କାତି ଦେଖାଇ ମୁଖା ପିନ୍ଧା ଚାରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂଗ୍ ଗ୍ରାମର ବନ୍ଧ ସାହିରେ ରହୁଥିବା ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ଘରକୁ ମଙ୍ଗଳବାର ରାତ୍ର ଦୁଇଘଣ୍ଟା ସମୟରେ ଚାରିଜଣ ଦୁର୍ବୃତ୍ତ ମୁହଁରେ ଚଦର ଘୋଡ଼ାଇ ହୋଇ ବାଡ଼ିପଟ କବାଟ ଭାଙ୍ଗି ପଶିଥିଲେ I ରାତିରେ ଗୃହକର୍ତ୍ତା ଦଣ୍ଡନାଚ ଦେଖିବା ପାଇଁ ବାହାରକୁ ଚାଲିଯାଇଥିବା ବେଳେ ଘରେ ତାଙ୍କର ନୁଆଁ ବୋହୂ ହିଁ ଏକୁଟିଆ ଥିଲେ I ଦୁର୍ବୃତ୍ତ ମାନେ ତାଙ୍କୁ କାତି ଦେଖାଇ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବା ସହ ଟଙ୍କା ଏବଂ ସୁନା ମାଗିଥିଲେ I ଏଥିରେ ମହିଳା ଜଣଙ୍କ ଭୟଭୀତ ହୋଇ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ମହିଳା ଜଣଙ୍କ ପିନ୍ଧିଥିବା ଏକ ହାର ,ଏକ ଆଟାଚ୍ ରେ ଥିବା ନଗଦ 5000 ଟଙ୍କା ଏବଂ କିଛି ଲୁଗାପଟା ଓ ଆସବାବ ପତ୍ର ଧରି ଫେରାର ହୋଇଯାଇଥିଲେ I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ଠାବକରା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି I ସେହିପରି ଗ୍ରାମର କୃଷ୍ଣ ସ୍ୱାଇଁ ଏବଂ ମଧୁ ସ୍ୱାଇଁ ସୁରତ୍ ରେ ରହି କାମ କରୁ୍ଥିବା ବେଳେ ସେମାନଙ୍କ ଘର ତାଲା ପଡ଼ିଥିଲା I ଦୁର୍ବୃତ୍ତ ମାନେ ଏହି ଘର ଦୁଇଟିର ମଧ୍ୟ ତାଲା ଭାଙ୍ଗି ଘରେ ପଶି ଆଲମୀରା ଭାଙ୍ଗି ଲୁଗାପଟା ଓ ଜିନିଷ ପତ୍ର ଲୁଟି ନେଇଥିବା ସୂଚନା ମିଳିଛି I ସେମାନେ ବାହାରେ ରହୁଥିବାରୁ ସେମାନଙ୍କର କଣ ଚୋରି ଯାଇଛି ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁଁ I ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ସାମାଜିକ ନାଟକରେ ଅଭିନୟ କରିବାକୁ ଆସିଥିବା ମହିଳା କଳାକାର ମାନେ ସନ୍ଧ୍ୟାରେ ନିଜ ବସା ଘର ଛାଡି ନାଚ ଥିବା ଗାଆଁକୁ ଚାଲିଯାଇଥାଆନ୍ତି I ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ କଳାକାର ମାନଙ୍କ ବସା ଘରେ ପଶି ସେମାନଙ୍କର ପୋଷାକ ଏବଂ ପ୍ରସାଧନ ସାମଗ୍ରୀ ଚୋରି କରିନେଇଥିବା ଜଣା ପଡ଼ିଛି I ପ୍ରକାଶ ଥାଉକି ମାର୍ଚ୍ଚ 28 ତାରିଖରେ ମଧ୍ୟ ଏହି ଅଭିନେତ୍ରୀମାନଙ୍କ ବସା ଘରେ ପଶି ଦୁଇ ଜଣଙ୍କର ସାତ ଶହ ନଗଦ ଟଙ୍କା ଏବଂ କିଛି ପୋଷାକ ଚୋରି କରିନେଇଥିଲେ I ଗତ କିଛି ଦିନ ହେବ ବଡ଼ ବୋର୍ସିଂଗ୍ ରେ ବାରମ୍ବାର ଚୋରି ବଢୁଥିବାରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ଚୋରଙ୍କୁ ଧରି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି ହୋଇଛି I

Spread the love

Leave a Reply

Your email address will not be published. Required fields are marked *

ଏବେ ଏବେ