କାଠ ନିଆଁ ଥିଲା ସାହା ଭରସା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କାହାର ପାପୁଲି ନାହିଁ ତ, କାହାର ପାଦ ନାହିଁ । ନା ଏମାନେ କୌଣସି କାମଧନ୍ଦା କରି ରୋଜଗାର କରିପାରନ୍ତି । କେବଳ ଭିକ୍ଷା କଲେ ଏମାନଙ୍କ ସଂସାରର ଚୁଲି ଜଳେ । ଅଭାବ ଓ ଅନାଟନ ମଧ୍ୟରେ ଜୀଇଁ ରହିଥିବା ଭୁବନେଶ୍ୱର ଉପକଣ୍ଠ ଯାଁଳାସ୍ଥିତ ଲେପର୍ସି କଲୋନୀରେ ରହୁଥିବା ପରିବାରର ଏ ହେଉଛି ଜୀବନ ସଂଘର୍ଷର କଥା । ସମ୍ପ୍ରତି ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଅର୍ଥ ଅଭାବ ଯୋଗୁଁ ଏମାନଙ୍କ ପକ୍ଷେ ଖଣ୍ଡିଏ କମ୍ବଳ ଅଥବା ଶୀତବସ୍ତ୍ର କିଣିବା ସାତ ସପନ । ଜାଡ଼ ସହିନପାରି କେବଳ କାଠନିଆଁକୁ ଭରସା କରି ରାତିସାରା ନିଆଁ ଚାରିପାଖରେ ଏମାନେ ବସିରହନ୍ତି । ଏମାନଙ୍କର ଏ ଦୁଃଖ ଦୁର୍ଦ୍ଦଶା ଖବର ଶୁଣି ରାତାରାତି ସହଯୋଗର ହାତ ବଢାଇଛି ସାମାଜିକ ଅନୁଷ୍ଠାନ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା । ଅନୁଷ୍ଠାନ ପକ୍ଷରୁ ୬୦ଟି ଲେପର୍ସି ପରିବାରକୁ ରାତାରାତି ଶୀତବସ୍ତ୍ର ଯୋଗାଇ ଦିଆଯାଇଛି । ଶୀତବସ୍ତ୍ର ପାଇ ଭାବବିହ୍ୱଳ ହୋଇ ପରିବାର ଲୋକେ ଖୁସି ପ୍ରକଟ କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସମ୍ପାଦକ ଦେବାଶିଷ ପଟ୍ଟନାୟକ, ସାମାଜିକ କର୍ମୀ ମନୋଜ ପ୍ରଧାନ, ପ୍ରଦୀପ୍ତ ରଞ୍ଜନ ରାଉତ, ସୁସ୍ମିତାରାଣୀ ରାଉତ ଏବଂ ବାଳକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ରହି ଲେପର୍ସି ପରିବାରକୁ ଶୀତବସ୍ତ୍ର ବଣ୍ଟନରେ ସହଯୋଗ କରିଥିଲେ । ସୋସାଇଟିର ଏତାଦୃଶ କାର୍ଯ୍ୟକୁ ଲେପର୍ସି ପରିବାର ପକ୍ଷରୁ ପ୍ରଶଂସା କରାଯିବା ସହ ସାଧୁବାଦ ଜଣାଇଥିଲେ । ସଂଗଠନ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ ବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ