କାମ କରିବାକୁ ଯାଇ ପଣ୍ଡିଚେରୀରେ ଯୁବକ ନିଖୋଜ
ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ମୟୁରନଚା ଗ୍ରାମର ଜଣେ ଯୁବକ କାମ କରିବାକୁ ସୁଦୁର ପଣ୍ଡୀଚେରୀକୁ ଯାଇ ସେଠାରେ ନିଖୋଜ ହୋଇଯାଇଥିବା ବଉଳା ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଦୁର୍ଯ୍ୟୋଧନ ପ୍ରଧାନଙ୍କ ପୁଅ ହରେକୃଷ୍ଣ ପ୍ରଧାନ ପଣ୍ଡିଚେରୀର ଏକ କମ୍ପାନୀରେ କାମ କରୁଥିଲା । ତା ସହିତ ସେହି ଗ୍ରାମର ଅଭିମନ୍ୟୁ ଖଣ୍ଡେଇ ନାମକ ଆଉ ଜଣେ ଯୁବକ ମଧ୍ୟ ସେହି କମ୍ପାନୀରେ କାମ କରିବା ସହିତ କମ୍ପାନୀ ପରିସରରେ ରହୁଥିଲା । ଗତ ୪ତାରିଖ ଦିନ ଅଭିମନ୍ୟୁ ଘରକୁ ଫୋନ କରି ଜଣାଇଥିଲା କି ହରେକୃଷ୍ଣ ଗତକାଲି ରାତିରୁ କେଉଁ ଆଡେ ପଳାଇଛି । ତାର ପ୍ୟାଣ୍ଟ, ସାର୍ଟ ଓ ମୋବାଇଲ ଓ ଟଙ୍କା ସବୁ ରୁମ ଭିତରେ ଥିବାବେଳେ ହରେକୃଷ୍ଣର କିଛି ଖୋଜ ଖବର ମିଳୁନାହିଁଁ । ପରିବାର ଲୋକମାନେ ନିୟମିତ ଅଭିମନ୍ୟୁକୁ ପୁଅ ସମ୍ପର୍କରେ ପଚରା ଉଚୁରା କରୁଥିଲେବି ଆଜି ପର୍ଯ୍ୟନ୍ତ କିଛି ସନ୍ଧାନ ପାଇପାରୁ ନାହାନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଶ୍ରେଣୀର ହୋଇଥିବାରୁ ପଣ୍ଡିଚେରୀ ଯାଇ ପୁଅକୁ ଖୋଜିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ । ତେଣୁ ଦୁର୍ଯ୍ୟୋଧନ ଏ ନେଇ ବଉଳା ଫାଣ୍ଡିରେ ଏକ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି ତାଙ୍କ ପୁଅକୁ ଖୋଜିଆଣିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।