କାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ

ହିଂଜିଳିକାଟୁ,(ଶେଷଦେବ ସାହୁ): ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ୩ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା କାଟୁ ରାଜବାଟୀ ଓ ପାଟଣା ସାହି ଲକ୍ଷ୍ମୀ ନୃସିଂହ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରବିବାର ସଂଧ୍ୟାରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କେବଳ ନୀତିକାନ୍ତି ଓ ପରମ୍ପରା ରକ୍ଷା ପାଇଁ ମନ୍ଦିର ବେଢ଼ାରେ ପୂଜକ ଓ ସହଯୋଗୀଙ୍କ ଦ୍ୱାରା ସାମାଜିକ ଦୁରତ୍ୱ ରକ୍ଷାକରି ଦେବନୀତି କରାଯିବ । ଏହି ସମୟରେ କୌଣସି ବାହାର ବ୍ୟକ୍ତିଙ୍କୁ ମନ୍ଦିରରେ ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ବାରଣ କରାଯାଇଛି । ବୈଠକରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମନୋରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତହସିଲଦାର ଗୋପୀନାଥ କୁଅଁରଙ୍କ ସହ କେଉଟ ବାଡ଼ ଯାତ୍ରା କମିଟି ସଭାପତି ଭୀମସେନ ବେହେରା, ରଙ୍ଗଣୀ ବାଡ଼ ଯାତ୍ରା କମିଟି ସଭାପତି ବଂଶୀଧର ସାହୁ ,ପାଟଣା ସାହିର ରାଜେନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ମାନସ ବେହେରା, ଅରୁଣ ଦାଶ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପ୍ରକାଶ ଥାଉକି, ଐତିହାସିକ ତଥ୍ୟ ଅନୁଯାୟୀ ୧୯୪୨ ମସିହାରେ ହିଂଜିଳି ଓ କାଟୁ ଅଂଚଳରେ ମ୍ୟାଲେରିଆ ଓ ହଇଜା ବ୍ୟାପିବା ପରେ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଗ୍ରାମ ପରିକ୍ରମା କରିବା ପରେ ଗ୍ରାମରେ ମ୍ୟାଲେରିଆ ଓ ହଇଜା ସଂକ୍ରମଣ ବନ୍ଦ ହୋଇଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରାକୁ ବନ୍ଦ କରି ଦିଆଯିବା ପରେ ବହୁ ଭକ୍ତ ଓ ଯାତ୍ରା ପେମୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ତେବେ କୋଭିଡ଼-୧୯କୁ ରୋକିବା ଲାଗି ପ୍ରଶାସନର ନିଷ୍ପତିକୁ କାଟୁ ରାଜା ସାହେବ ଓ ଯାତ୍ରା ଅଧିକାରୀ ଓ ସଭାପତି ସ୍ୱାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ