କାଗଜ କଲମରେ ଚାଲିଛି ଗଂଗଦାହାଟ ଆୟୁର୍ବେଦିକ ଚିକିତ୍ସାଳୟ ଡାକ୍ତରଙ୍କ ଦେଖା ନାହିଁ,ରୋଗୀ ହନ୍ତସନ୍ତ

ନାଉଗାଁ,(ଯୁଗାବ୍ଦ ନୁୃ୍ୟଜ): ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ ଖୋଲାଯାଇଛି । ମାତ୍ର ଏହି ଚିକିତ୍ସାଳୟର କେଉଁଠି ଘର ନାହିଁ ତ ଆଉ କେଉଁଠି ଡାକ୍ତର ଆସୁ ନାହାନ୍ତି । ଲକ୍ଷାଧିକ ଟଙ୍କା ବ୍ୟୟ ହୋଇ ଔଷଧ ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ନଷ୍ଟ ହେଉଛି । ଫଳରେ ରୋଗୀମାନେ ଚିକିତ୍ସା ସେବା ଓ ମାଗଣା ଔଷଧ ପାଇବାରୁ ବଂଚିତ ହେଉଛନ୍ତି । ନାଉଗାଁ ବ୍ଳକ ଡେରିକି ପଂଚାୟତର ଗଂଗଦାହାଟରେ ଥିବା ଯାତ୍ରୀ ବିଶ୍ରାମଗୃହରେ ୧୯୮୦ ମସିହାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲାଯାଇଥିଲା । ଏହି ଚିକିତ୍ସାଳୟ ଦ୍ୱାରା ଡେରିକି, କୋରୁଅ, ଓଷକଣା, ତିରୁଣା, ଡାବର ଆଦି ପଂଚାୟତ ସମେତ ପୁରୀ ଜିଲ୍ଲାର ଭଣ୍ଡିସାହି, ମୁତୁଣିଆ ଆଦି ଗ୍ରାମର ଜନସାଧାରଣମାନେ ଉପକୃତ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ଚିକିତ୍ସାଳୟରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଶ୍ରୀକାନ୍ତ ନନ୍ଦଙ୍କର ଅକାଳ ବିୟୋଗ ହୋଇଥିଲା । ଏହାପରେ ଜଣେ ମହିଳା ଡାକ୍ତରଙ୍କୁ ଉକ୍ତ ଚିକିତ୍ସାଳୟରେ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି । କିନ୍ତୁ ସେ କେତେବେଳେ ଆସୁଛନ୍ତି ଓ କେତେବେଳେ ଯାଉଛନ୍ତି କେହି ଜାଣିନାହାନ୍ତି । ଅନ୍ୟ କର୍ମଚାରୀମାନେ ଅଳ୍ପ ସମୟ ପାଇଁ ଚିକିତ୍ସାଳୟ ଖୋଲି ବନ୍ଦ କରି ଦେଉଥିବା ଦେଖିବାକୁ ମିଳୁଛି । ଚିକିତ୍ସାଳୟ ଖୋଲା ଯାଉ ନଥିବାରୁ ଏହାର ଚତୁଃପାଶ୍ୱରେ ଅଳିଆ ଆର୍ବଜନା ଗଦା ହେଲାଣି । ଏପରିକି ଚିକିତ୍ସାଳୟକୁ ଯିବାକୁ ଥିବା ରାସ୍ତାରେ ଜଣେ ବ୍ୟବସାୟୀ ଲୁହା ଛଡ ଗଦେଇ ବ୍ୟବସାୟୀ କରୁଛନ୍ତି । ଅନ୍ୟ ବ୍ୟବସାୟୀମାନେ ମଧ୍ୟ ଚିକିତ୍ସାଳୟ ପ୍ରବେଶ ପଥକୁ ଜବରଦଖଲ କରି ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ଏଠାରେ ନିଯୁକ୍ତ ଡାକ୍ତର, ଫାର୍ମାସିଷ୍ଟ ଓ ପିଅନ ସରକାରଙ୍କ ଠାରୁ ମାସିକ ଲକ୍ଷାଧିକ ଟଙ୍କା ଦରମା ଆକାରରେ ନେଉଛନ୍ତି । କିନ୍ତୁ ଚିକିତ୍ସାଳୟ ଅଧିକାଂଶ ସମୟ ବନ୍ଦ ହେତୁ ଗୋଟିଏ ହେଲେ ରୋଗୀ ଉପକୃତ ହେଉନାହାନ୍ତି । କର୍ମଚାରୀମାନେ ଖାତାରେ ଜାଲ ରୋଗୀଙ୍କ ନାଁ ଲେଖି ଡାକ୍ତରଖାନା ଚଳାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ