କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାବନ ଶ୍ରୀକ୍ଷେତ୍ରାଧିପତିଙ୍କ ରାଜରାଜେଶ୍ୱରୀ ବେଶ ଦେଖିବାକୁ ଭକ୍ତଙ୍କ ଭିଡ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ବିଶେଷ ଦେବନୀତି ଶୁକ୍ରବାର ଭୋର ୩ ଟାରୁ ଆରମ୍ଭ ହୋଇଥିଲା । ପ୍ରଥମେ ପାଦପଦ୍ମ ଆଳତି ପରେ ଅବକାଶ ବେଶ, ବଲ୍ଲଭ ଭୋଗ ଓ ଆଳତି ପରେ ସକାଳ ୬ ଟାରେ ମହାପ୍ରଭୁ ମାନଙ୍କୁ ବହୁ ପ୍ରତୀକ୍ଷିତ ଆକର୍ଷଣୀୟ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରି ୧୦୮ ଆଳତି କରାଯାଇଥିଲା । ସାହାଣମେଳା ଦର୍ଶନ ଯୋଗୁଁ ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ ଲାଗିରହିଥିଲା ।ଆଜି ମହାଧର୍ମ ମାସର କାର୍ତ୍ତିକ ବ୍ରତ ପାଳନ ର ଉଦ୍‌ଯାପନ ଦିବସ ହୋଇଥିବାରୁ ସନ୍ଧ୍ୟାରେ ପାବନ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ମହିଳା ଭକ୍ତ ମାନଙ୍କ ଭିଡ଼ ଜମିଥିଲା । ମନ୍ଦିର ପରିସରରେ ଭଜନ କିର୍ତ୍ତନ, ପୁରାଣ ପାଠ, କାର୍ତ୍ତିକ ମହାତ୍ମା , ଆକାଶ ଦୀପର ମାସିକ ଅନ୍ତିମ ସାନ୍ଧ୍ୟ ଦର୍ଶନ ଓ ୧୦୮ ଆଳତି ଦର୍ଶନ ସହ ରାଜରାଜେଶ୍ୱରୀ ଚତୁଦ୍ଧ୍ୱାମୂର୍ତ୍ତି ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପାଇଁ ରାତ୍ର ପ୍ରାୟ ୮ ଟା ପର୍ଯ୍ୟନ୍ତ ମନ୍ଦିର ପରିସର ଓ ବାହାରେ ଭିଡ଼ ଲାଗି ରହିଥିଲା । ଭଜନ ଭାରତୀର ମହିଳା ମାନେ ପ୍ରତ୍ୟହ ପ୍ରତୁଷ ଓ ସନ୍ଧ୍ୟାରେ ଭଜନ କିର୍ତ୍ତନ ଓ ପୁରାଣ ପଠନରେ ଭକ୍ତ ମାନଙ୍କୁ ଅଭିଭୂତ କରି ଆସୁଥିଲେ । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ରଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ପୂଜକ କୃର୍ଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ସହାୟକ ସରୋଜ ନନ୍ଦ, ଶିଶିର ପଣ୍ଡା, ଉମା ଚରଣ ପଣ୍ଡା ପ୍ରମୂଖ ମାସତମାମ ଉତ୍ସବ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ