କାର୍ଯ୍ୟରତ ସାମ୍ବାଦିକଙ୍କୁ ଆର୍ଥିକ ସହାୟତା ପାଇଁ ଦାବି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଦୀର୍ଘ ୫ମାସ ଧରି କରୋନା ମହାମାରୀ କୋଭିଡ୍-୧୯ରେ ସାରା ଦେଶ ଲଢେଇ ଜାରି ରଖିଛି । ଏଥିରେ ଜନଜୀବନ ବେଶ୍ ପ୍ରଭାବିତ ହୋଇଛି । ଲକ୍ଡାଉନ୍ ପାଇଁ ନିମ୍ନ ମଧ୍ୟବିତ୍ତ-ମଧ୍ୟବିତ୍ତ ଲୋକମାନେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି । କରୋନା ଲଢେଇରେ ଯୋଦ୍ଧା ଭାବେ ଉଭା ହୋଇଥିବା ବିଭିନ୍ନ ବିଭାଗର କର୍ମଚାରୀଙ୍କ ମଧ୍ୟରେ ସାମ୍ବାଦିକଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ନିକଟ ଅତୀତରେ କେତେଜଣ ଦିବଂଗତ ସାମ୍ବାଦିକଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ସ୍ୱାଗତ ଜଣାଉଛି । ଏହି ଯୋଜନାରେ ମୃତ୍ୟୁ ପରେ ସାମ୍ବାଦିକଙ୍କ ପରିବାର ଉପକୃତ ହେଉଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକ ଏଥିରୁ ବଞ୍ôଚତ ହେଉଛନ୍ତି । ଏଣୁ ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କ ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ସଂଘ ଦାବି କରିଛି । ଏ ନେଇ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ମଙ୍ଗଳବାର ରବି ଟକିଜ ଛକସ୍ଥିତ ସିଟି କାର୍ଯ୍ୟାଳୟରେ ଆହୂତ ବୈଠକରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଛି । କୋଭିଡ୍-୧୯ ଗାଇଡ୍ ଲାଇନ୍ ପାଳନ ପୂର୍ବକ ବୈଠକରେ ସଂଘ ସଭାପତି ବରିଷ୍ଠ ସମ୍ବାଦିକ ସୁଜ୍ଞାନ ଚୌଧୁରୀ, ଉପସଭାପତି ଆଶୁତୋଷ ରଥ, ସାଧାରଣ ସମ୍ପାଦକ ହୃଷିକେଶ ମହାନ୍ତି, କୋଷାଧ୍ୟକ ଶ୍ୟାମସୁନ୍ଦର ରାଉତ, ପବିତ୍ର ପାତ୍ର, ଦୀପକ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।


