କାର୍ତ୍ତିକ ପୁର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ଗୋଟିଏ ଦିନ ପୂର୍ବରୁ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଅଞ୍ଚଳର ଆରାଧ୍ଯା ମାଆ ବୁଢାକେନ୍ଦୁଙ୍କ ୩୦୦ ବର୍ଷ ତଳର ଐତିହାସିକ ପୀଠ I ବର୍ଷ ସାରା ଏହି ପୀଠରେ ବିଭିନ୍ନ ପୂଜା ପର୍ବାଣୀ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିବର୍ଷ କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ I ଏହି ଯାତ୍ରାରେ ପ୍ରତିବର୍ଷ ସତୁରୀରୁ ଅଶୀଏ ହଜାର ଭକ୍ତଙ୍କ ସମାଗମ ହୋଇଥାଏ I କିନ୍ତୁ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ମାଆଙ୍କ ବାର୍ଷିକ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ଲାଗୁଥିବା ଯୋଗୁଁ ପୂର୍ଣ୍ଣମୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ମାଆଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I କିନ୍ତୁ ଆଜି ଯାତ୍ରା ପାଇଁ ମନ୍ଦିର କର୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ନଥିବା ଯୋଗୁଁ ଆଜି ମାଆଙ୍କ ଯାତ୍ରା ଦେଖିବାକୁ ବହୁ ଭକ୍ତ ଆସିପାରି ନଥିଲେ I ଆଜି ମାଆଙ୍କ ପୀଠରେ ଚାଳିଶି ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା I ଆଜି ସକାଳୁ ରୀତିନୀତି ମୁତାବକ ମାଆଙ୍କ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା I ସକାଳ ଦଶଟା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଜଣାପଡ଼ିନଥିଲା ବେଳେ ଆଜି ମାଆଙ୍କ ଯାତ୍ରା ହେଉଥିବା ନେଇ ପ୍ରଚାରିତ ହେବା ପରେ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା I ବହୁ ବ୍ୟବସାୟୀ ମଧ୍ୟ ବିଳମ୍ବରେ ଆସି ନିଜର ବ୍ୟବସାୟ ଆରମ୍ଭ କରିଥିଲେ I ଏହି ଅବସରରେ ଗୋବରା ଓମ୍ ଶାନ୍ତି ପ୍ରଜାପିତା ବ୍ରହ୍ମାକୁମାରୀ ଭଉଣୀ ମାନଙ୍କ ଦ୍ୱାରା ପ୍ରବଚନ ଶୁଣିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା I ସ୍ଥାନୀୟ ବନ ବିଭାଗ ଦ୍ୱାରା ଜନ ସାଧାରଣଙ୍କୁ ବୃକ୍ଷ ସମ୍ପର୍କରେ ସଚେତନ କରାଯିବା ସହ ଚାରା ବଣ୍ଟନ କରାଯାଇଥିଲା I ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନ ସାଧାରଣଙ୍କୁ ଭ୍ରାମ୍ୟମାଣ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା I ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ଅନୁଷ୍ଠାନର ସ୍କାଉଟ୍, ଏନ୍ଏସ୍ଏସ୍, ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ମାନେ ପାନୀୟ ଜଳ ଯୋଗାଣ, ଭକ୍ତଙ୍କ ମାର୍ଗ ଦର୍ଶନ,ସ୍ଵଚ୍ଛତା ରକ୍ଷା ସହିତ ଯାତ୍ରା ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ I ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏକ ପ୍ଲାଟୁନ୍ ପୋଲିସ୍ ବାହିନୀ ମୁତୟନ ରହି ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଯାନବାହନ ଗୁଡ଼ିକୁ ନିୟନ୍ତ୍ରଣ କରିଥିଲେ I କିନ୍ତୁ କ୍ଷତ୍ରୀୟବରପୁର ଠାରୁ ବୁଢାକେନ୍ଦୁ ରାସ୍ତାରେ ଉଦ୍ଧତ ଯୁବକ ମାନଙ୍କର ଦ୍ରୁତ ବାଇକ୍ ଚାଳନା କରୁଥିବା ଦେଖିବାକୁ ମିଳିଥିଲା I ଫଳରେ ରାସ୍ତାରେ ଯାଉଥିବା ମହିଳା ଏବଂ ଛୋଟ ଶିଶୁ ମାନେ ନିଜକୁ ଅସୁରକ୍ଷିତ ମନେ କରିଥିଲେ I ତେବେ ସୂଚନା ନପାଇବା ଯୋଗୁଁ ଆଜି ବହୁ ଭକ୍ତ ଆସିପାରି ନଥିବା ଯୋଗୁଁ ଆସନ୍ତା କାଲି ଚନ୍ଦ୍ର ଗ୍ରହଣ ଯୋଗୁଁ ମାଆଙ୍କ ପୂଜାର୍ଚ୍ଚନା ନହେଲେ ମଧ୍ୟ ସର୍ବସାଧାରଣ ଦର୍ଶନ ପାଇଁ ମାଆଙ୍କ ମନ୍ଦିର ଖୋଲା ରହିବ ବୋଲି ମନ୍ଦିର କମିଟି ପକ୍ଷରୁ ଘୋଷଣା କରାଯାଇଛି I ତେଣୁ ଆସନ୍ତା କାଲି ମଧ୍ୟ ମାଆ ବୁଢାକେନ୍ଦୁ ପୀଠରେ ତିରିଶରୁ ଚାଳିଶି ହଜାର ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ