କାଠଗଣ୍ଡିକୁ ଜବତ କଲା ବନ ବିଭାଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟଳୟ ଅନ୍ତର୍ଗତ ସିଙ୍ଗିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଶାଗୁଆନ ଗଛକୁ ସ୍କୁଲ କର୍ତ୍ତୃପକ୍ଷ କାଟି ଦେଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ସ୍କୁଲ ପରିସରରେ ରହିଥିବା ଏହି ବିରାଟ ବିରାଟ ଶାଗୁଆନ ଗଛ ଛାଇ ହେବାସହ ଉତାପରୁ ରକ୍ଷା ପାଇବା ପରିବେଶ ସନ୍ତୁଳନ ରହୁଥିଲା।କିନ୍ତୁ ଗଛ କାଟିବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ଅନୁମତି ନନେଇ ସ୍କୁଲ କତୃପକ୍ଷ ମନଇଛା ଶାଗୁଆନ ଗଛ କାଟିବାକୁ ନେଇ ଗ୍ରାମବାସୀଙ୍କ ଚନ୍ଦ୍ରଗିରି ବନ ବିଭାଗ ରେଞ୍ଜ ଅଧିକାରୀଙ୍କ ପୋଡାମାରି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ବନ ବିଭାଗ ଅଧିକାରୀ ସମୂହ ସିଙ୍ଗିପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କଟା ଯାଇଥିବା ପ୍ରାୟ ୩୫ ରୁ ଉର୍ଦ୍ଧ ଶାଗୁଆନ କାଠଗଣ୍ଡିକୁ ଜବତ କରିଥିବା ଜଣାପଡ଼ିଛି।ଗୋଷ୍ଠୀ ଶିକ୍ଷାଧିକାରୀ କିମ୍ବା ସ୍ଥାନୀୟ ବନ ବିଭାଗର ବିନା ଅନୁମତିରେ ଏହି ପୁରାତନ ସ୍କୁଲ ପରିସରରେ ରହିଥିବା ୩୫ ବର୍ଷରୁ ଅଧିକ ସମୟର ପୁରୁଣା ଶାଗୁଆନ ଗଛକୁ କାଟିଦେବା ଘଟଣାକୁ ନେଇ ଗ୍ରାମ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ବିଧିବଦ୍ଧ ତଦନ୍ତ ନେଇ ଗ୍ରାମ ଯୁବ ଗୋଷ୍ଠି ଏହାର ଦୃଢ଼ ବିରୋଧ କରୁଥିବା ଜଣାପଡ଼ିଛି।ଏନେଇ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ଙ୍କୁ ପଚାରିବାରୁ ତାଙ୍କ ପ୍ରତିକ୍ରିୟା ରେ କହିଲେ କିଛିଦିନ ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟିଙ୍କ ପକ୍ଷରୁ ଏହି ଗଛ ରହୁଥିବା କାରଣରୁ ବିଦ୍ୟାଳୟ ପରିସର ଅପରିଷ୍କାର ରହୁଥିବାରୁ ଗଛ ଗୁଡ଼ିକୁ କାଟିଦେବାକୁ ଅନୁମତି ଲୋଡିଥିବା ନେଇ ଦରଖାସ୍ତ କରିଥିଲେ । ଗଛ କାଟିବା ପାଇଁ ଅନୁମତି ପ୍ରଦାନ କରିବା ତାଙ୍କ କ୍ଷମତା ପରିସର ନଥିବା କହିଥିବା ପ୍ରକାଶ କରିଛନ୍ତି। ସ୍ଥାନୀୟ ପୋଡ଼ାମାରି ବନାଞ୍ଚଳ କାର୍ଯ୍ୟଳୟ ସହ ଏଥି ନେଇ ଯୋଗାଯୋଗ କରାଯିବାରେ ସେ ସିଙ୍ଗିପୁର ଗ୍ରାମବାସୀଙ୍କ ଅଭିଯୋଗ ପାଇ ଗତ ୧୩/୦୮ ରିଖାରେ ଘଟଣା ସ୍ଥଳରେ ପହଞ୍ଚି କଟା ଯାଇଥିବା ୨୦ ଗୋଟି ଶାଗୁଆନ କାଠଗଣ୍ଡି ଜବତ କରିବା ସହ ୦୨ ୦୬/୨୦୨୩-୨୪ ପ୍ରକାରେ ମାମଲା ରୁଜୁ କରିଥିବା ପ୍ରକାଶ କରିଛନ୍ତି । ଗଛ କାଟିବା କାରଣ ଏବଂ ଅନୁମତି ନେଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ତଥା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ର କର୍ମୀ କମିଟିର ନିର୍ଦ୍ଧାରଣ ପଞ୍ଜିକାରେ ସେ ସ୍ୱାକ୍ଷର କରିଥିବା ସ୍ବୀକାର କରିଥିଲେ ମଧ୍ୟ ଆଲୋଚନା ସମ୍ପର୍କରେ ଅବଗତ ନଥିବା ସୂଚନା ଦେଇଛନ୍ତି ।ବିଦ୍ୟାଳୟ ଭଳି ଏକ ଅନୁଷ୍ଠାନରେ କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସୁରକ୍ଷାରେ ବୃକ୍ଷରାଜିର ଆବଶ୍ୟକତା ନେଇ ବନ ମହୋତ୍ସବ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରୁଥିବା ବେଳେ ବିଦ୍ୟାଳୟ ପରିବେଶକୁ ସମୃଦ୍ଧ କରୁଥିବା ବହୁ ପୁରୁଣା ମୂଲ୍ୟବାନ ଶାଗୁଆନ ଗଛ ଗୁଡ଼ିକୁ କର୍ତୃପକ୍ଷଙ୍କ ମନମାନିରେ କାଟି ଦେଇଥିବା ନେଇ ବିରୋଧର ଆଭାସ ମିଳିଅଛି । ଗ୍ରାମ ଯୁବଗୋଷ୍ଠୀଙ୍କ ପକ୍ଷରୁ ସୁଶାନ୍ତ କୁମାର ରଣା , ଟୁକୁନା ଚୌଧୁରୀ , ଆଶିଷ କୁମାର ସାହୁ , ରାଜେନ୍ଦ୍ର ଦୋରା , ନିରଞ୍ଜନ ନାୟକ , ଅଶ୍ଵିନୀ ସାହୁ, କାଳିଆ ପ୍ରଧାନ , ବାବୁଲା ନାୟକ ପ୍ରମୁଖ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ