କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କ ସୁପାରିଶ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଣଜିତ ଗ୍ରାମପଞ୍ଚାୟତରେ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି। ବିଡ଼ିଓଙ୍କ ଅଗୋଚରରେ ପ୍ରାକ୍ତନ ସରପଞ୍ଚ ମନୋଜ ନାୟକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ଦେହୁରୀ ମିଳିତ ଭାବେ ସିଏଫସି ଓ ଏସଏଫସି ଫାଇଲ ଜରିଆରେ ଡିଏସସିରେ ପେମେଣ୍ଟ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ହୋଇଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିବାରୁ ପ୍ରଶାସନ ପକ୍ଷରୁ ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଥିଲା। ଦୁର୍ନିତଖୋର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେହୁରୀଙ୍କୁ ସେଠାରୁ ଅପସାରଣ କରାଯାଇ ନୂତନ ଅଧିକାରୀ ଭାବେ ସରୋଜ କୁମାର ରାଉତରାୟଙ୍କୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାସହିତ ବ୍ଲକ କାର୍ଯ୍ୟାଳୟରୁ ପ୍ରକାଶିତ ଆଦେଶ ସଂଖ୍ୟା୧୧୨୫/ସଂସ୍ଥା ତା୫-୪-୨୨ରିଖ ଅନୁସାରେ ଶ୍ରୀ ଦେହୁରୀ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସମସ୍ତ କାଗଜପତ୍ର ୭ଦିନ ମଧ୍ୟରେ ହସ୍ତାନ୍ତର ପାଇଁ ନିର୍ଦେଶ ଦିଆଯାଇଥିଲା। ଏକ ମାସ ବିତିଯାଇଥିଲେ ସୁଦ୍ଧା ନୂତନ ଅଧିକାରୀ କୌଣସି କାଗଜପତ୍ର ପାଇନଥିବା ବିଡ଼ିଓଙ୍କୁ ଜଣାଇବା ପରେ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୨୧୫/ସଂସ୍ଥା୧୬-୪-୨୨ରିଖରେ ଏକ ଚାରି ଜଣିଆ ଟିମ ଗଠନ କରାଯାଇଥିଲା। ଉକ୍ତ ଟିମ ରଣଜିତ ଗ୍ରାମପଞ୍ଚାୟତକୁ ଯାଇ ପ୍ରାକ୍ତନ ସରପଞ୍ଚ ଶ୍ରୀ ନାୟକ ଓ ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସମସ୍ତ କାଗଜପତ୍ର ସହିତ ଉପସ୍ଥିତ ହେବାକୁ ନିର୍ଦେଶ ଦେଇଥିଲେ ସୁଦ୍ଧା ଏହାକୁ ସେମାନେ ଅବମାନନା କରିଥିଲେ ବୋଲି କମିଟି ବିଡ଼ିଓଙ୍କୁ ଜଣାଇଥିଲେ। ପୁନର୍ବାର ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୩୦୧/ସଂସ୍ଥା ତା୨୫-୪-୨୨ରିଖରେ ଉଭୟଙ୍କୁ ଦୁଇ ଦିନ ମଧ୍ୟରେ ତଦନ୍ତକାରୀ ଟିମ ନିକଟରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଥିଲେ ସୁଦ୍ଧା ଆଦେଶକୁ ସେମାନେ ଅଗ୍ରାହ୍ୟ କରିଥିଲେ। ପରିଶେଷରେ ବିଡ଼ିଓ ଶ୍ରୀ ଦାସ ଚଳିତ ମାସ ୪ତାରିଖରେ ଘଟଣାକ୍ରମକୁ ନେଇ ପ୍ରକଳ୍ପ ନିର୍ଦେଶକଙ୍କୁ ଜଣାଇବା ସହ ରଣଜିତ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ନାୟକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ଦେହୁରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି। ଏ ବାବଦରେ ବ୍ଲକ କାର୍ଯ୍ୟାଳୟ ପରିପତ୍ର ସଂଖ୍ୟା ୧୩୯୩/ସଂସ୍ଥା ତା-୪/୫/୨୨ରେ ଲିଖିତ ଭାବେ ପ୍ରକଳ୍ପ ନିର୍ଦେଶକ ଙ୍କୁ ଜଣାଇବା ସହ ଜିଲ୍ଲା ପଂଚାୟତ ଅଧିକାରୀଙ୍କ ଅବଗତ ନିମନ୍ତେ ପତ୍ର ପ୍ରେରଣ କରାଯାଇଛି ।