କାଠ ଶିଳ୍ପ ଶ୍ରମିକମାନଙ୍କର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାର କାଠ କାରିଗର, କରତକଳରେ କାମ କରୁଥିବା ଶ୍ରମିକ, କାଠ ସାମଗ୍ରୀ ସହ ଜଡ଼ିତ ବ୍ୟବସାୟୀ, ରାଜମିସ୍ତ୍ରୀ, ମତ୍ସ୍ୟଜୀବୀ, ଟ୍ରଲି ଓ ଅଟୋଚାଳକମାନଙ୍କୁ ନେଇ ଗତ ୨୦୧୦ ମସିହାରେ ‘ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ପରିଷଦ’ ପ୍ରତିଷ୍ଠିତ ହୋଇଥିଲା । ଏହି ସଂଗଠନକୁ ସରକାରଙ୍କ ଦ୍ୱାରା ପଞ୍ଜୀକୃତ କରାଯାଇଅଛି । କାଠଶିଳ୍ପକୁ ନେଇ ନିଜର ଜୀବନ ଜୀବିକା ଓ ଗୁଜୁରାଣ ମେଣ୍ଟାଉଥିବା ଶ୍ରମିକମାନଙ୍କର ଏକ ମିଳିତ ମଞ୍ଚ ଭାବେ ଏହା କାର୍ଯ୍ୟ କରିଆସୁଅଛି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ କରତକଳଗୁଡ଼ିକ ଚଳାଇବାକୁ ଅନୁମତି ପ୍ରଦାନ ନକରିବାରୁ ଓ ବନବିଭାଗର ତାଗିଦ ଫଳରେ ଏହି କରତକଳଗୁଡ଼ିକ ଦୀର୍ଘଦିନ ହେବ ବନ୍ଦ ରହିଛି । ଫଳରେ କାଠଶିଳ୍ପକୁ ଭରସା କରି ଜୀବନ ଜୀବିକା ନିର୍ବାହ କରୁଥିବା ଶ୍ରମିକମାନେ ଚରମ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି । ସ୍କୁଲ୍ କଲେଜ୍ରେ ପାଠ ପଢ଼ୁଥିବା ପିଲାମାନଙ୍କ ପଢ଼ାଖର୍ଚ୍ଚ, ବିବାହଯୋଗ୍ୟ ଝିଅର ବିଭାଘର, ବୃଦ୍ଧ ପିତାମାତାଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି । ଏହି କାର୍ଯ୍ୟରେ ନିୟୋଜିତ ଥିବା କେତେକ କାରିଗର ଓ ହେଲ୍ପର ପ୍ରଭୃତି ଶ୍ରେଣୀର ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଆଉ କେତେକ ଦୀର୍ଘବର୍ଷ ଧରି ପାରମ୍ପରିକ କୌଳିକ ବୃତ୍ତି ଛାଡ଼ି ଅନ୍ୟ କାର୍ଯ୍ୟ କରିବାକୁ ଅକ୍ଷମ ହେଉଛନ୍ତି । ଏହି ସରକାରୀ କଟକଣା ଫଳରେ ଗ୍ରାମାଞ୍ଚଳରେ ଲୋକମାନଙ୍କ ବିଲବାଡ଼ିରେ ଥିବା ପରିପକ୍ୱ ଗଛ ବିକ୍ରି କରିପାରୁନାହାନ୍ତି । ବାସଗୃହ ତିଆରି ପାଇଁ ଆବଶ୍ୟକୀୟ କାଠ, ଝରକା-କବାଟ ତିଆରି କରିବା କିମ୍ବା ଝିଅ ବିଭାଘରରେ ଖଟ, ପଲଙ୍କ, ଆଲଣା ପ୍ରଭୃତି କାଠ ଉପକରଣ ଦେଇପାରୁନାହାନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆବାସ ଯୋଜନାରୁ ଗୃହନିର୍ମାଣ ପାଇଁ ଗରିବ ହିତାଧିକାରୀମାନେ ପାଇଥିବା ଅର୍ଥ ୩ମାସ ମଧ୍ୟରେ ବିନିଯୋଗ କରିପାରୁନାହାନ୍ତି । କାରଣ ପକ୍କାଘରର ଛାତ ନିର୍ମାଣ ପାଇଁ ଆବଶ୍ୟକୀୟ ସେଣ୍ଟ୍ରିଙ୍ଗ୍ ପଟା ମିଳୁନାହିଁ । ବାଲେଶ୍ୱରର ସୁଦୀର୍ଘ ଉପକୂଳରେ ହଜାର ହଜାର ଡଙ୍ଗା ଚଳାଇ ମତ୍ସ୍ୟଜୀବୀମାନେ ନିଜର ଗୁଜୁରାଣ ମେଣ୍ଟାନ୍ତି । ଏହି ଡଙ୍ଗାଗୁଡ଼ିକ କାଠପଟା ଅଭାବରୁ ଆବଶ୍ୟକୀୟ ମରାମତି ହୋଇପାରୁନାହିଁ । ଟ୍ରକ୍ଗୁଡ଼ିକର କାଠଡଲା ନିର୍ମାଣ କିମ୍ବା ମରାମତି ହୋଇନପାରିବାରୁ ଟ୍ରକ୍ ଓ ପରିବହନ କାର୍ଯ୍ୟରେ ଥିବା ଶ୍ରମିକମାନେ ରୋଜଗାର ହରାଇଛନ୍ତି । କେତେକ ମତ୍ସ୍ୟଜୀବୀ ପଶ୍ଚିମବଙ୍ଗର ଦୀଘାଠାରେ ଓ ଟ୍ରକ୍ମାଲିକମାନେ ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟରେ ଏହି ନିର୍ମାଣ ଏବଂ ମରାମତି କାର୍ଯ୍ୟ କରାଉଛନ୍ତି । ଫଳରେ ସେମାନେ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହେବା ସହ ଏହି ବେଉସାରେ ଥିବା କାରିଗରମାନେ କାମ ପାଉନାହାନ୍ତି । ଗ୍ରାମାଞ୍ଚଳର ଗରିବ ଲୋକଟିଏ ଜରୁରୀ ଆବଶ୍ୟକତା ବେଳେ ନିଜ ବାଡ଼ିରେ ଥିôବା ପରିପକ୍ୱ ଗଛଟି ପଶ୍ଚିମବଙ୍ଗର ଦଲାଲମାନଙ୍କୁ ଅତି ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପଶ୍ଚିମବଙ୍ଗର ଦଲାଲ ବ୍ୟବସାୟୀମାନେ ଶସ୍ତାରେ କାଠ କିଣି ସେଥିରେ ବିଭିନ୍ନ ଉପକରଣ ତିଆରି କରି ବାଲେଶ୍ୱର ଜିଲ୍ଲାବାସୀଙ୍କୁ ଚଢ଼ାଦରରେ ବିକ୍ରୟ କରୁଛନ୍ତି । ତାଳସାରୀ ଠାରୁ ମଇତାପୁର ପର୍ଯ୍ୟନ୍ତ ପ୍ରାୟ ୧୬୦କି.ମି. ଦୀର୍ଘ ବାଲେଶ୍ୱର ଜିଲ୍ଲାର ମାତ୍ର ଦୁଇଟି ସ୍ଥାନରେ (ସୋମନାଥପୁର ଓ ପଣପଣା ଶିଳ୍ପାଞ୍ଚଳ) କରତକଳକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କାଠଗଣ୍ଡି ଆଣି ବହୁ ଖର୍ଚ୍ଚରେ କରତକଳରେ ପଟା ତିଆରି କରାଇବା ଖର୍ଚ୍ଚ କାଠର ମୂଲ୍ୟଠାରୁ ବଳିପଡ଼ୁଛି । ଏତଦ୍ଭିନ୍ନ ନିଜ ବିଲବାଡ଼ିରୁ ଗଛ କାଟିବା କ୍ଷେତ୍ରରେ ଥିବା ଜଟିଳ ସରକାରୀ ପ୍ରକ୍ରିୟା ସମାପ୍ତ କରି ଗ୍ରାମାଞ୍ଚଳରେ ଜଣେ ଗରିବ ଲୋକ ଗଛକାଟିବା ସମ୍ଭବପର ହେଉନାହିଁ ।ତେଣୁ ଏହି ବିଷମ ପରିସ୍ଥିତିକୁ ଜିଲ୍ଲା ପ୍ରଶାସନ, ବନବିଭାଗ ଓ ରାଜ୍ୟ ସରକାର ଅନୁଭବ କରି ବାଲେଶ୍ୱର ଜିଲ୍ଲାରେ ଏହି ବେଉସାରେ ଥିବା ପ୍ରାୟ ୨୦ହଜାର ପରିବାରଙ୍କ ସ୍ୱାର୍ଥପାଇଁ ଗ୍ରାମାଞ୍ଚଳରେ କରତକଳଗୁଡ଼ିକ ଚଳାଇବାପାଇଁ ଅନୁମତି ପ୍ରଦାନ କରନ୍ତୁ ଓ କରତକଳ ମାଲିକମାନଙ୍କୁ ପ୍ରତିବର୍ଷ ସରକାରୀ ଜାଗାରେ ନିଜ ଖର୍ଚ୍ଚରେ ଅନ୍ୟୁନ ୧ ହଜାର ବୃକ୍ଷଚାରା ରୋପଣ କରି ଏହାକୁ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବା ସର୍ତ୍ତରେ କରତକଳ ମାଲିକମାନଙ୍କୁ ଲାଇସେନ୍ସ ପ୍ରଦାନ କରନ୍ତୁ । ଗ୍ରାମାଞ୍ଚଳରେ ଗରିବ ଚାଷୀ ମୂଲିଆମାନଙ୍କୁ ସେମାନଙ୍କର ଜରୁରୀ ଗୁଜୁରାଣ ମେଣ୍ଟାଇବା ପାଇଁ ନିଜର ପରିପକ୍ୱ ଗଛକୁ ବିକ୍ରି କରିବାକୁ ଚାହୁଁଥିଲେ ଏହାକୁ ବନନିଗମ ଦ୍ୱାରା ସରକାରୀ ଦରରେ କିଣିବାର ବ୍ୟବସ୍ଥା କରାଯାଉ । ସ୍ଥାନୀୟ ଷ୍ଟେସନ କ୍ଲବ୍ଠାରେ ସଂଯୁକ୍ତ ଗଣ ପରିଷଦ ପକ୍ଷରୁ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର କର୍ମକର୍ତ୍ତା ଓ ଜିଲ୍ଲାର ବହୁ ସାମାଜିକ କର୍ମୀ, ରାଜନୈତିକ ବ୍ୟକ୍ତି ଉପସ୍ଥିତ ଥାଇ ଜିଲ୍ଲାର ପ୍ରାୟ ୨୦ହଜାର ସ୍ୱାବଲମ୍ବୀ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଉପରେ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଚଳିତ ଜୁଲାଇମାସ ୨୧ ତାରିଖ ଶୁକ୍ରବାର ଦିନ ଏହି ଶ୍ରମିକମାନେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ସମାବେଶ କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ଗଣପରିଷଦର ସଭାପତି ମଣିଭଦ୍ର ସାହୁ, ସାଧାରଣ ସଂପାଦକ ପ୍ରବୋଧ କୁମାର ପରିଡ଼ା ଓ କାଠକାରିଗର ସଂଘର ସଂପାଦକ ମନ୍ସୁର ଅଲ୍ଲୀ ଖାଁଙ୍କ ସମେତ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ, ଶ୍ରମିକନେତା ପ୍ରେମରଞ୍ଜନ ପାତ୍ର ଓ ଶ୍ୟାମସୁନ୍ଦର ଜେନା ଏବଂ ଗଣ ପରିଷଦର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।