କାମନାର ବିନାଶ ନହେଲେ ବ୍ୟକ୍ତିର ଆତ୍ମବିକାଶ ଅସମ୍ଭବ :ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ

ଭୁବନେଶ୍ୱର: କାମନା ଥିଲେ ମନୁଷ୍ୟର ଆସକ୍ତି ଆସେ । କାମନା ପ୍ରତି ଜୀବନକୁ ଆନ୍ଦୋଳିତ କରି ବାହ୍ୟ ବିଷୟ ପ୍ରତି ଆକର୍ଷିତ କରାଏ । କିନ୍ତୁ କାମନା କେବେ ମନୁଷ୍ୟକୁ ସୁଖ ଦେଇପାରେ ନାହିଁ । କାମ ହେଉଛି ମହାପାପ । ତାକୁ ଅନୁସରଣ କରୁଥିବା ବ୍ୟକ୍ତିକୁ ମହାପାପୀ କୁହାଯାଏ । ମନୁଷ୍ୟ ଜାତି ନିଜ ଭିତରୁ କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟକୁ ଅବଦମିତ କଲେ ଭଗବାନଙ୍କ ଶରଣ ପ୍ରାପ୍ତି ହୋଇଥାଏ ବୋଲି ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଉତ୍କଳ ମଣ୍ଡପ ଠାରେ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ କାର୍ଯ୍ୟକ୍ରମରେ ପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ କହିଛନ୍ତି । ଶ୍ରୀମଦ୍ ଭଗବତ ଗୀତା ତୃତୀୟ ଅଧ୍ୟାୟ କର୍ମଯୋଗର ୩୭ ନମ୍ବର ଶ୍ଳୋକ ‘କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଭବଃ, ମହାଶନୋ ମହାପାପ୍ମା ବିଦ୍ଧ୍ୟେନମିହ ବୈରିଣମ’ କୁ ପ୍ରଜ୍ଞାନାନନ୍ଦ ଅତି ସରଳ ଭାବେ ବାଖ୍ୟା କରିଥିଲେ । ଏଥି ସହ ପ୍ରଜ୍ଞାନାନନ୍ଦ ଯୋଗ ସାଧନା ଏବଂ ମନୁଷ୍ୟ ଶରୀରର ସପ୍ତ ଚକ୍ର ସଂପର୍କରେ ଭଗବତ ପ୍ରେମୀମାନଙ୍କୁ ବୁଝାଇଥିଲେ । ଆବଶ୍ୟକତା ଠାରୁ ଅଧିକ ସଂଗ୍ରହ କରିବା ହେଉଛି ପାପ । ଅର୍ଥର ଉପଯୋଗ କରିବା ଦରକାର କିନ୍ତୁ ଉପଭୋଗ ନୁହେଁ । ଆଜିର ମନୁଷ୍ୟ ଧନ ସଂଗ୍ରହ, କାମନା ବାସନା ଏବଂ ଖାଦ୍ୟ ଗ୍ରହଣ କରିବା ପାଇଁ ଲାଳାୟିତ ହୋଇପଡିଛି । ଏହା ଦ୍ୱାରା ମନୁଷ୍ୟ ପୂରା ସମାଜକୁ କଳୁଷିତ କରୁଛି । ବ୍ୟକ୍ତି ଜୀବନରେ ସଂଯମତା ଆସିବା ନିହାତି ଦରକାର । କେବଳ ଭଗବତ ନାମ ଏବଂ ସତସଙ୍ଗ ହିଁ ମନୁଷ୍ୟକୁ ଏହି ପାପ ଜନିତ ନର୍କରୁ ଉଦ୍ଧାର କରିପାରିବ । ନିଜ ସାମର୍ଥ୍ୟ ଅନୁଯାୟୀ ଅର୍ଥ ଉପାର୍ଜନ କରି ଅନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ଏହା ସହ ମନୁଷ୍ୟ ଏକ ସୁସ୍ଥ ସମାଜ ଗଠନ କରିବା ସହ ନୂତନ ରାଷ୍ଟ୍ର ନିର୍ମାଣ କରିପାରିବ ବୋଲି ପ୍ରଜ୍ଞାନାନନ୍ଦ କହିଛନ୍ତି । ଗୀତା ପ୍ରବଚନ କାର୍ଯ୍ୟକ୍ରମ ପୂର୍ବରୁ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଜ୍ଞାନାନନ୍ଦଙ୍କ ଗୀତାଜ୍ଞାନକୁ ଶ୍ରବଣ କରିବା ସହ ଗୀତା ପାଠ କରିଥିଲେ । ସକାଳ ସମୟରେ ଜୟଦେବବିହାର ସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ଠାରେ ଭଗବତପ୍ରେମୀ ମାନେ କ୍ରିୟା ଯୋଗ ଦୀକ୍ଷା ଗ୍ରହଣ କରିଥିଲେ । ଏହି ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଠାରେ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ