କାବୁଲକୁ ଚାରିପଟୁ ଘେରିଲା ତାଲିବାନ, ଇସ୍ତଫା ଦେଲେ ରାଷ୍ଟ୍ରପତି ଅସରଫ ଘନି
କାବୁଲ: ଆଫଗାନିସ୍ତାନର ଅନେକ ସହର ଦଖଲ କରିବା ପରେ ଏବେ ତାଲିବାନ ଆତଙ୍କବାଦୀମାନେ କାବୁଲ ସହର ଭିତରକୁ ପଶିଛନ୍ତି । ତାଲିବାନ ଅଧିକାରୀ ଦାବି କରିଛନ୍ତି କି ଆସନ୍ତା ୨ ଘଂଟା ମଧ୍ୟରେ ସେମାନେ କାବୁଲ ସହରକୁ ଦଖଲ କରିବେ । ଗଣମାଧ୍ୟମ ଏଏଫପିର ସୂଚନା ମୁତାବକ ସେଠିକାର ସ୍ଥାନୀୟ ଲୋକମାନେ ବି ସ୍ପଷ୍ଟ କରିଛନ୍ତି କି ତାଲିବାନୀମାନେ କାବୁଲ ସହର ଭିତରକୁ ପ୍ରବେଶ କରିସାରିଛନ୍ତି । ଏହା ପୂର୍ବରୁ ଆଫଗାନିସ୍ତାନର ଜଣେ ସାଂସଦ ଓ ତାଲିବାନ ପକ୍ଷରୁ କୁହାଯାଇଥିଲା କି ଚରମପନ୍ଥୀମାନେ କାବୁଲର କିଛି ଦୂରରେ ଥିବା ଏକ ରାଜ୍ୟ ରାଜଧାନୀକୁ ବି ଦଖଲ କରିନେଇଛନ୍ତି । ତାଲିବାନ ଦଖଲରେ ସମ୍ପୂର୍ଣ୍ଣ ଆଫ୍ଗାନ ସାମ୍ରାଜ୍ୟ। ବଢିଚାଲିଛି ତାଲିବାନ ଆତଙ୍କ। ଆଫ୍ଗାନିସ୍ତାନର ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ନିଜ କାବୁରେ ଆଣିସାରିଲାଣି ତାଲିବାନ। ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରାଦେଶିକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି ତାଲିବାନ। ଏବେ କାବୁଲ ମୁହାଁ ତାଲିବାନ। ଏହା ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଇସ୍ତଫା ଦେଇଛନ୍ତି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଘନି ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତାଲିବାନ କମାଣ୍ଡର ଅବଦୁଲ ଘନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି। କହିରଖୁ କି ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍ ରଶିଦ ଅହମଦ କହିଥିଲେ କି ତାଲିବାନୀମାନେ ତୋରଖମ ସୀମା ଦଖଲ କରିଛନ୍ତି । ସେ ସ୍ଥାନୀୟ ଗଣମାଧ୍ୟମ ଜିୟୋ ଟିଭି କୁ ସୂଚନା ଦେଇ କହିଥିଲେ କି ଏହି କାରଣରୁ ପାକିସ୍ତାନ ପକ୍ଷରୁ ସୀମାରେ ଯାତାୟତ ବନ୍ଦ କରିଦିଆଯାଇଛି । କାବୁଲରେ ତାଲିବାନୀମାନେ ପଶିବା ଖବର ମଧ୍ୟରେ ତାଲିବାନ ପକ୍ଷରୁ ବି ବୟାନ ଜାରୀ କରାଯାଇଛି । ଏଥିରେ କୁହାଯାଇଛି କି, ଆଫାଗାନ ସୈନ୍ୟଙ୍କୁ କାବୁଲ ଭିତରକୁ ପଶିବାକୁ ବାରଣ କରାଯାଇଛି । ଅନ୍ୟପଟେ ତାଲିବାନ କହିଛି କି ସାଧାରଣ ଲୋକ ଓ ସେନାଙ୍କ ଉପରେ ସେମାନେ ଆକ୍ରମଣ କରିବେ ନାହିଁ । କିନ୍ତୁ ସେମାନଙ୍କୁ ଘର ଭିତରେ ରହିବାକୁ ତାଲିବାନ ପକ୍ଷରୁ ଧମକ ଦିଆଯାଇଛି ।