି ପୂଜାର୍ଚ୍ଚନା କରିବ । ମନ ଖୁସି ରେ ଦିକ୍ଷୀତ ଦୁଇ ଭାଇ ସେହିପରି କରି ମା ଙ୍କ ଦିବ୍ୟ ବିଗ୍ରହ କୁ ପ୍ରାଚୀ ନଦୀ ଗର୍ଭ ରୁ ଉଦ୍ଧାର କରି ଦେଉଳି ମଠ ଠାରେ ସ୍ଥାପନା କରାଇଥିଲେ । ନବକଳେବର ବନଯାଗ ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିଲା । ଗଜପତି ମା ଙ୍କ ଉଦ୍ଧାର କଥା ଜାଣି ସେହି ଦୁଇ ତାନ୍ତ୍ରିକ ଦିକ୍ଷୀତ ଭାଇ ଙ୍କୁ ମା ଙ୍କ ପୂଜାର୍ଚ୍ଚନା ର ଦାୟିତ୍ୱ ନ୍ୟସ୍ତ କଲେ ଓ ଯଥେଷ୍ଟ ଜମି ବାଡ଼ି ଖଞ୍ଜା I କରି ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳ କୁ ଶାସନ କରୁଥିବା ଭୋଦର ଗ୍ରାମ ର ରାୟ ଚୂଡାମଣି ଜମିଦାର ମା ଙ୍କ ମୂର୍ତ୍ତି କୁ ଏବର ପୂଜା ପାଉଥିବା ସ୍ଥାନ କୁ ଆଣି ମନ୍ଦିର ତୋଳାଇ ଦେଇଥିଲେ । ମା ଙ୍କ ମହିମା ଅପାର। ଯାହାକୁ ନେଇ ସାରା ରାଜ୍ୟ ରେ ପ୍ରଚଳିତ ଖୁଦୁରୁକୁଣୀ ପୂଜା। ମା ଥିଲେ ପ୍ରତେକ ସୌଦାଗର,ବଣିକ ମାନଙ୍କ ଇଷ୍ଟ ଦେବୀ । ମା ଙ୍କୁ ନେଇ ଚୈତ୍ର ମାସ ରେ ପ୍ରଚଳିତ ହୋଇଥିଲା ପନ୍ଥେଇ ପୂଜା । ପ୍ରତିଦିନ ପ୍ରାତଃ ୪ଟା ରେ ମନ୍ଦିର ପହୁଡ଼ ଫିଟା ଯାଇ ମା ଙ୍କ ସ୍ନାନ ମାର୍ଜଣା , ପାଶ୍ଵ ଦେବଦେବୀ ଙ୍କ ସ୍ନାନ, ସୂର୍ଯ୍ୟପୂଜା ପରେ ବଲ୍ଲଭ ଧୂପ, ଦିନ ୧୦ଟା ରେ ସକାଳ ଅନ୍ନଧୂପ, ମଧ୍ୟାର୍ଣ ୧୨ଟା ରେଦ୍ଵିପ୍ରହର ଅନ୍ନ ଧୂପ, ଓ ଭଅଣ୍ଡ ଧୂପ, ସଂଧ୍ୟା ରେ ଆଳତୀ, ରାତିରେ ଅନ୍ନ ଧୂପ ସହିତ ବଡ ସିଂହାର ବେଶ, ଧୂପ ପରେ ମନ୍ଦିର ପହୁଡ଼ ପଡିଥାଏ । ମନ୍ଦିର କୁ ବର୍ଷ ସାରା ମାତୃଭକ୍ତ ଙ୍କ ସୁଅ ଛୁଟିଥାଏ। ନିଜ ସ୍ବାମୀ, ପରିବାର, ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ସମସ୍ତେ ମା ଙ୍କୁ ଦର୍ଶନ ଓ ପୂଜାଚନା କରିଥାନ୍ତି । ଶ୍ରୀ ମନ୍ଦିର ପରି ଏଠି ୧୨ମାସ ରେ ୧୩ପର୍ବ, ପର୍ବାଣୀ ପାଳିତ ହୋଇଥାଏ । ତେବେ ଦଶହରା ସମୟରେ ୧୬ଦିନ ବ୍ୟାପି ଶାରଦୀୟ ପାର୍ବଣ ପୂଜା ଓ ଚୈତ୍ର ମାସ ରେ ଏକ ମାସ ବ୍ୟାପି ଝାମୁ ଯାତ୍ରା ମା ଙ୍କ ପ୍ରସିଦ୍ଧ ଓ ଅନନ୍ୟ ଯାତ୍ରା ଅଟେ। ଏହି ସମୟରେ ଏଠାରେ ବହୁ ଭକ୍ତ ଙ୍କ ସମାଗମ ହୋଇଥାଏ । ଦଶହରା ପାର୍ବଣ ପୂଜା ସମୟରେ ମା ଙ୍କୁ ରଘୁନାଥ ବେଶ, ତୀର କମାଣ ବେଶ, କାତାୟାନୀ ବେଶ, ସିଂହ ବାହିନୀ ବେଶ, ମହିଷାମର୍ଦ୍ଧିନୀ ବେଶ ରେ ସଜ୍ଜିତ କରାଯାଉଥିବା ବେଳେ ସ୍ନାନ ପୂର୍ଣ୍ଣିମା ଦିନ ମା ଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ ହୋଇଥାଏ । ସାରା ରାଜ୍ୟ ରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏକ ମାତ୍ର ମା ମଙ୍ଗଳା ଙ୍କ ମନ୍ଦିର ରେ ଚୈତ୍ର ପଞ୍ଚମ/ବୈଶାଖ ପ୍ରଥମ ମଙ୍ଗଳବାର ଦିନ ଝାମୁ ଯାତ୍ରା ଅନଷ୍ଠିତ ହୋଇଥାଏ । ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମନ୍ଦିର ରେ ନେତୋତ୍ସବ ଅନୁଷ୍ଠିତ ହୋଇଥାଏ । ତୃତୀୟ ମଙ୍ଗଳବାର ଠାରୁ ପଞ୍ଚମ ମଙ୍ଗଳବାର ପ୍ରତି ରାତିରେ ମନ୍ଦିର ରେ କାଳିକା ନୃତ୍ୟ ଅନୁଷ୍ଠିତ ହେଉ ଥିବାବେଳେ ପ୍ରତି ମଙ୍ଗଳବାର ମଧ୍ୟାହ୍ନ ରେ ଘଣ୍ଟ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ରାତି ରେ ଶ୍ରୀ ମନ୍ଦିର ପରି ମା ଙ୍କ ବଡ଼ ସିଂହାର ଧୂପ ପୂର୍ବରୁ ଗୀତ ଗୋବିନ୍ଦ ଗାନ କରାଯାଏ । ମା ଙ୍କ ମନ୍ଦିର ର ପୂଜା ନୀତି ପାଇଁ ଶ୍ରୀ ମନ୍ଦିର ପରି ବିଭିନ୍ନ ନିଯୋଗ ର ବ୍ୟବସ୍ଥା ରହିଥିବାରୁ ମା ଙ୍କ ଦୈନନ୍ଦିନ ପୂଜା ନୀତି ଓ ବିଭିନ୍ନ ପର୍ବ ପର୍ବାଣୀ ସୁରୁଖୁରରେ ଅନୁଷ୍ଠିତ ହୋଇଯାଇଥାଏ । ପୁରୀ ଶ୍ରୀ ମନ୍ଦିର ପରି ଏଠି ମା ଙ୍କ ମନ୍ଦିର ରେ ବି ୪ଦ୍ଵାର ରହିଛି। ପ୍ରତିଦିନ ରାତି ରେ ମା ମଙ୍ଗଳା ଶ୍ରୀ କ୍ଷେତ୍ର ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆସୁଥିବା ଲୋକ ବିଶ୍ୱାସ ରହିଛି।ସଡ଼କ ପଥରେ କାକଟପୁର କୁ ଭୁବନେଶ୍ଵର (୬୦ କିମି ), କଟକ (୭୦କିମି), ପୁରୀ (୬୦କିମି) ଠାରୁ ବସ, କାର, ଅଟୋ ଯୋଗେ ସବୁସମୟ ରେ ଯାଇହେବ। କାକଟପୁର ଆସୁଥିବା ପର୍ଯ୍ୟଟକ , ଯାତ୍ରୀ ମାନେ ନିକଟସ୍ଥ ଦେଉଳି ମଠ ଯାହାକି ଶ୍ରୀ ଜଗନ୍ନାଥ ଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ସେଠାକୁ ଯାଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ