କାଗଜପତ୍ରରେ ଓ ମିଲରଙ୍କ ମନମାନୀରେ କିଣା ହେଉଛି ଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗାଣ ମନ୍ତ୍ରୀ ଥିବାବେଳେ କଟନି ଛଟନି ହେଲେ ମିଲର ବନ୍ଧାହେବେ ବୋଲି ବିବୃତ୍ତି ଦେଇଥିଲେ । ଏବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେହି ବିବୃତ୍ତିର ପୁନରାବୃତ୍ତି କରିଛନ୍ତି । ହେଲେ କଟନି ଛଟନି କରୁଥିବା ମିଲର ବନ୍ଧାହେବା ପରିବର୍ତ୍ତେ ଏବେ ଚାଷୀଙ୍କୁ ଲୁଟ୍ କରିବାରେ ବ୍ୟସ୍ତ । ମନ୍ତ୍ରୀ ବିବୃତ୍ତି ଦେଇସାରି ପୁରା ନୀରବ । ଅନ୍ୟପଟରେ ସର୍ବନିମ୍ନ ଯେଉଁ ନିୟମ ଧାନକିଣା ବେଳେ ମଣ୍ଡିରେ ରହିବା କଥା, ସେ କଥା ହେଉନାହିଁ । ନିୟମ ଅନୁଯାୟୀ ଗୋଟିଏ ବ୍ଲକରେ ଜଣେ ଓ.ଏ.ଏସ୍ ଅଫିସର, ବିଡ଼ିଓ କିମ୍ବା ତହସିଲଦାର ମଣ୍ଡିରେ ନୋଡ଼ାଲ ଅଫିସର ରହିବା କଥା । ସେମାନେ ନିୟମିତ ମଣ୍ଡି ପରିଦର୍ଶନ ଯାଇ ଚାଷୀଙ୍କ ଭଲମନ୍ଦ ଓ ଧାନ ଉଠାଣ ସମସ୍ୟା ବୁଝିବା କଥା । ମାତ୍ର ବର୍ଷ ବର୍ଷ ଧରି ଏହି ନର୍ମ ଅଫିସରମାନେ ପାଳୁନାହାଁନ୍ତି । ଫଳରେ ମିଲରଙ୍କ ମର୍ଜିରେ ଧାନକିଣା ଚାଲିଛି । ଚାଷୀମାନେ ଟୋକନ ପାଇ ମଣ୍ଡିକୁ ଧାନ ଆଣିବା ପରେ ମିଲରମାନେ ତାଙ୍କ ସୁପର ଭାଇଜରଙ୍କୁ ପଠାଉ ନାହାଁନ୍ତି କିମ୍ବା ଟ୍ରକ ମିଳୁନାହିଁ ବୋଲି ବାହାନା କରି ଧାନ ଉଠାଣରେ ବିଳମ୍ବ କରୁଛନ୍ତି । ଏଭଳି କୃତ୍ରିମ ବାହାନାର ଉଦ୍ଦେଶ୍ୟ ହେଉଛି ଯେ, ଚାଷୀମାନେ ମଣ୍ଡିରେ ଧାନ ଜଗିରହିଲେ ସେମାନେ ବାଧ୍ୟ ହୋଇ କୁଇଣ୍ଟାଲ ପିଛା ୪ରୁ ୫କିଲୋ କାଟ ଦେବାରେ ପ୍ରତିବାଦ କରିବେ ନାହିଁ । ସେହିଭଳି ସ୍ଥାନୀୟ ସମବାୟ ସମ୍ପାଦକମାନେ ସେମାନଙ୍କ ସହ ପୂର୍ବରୁ ଅସାଧୁ ଗଠବନ୍ଧନରେ ଥିବାରୁ ସେମାନେ ବ୍ୟବସାୟୀଙ୍କ ଧାନ ପ୍ରଥମେ ବିକ୍ରି କରିବାର ବ୍ୟବସ୍ଥା କରିଦେଉଛନ୍ତି । ନୟାଗଡ଼, ବରଗଡ଼, ବଲାଙ୍ଗୀର ଯୁଆଡ଼େ ଦେଖିବେ ଚାଷୀର ଅବ୍ୟବସ୍ଥା । ନୂଆପଡ଼ା ଭଳି ଜିଲ୍ଲାରେ ଚାଷୀର ଅବସ୍ଥା ବେହାଲ । ପଞ୍ଚାୟତର ସମ୍ପାଦକମାନେ ଏଭଳି କୌଶଳ କରିଛନ୍ତି ଯେ ଯେଉଁମାନଙ୍କର ଧାନ ଚାଷ ହୋଇନାହିଁ, ଜମି ପଡ଼ିଆ ଅବା ଆଖୁଚାଷ ହୋଇଛି, ସେମାନଙ୍କର ବିକ୍ରି ତାଲିକା ଆଗେ । ନିରୋଳା ଚାଷୀର ଟୋକନ ଆସିପାରୁ ନାହିଁ । ଏହି ବ୍ୟବସ୍ଥା ସରଞ୍ଚନା କରିଥିବା ପେକ୍ସ ସମ୍ପାଦକମାନେ ଟ୍ରକ ଟ୍ରକ ଧାନ ବେପାରୀଙ୍କର ମିଲରଙ୍କୁ ବିକ୍ରି କରୁଛନ୍ତି । ବେପାରୀମାନେ ବେଆଇନ ଭାବେ ଧାନ ବିକୁଥିବାରୁ ସେମାନେ କଟନି ଛଟନିର ପ୍ରତିବାଦ କରୁନାହାଁନ୍ତି । କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ବି ଧାନ ୪କେଜି କଟାଯାଉଛି । ଗଜପତି ଜିଲ୍ଲାରେ ଏଭଳି ମିଲର ଅଛନ୍ତି ଯେ, ଯେଉଁମାନଙ୍କର ଧାନ ରଖିବାକୁ ଜାଗା ନାହିଁ । କିନ୍ତୁ ସେମାନଙ୍କୁ କିଣିବା ପାଇଁ ଅଧିକା ଟାର୍ଗେଟ ଦିଆଯାଉଛି । ଚଳିତବର୍ଷ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ କାଟ ହେଲେ ମିଲର ବନ୍ଧା ହେବେ ବୋଲି ଯେଉଁ ବୟାନ ଦେଇଥିଲେ ତାହା ଗରମ ପାଣିରେ ଘରପୋଡ଼ି ସଦୃଶ ହୋଇଛି । ଚାଷୀଙ୍କ ଧାନ ଲୁଟେରା ମିଲରମାନେ ମନ୍ତ୍ରୀଙ୍କ ବିବୃତ୍ତିକୁ ବାଏଁ ବାଏଁ ଉଡ଼େଇ ଦେଉଛନ୍ତି । ତୁରନ୍ତ ସଚିବାଳୟରେ ସରକାର ଏ ନେଇ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅନ୍ୟମାନଙ୍କ ସହ ପରାମର୍ଶ କରି ବୈଠକ ଡ଼ାକିବାକୁ ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ