କାର୍ତ୍ତିକ ପୂର୍ବରୁ ପରିବା ବଜାରରେ ଚଡକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କାର୍ତ୍ତିକ ମାସ ପୂର୍ବରୁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଆଶ୍ୱିନ ମାସ ଶୋଡଷ ପୂଜା ଏବଂ ନବରାତ୍ର ପୂଜା ଯୋଗୁଁ ବହୁ ପରିବାରରେ ଆମିଷ ପଶେନି । ପୂଣ୍ୟ ମାସ ଭାବେ କଥିତ କାର୍ତ୍ତିକରେ ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଧା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନି । ଏକଦା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡ଼ା, ଖରିଡ଼ା, ଆଲପୁର, ରାଳବ, ସିକିରି, ଖଣ୍ଡରା, ଚାନ୍ଦୁଲି ଅଂଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତ୍ତୀ ଅଂଚଳକୁ ରପ୍ତାନି କରାଯାଉଥିଲା କିନ୍ତୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଳକର ବିଭିନ୍ନ ଅଂଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡ଼ିବା ଯୋଗୁଁ ପରିବା ପାଇଁ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଅଂଚଳରେ ପରିବା ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି ।ଓଷା ବ୍ରତ ତଥା ପୂଣ୍ୟ ଅର୍ଜନର ମାସ କାର୍ତିକରେ ଅଧିକାଂଶ ଘରେ ଆମିଷ ପଶୁନି । ତେଣୁ ଏହି ମାସରେ ସାଧାରଣତଃ ଆମିଷ ଅପେକ୍ଷା ପନିପରିବାର ଚାହିଦା ବେଶ୍ ଅଧିକ । ଗତ କିଛି ଦିନରେ ପରିବା ଦର ଢେର ଅଧିକ ରହିଥିବାରୁ ଖାଉଟିଙ୍କ ପକେଟକୁ ଢିଲା କରୁଛି ପରିବା ଦର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ପରିବା ବଜାରରେ ଆଳୁ ଦର କିଲୋ ପିଛା ୧୮ରୁ ୨୦ ଟଙ୍କା ରହିଥିବା ବେଳେ ପିଆଜ ୪୦ରୁ ୫୦, ଟମାଟୋ ୫୦ରୁ ୬୦, ଫୁଲକୋବି ୮୦, ବିନ୍ସ ୧୦୦,କାଙ୍କଡ (ଦେଶୀ)୧୨୦, ବଡ କାଙ୍କଡ଼ ୬୦, ପୋଟଳ ୬୦, ସାରୁ ୪୦, ଭେଣ୍ଡି ୪୦, ବନ୍ଧାକୋବି ୩୦ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, କଖାରୁ ଓ ଭଣ୍ଡା ୨୦ରୁ ୨୫ ଟଙ୍କା , ଜହ୍ନି ୪୦ ଟଙ୍କା, ବାଇଗଣ ୬୦ରୁ ୭୦ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତ୍ତିକରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଂଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା ଆଶ୍ୱିନ ମାସ ଦ୍ୱିତୀୟ ସପ୍ତାହକରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତିକରେ ଆମିଷ ଖିଆ ବନ୍ଦ ଥିବାରୁ ପରିବା ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଖାଉଟି ମାନେ ପରିବା ଦରକୁ ନେଇ ଛାନିଆ ହୋଇ ପଡିଲେଣି । ଆବଶ୍ୟକ ଠାରୁ କମ୍ ପରିମାଣେରେ ନେଇ କାମ ଚଳାଇବାକ ପଡୁଛି ବୋଲି କିଛି ଗ୍ରାହକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ