କାର୍ଯ୍ୟରେ ଲାଗୁନି ଉଠା ଜଳସେଚନ ପ୍ରକଳ୍ପ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ପରିବର୍ତିତ ଜଳବାୟୁ ସହିତ ପ୍ରଶାସନିକ ଉଦାସୀନତାର ଶିକାର ହେଉଛନ୍ତି ନାଉଗାଁ ବ୍ଳକର ଅଣଜଳସେଚିତ ଚାଷୀ କୂଳ । ଏହି ବ୍ଳକର ଜାମୁଗାଁ, ରୋହିଆ, ଗଜରାଜପୁର, ନୂଆଗାଁ ପଂଚାୟତକୁ ଛାଡି ଦେଲେ ଆଉ ୧୨ଟି ପଂଚାୟତର ଚାଷୀମାନେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି । ଚଳିତ ବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ପ୍ରକୃତି ଦାଉ ସାଧିବାରୁ ଚାଷ କାର୍ଯ୍ୟ ଅଧାରେ ରହିଛି । ବିଭାଗ ପକ୍ଷରୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପକୁ ପରିଚାଳନା କରିବା ପାଇଁ ପ୍ରତି ପ୍ରକଳ୍ପରେ ପାଣି ପଂଚାୟତ ଗଠନ କରାଯିବା ସହିତ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବା ପାଇଁ ସରକାରୀ ସହାୟତା ଯୋଗାଇବା ଦେବାର ବ୍ୟବସ୍ଥା ରହିଛି । ଏପରିକି ଏହାର ଉପକାରିତା ସଂର୍ପକରେ ସଚେତନତା କାର୍ଯ୍ୟକ୍ରମ କରାଇବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ବିଭାଗୀୟ ଅଧିକାରୀମାନେ କାଗଜ କଲମରେ ପାଣି ପଂଚାୟତ ଗଠନ କରିଥିବା ବେଳେ ରକ୍ଷାଣବେକ୍ଷଣ ପାଇଁ ଯୋଗାଇ ଦିଆଯାଇଥିବା ସରକାରୀ ସହାୟତାକୁ କିଛି ହାତେଇ ନେଇଥିବା ଆଲୋଚନା ହେଉଛି । ଯାହାଫଳରେ ଏହି ପ୍ରକଳ୍ପ ଗୁଡିକର ସଠିକ ରକ୍ଷାଣବେକ୍ଷଣ ଓ କାର୍ଯ୍ୟକ୍ଷମ ନହେବାରୁ ପ୍ରକଳ୍ପ ଗୁଡିକ ନଷ୍ଟ ହୋଇ ଯାଉଥିବା ଅଭିଯୋଗ ହେଉଛି । ନାଉଗାଁ ବ୍ଲକ କୃଷି ବିଭାଗ ସୂଚନାନୁୟୀ ସମୁଦାୟ ୭ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଛି । ଏଥି ମଧ୍ୟରୁ ୫ ହଜାର ହେକ୍ଟର ଜମିରେ ଶାରଦ ଓ ୨ ହଜାର ହେକ୍ଟର ଜମିରେ ଲଘୁ ଜାତୀୟ ଧାନ ଚାଷ କରାଯାଇଛି । ଚାଷୀ କମ ସମୟରେ ଅଧିକ ଅମଳ କରିବା ପାଇଁ ଧଳାସ୍ୱର୍ଣ୍ଣ,ନାଲି ସ୍ୱର୍ଣ୍ଣ,ପୂଜା ଭଳି ବିହନ ବିଲରେ ବୁଣା କାର୍ଯ୍ୟ ଶେଷ କରିଥିବା ଲଘୁ ଜାତୀୟ ଧାନ ଚାଷ ପାଇଁ ମଧ୍ୟ ଖଣ୍ଡଗିରି,ଦିଶା ଭଳି ବିହନ ବିଲରେ ବୁଣା ଶେଷ କରି ଦେଇଛନ୍ତି । ଏପରିକି ଅଧିକ ଅମଳକ୍ଷମ ବିହନକୁ ତଳି ପକାଇବା ପାଇଁ ଚାଷୀ ତଳିଘେରା ପ୍ରସ୍ତୁତ କରିଥିବା ବେଳେ ବର୍ଷା ଅଭାବରୁ ତଳି ଘେରା ଫାଟିବା ଯାଇଥିବା ଦେଖିବାକୁ ମିଳୁଛି । ଯେଉଁ ଚାଷୀମାନେ ତଳି ପକାଇଛନ୍ତି ଗଜା ହୋଇଥିବା ବେଳେ ତଳି ପାଣି ଅଭାବରୁ ଗଜା ଶୁଖିଗଲାଣୀ । ସେପଟେ ବୁଣା ଯାଇଥିବା ଧାନ ଜମିରେ ପାଣି ନଥିବାରୁ ଅନାବନା ଘାସ ମାଡି ଯାଉଥିବା ବେଳେ ଧାନ ଗଛ ଗୁଡିକ ଶୁଖି ଗଲାଣୀ । ଶ୍ରାବଣ ମାସ ଅଧା ହୋଇଥିଲା ବେଳେ ବର୍ଷା ନହେବାରୁ ଚାଷୀ ଚିନ୍ତାରେ ରହିଛି । ଅନ୍ୟପଟରେ ୨୦୧୭ ମସିହା ସୁଦ୍ଧା ଏହି ବ୍ଳକରେ ୮୬ଟି ଉଠା ଜଳସେଚନ ପ୍ରକଳ୍ପ ଥିବା ଜଣାଯାଇଛି । ସେଥିମଧ୍ୟରୁ ୨୦ଟି ପ୍ରକଳ୍ପର ପୁର୍ଣ୍ଣ ଉଦ୍ଧାର କରାଯାଇଥିବା ବେଳେ ସେଥିପାଇଁ ୨କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।ଏହା ମଧ୍ୟରେ ତିରୁଣା ପଂଚାୟତରେ ସମୁଦାୟ ୭ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି । ଏଥିରୁ କୁରିକି ଓ ଅରିଓଦା ପ୍ରକଳ୍ପକୁ ଛାଡି ଦେଲେ ଅନ୍ୟ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି । ଡେରିକି ପଂଚାୟତରେ ୨୦୧୭-୧୮ ମସିହାରେ ପୂର୍ଣ୍ଣକ୍ଷମ କରାଯାଇଥିବା ଦୁଇଟି ପ୍ରକଳ୍ପରୁ ଥରୁଟିଏ ମଧ୍ୟ ଜଳ ଯୋଗାଇ ଦିଆଯାଇନାହିଁ । ସେହିପରି କୋରୁଅ ପଂଚାୟତରେ ଥିବା ୩ଟି ପ୍ରକଳ୍ପ ଅଚଳ ଅବସ୍ଥାରେ ପଡିରହିଛି । ଶିଖର ପଂଚାୟତରେ ଥିବା ୭ ଟି ପ୍ରକଳ୍ପ ମଧ୍ୟରୁ ପାଟେଣିଗାଁ ପ୍ରକଳ୍ପକୁ ଛାଡି ଦେଲେ ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟ ଅଚଳ ହୋଇପଡିଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନିତୀ ଯୋଗୁଁ ଚାଷୀମାନେ ଠିକ ସମୟରେ ସରକାରଙ୍କ ଯୋଜନାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପର ସୁବିଧା ପାଇ ପାରୁ ନାହିଁ । ଯାହାକୁ ନେଇ ଚାଷୀମାନେ ଚାଷ କାମ ପାଇଁ ବର୍ଷା ଭରସା ବୋଲି କହିଛନ୍ତି । ଏ ସଂପର୍କର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ଚାଷ ଜମିକୁ ପାଣି ଯୋଗାଇବାକୁ ଚାଷୀମାନେ ଦାବୀ କରିଛନ୍ତି ।