କାମରେ ଲାଗୁନି ମିଶନ ଶକ୍ତି ଗୃହ ପାଲଟିଛି ଠିକାଦାର ଙ୍କ ଗୋଦାମ ଗୃହ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସୁବିଧା ଓ ସ୍ବାବଲମ୍ବୀ ହେବା ପାଇଁ ପ୍ରତ୍ୟେକ ବ୍ଲକ ,ପଞ୍ଚାୟତ ସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି କାମ ନ ହୋଇ ପଡି ରହିଛି ତ କେଉଁଠି ଠିକାଦାର ନିଜ ଆୟତ୍ତରେ ରଖି ସିମେଣ୍ଟ ରଡ଼ ରଖିଥିବା ବେଳେ କେଉଁଠି ନିମ୍ନ ମାନର କାର୍ଯ୍ୟ ଯୋଗୁଁ କାମରେ ନ ଲାଗି ଖତ ହେବାକୁ ବସିଥିବା ଦେଖିବାକୁ ମିଳିଛି। ଏମିତି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକରେ ମିଶନ ଶକ୍ତି ଗୃହ ସ୍ୱୟଂ ସହାୟିକା ଗୋଷ୍ଠୀର କାମରେ ନ ଲାଗି ଖତ ଖାଉଛି । ବ୍ଲକରେ ଥିବା କିଛି ସ୍ୱୟଂ ସହାୟିକା ଗୋଷ୍ଠୀ କେବଳ ଋଣ ଆଣି ନିଜ ଖର୍ଚ୍ଚରେ ଲଗାଇଥିବା ବେଳେ ଗୋଷ୍ଠୀ ଗୃହ ପ୍ରତି କାହାର ନଜର ନ ଥିବାରୁ ମିଶନ ଶକ୍ତି କାର୍ୟ୍ୟକ୍ରମ ବାଟବଣା ହୋଇ ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଏମିତି ଏକ ମିଶନ ଶକ୍ତି ଗୃହ ଦେଖିବାକୁ ମିଳିଛି ଚକାପାଦ ବ୍ଲକ ର ପସରା ପଞ୍ଚାୟତର ନନ୍ଦିନି ଗାଁରେ ଥିବା ମିଶନ ଶକ୍ତି ଗୃହରେ । ଏହି ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ମା ମାନେ ଏହାକୁ ନିଜ କାମରେ ଲଗାଇବା ପରିବର୍ତ୍ତେ ଜଣେ ଠିକାଦାର ମିଶନ ଶକ୍ତି ଗୃହରେ ସଟର, ସିମେଣ୍ଟ ,ଛଡ଼ ଭଳି ଜିନିଷ ରଖିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ମିଶନ ଶକ୍ତି ଗୃହ ନିର୍ମାଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପଟେ ଅଞ୍ଚଳରେ ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ ମିଶନ ଶକ୍ତି ଗୃହ ପ୍ରତି ଦୃଷ୍ଟି ଦେଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ କାମରେ ଲଗାଇବାକୁ ଦାବି କରିଛନ୍ତି।