କାର୍ଯ୍ୟାରମ୍ଭ ପାଇଁ କୋଭିଡ୍-୧୯ ସ୍ୱତନ୍ତ୍ର ହସ୍ପିଟାଲ୍କୁ ଅନୁଧ୍ୟାନ କଲେ ସିଡିଏମ୍ଓ ଓ ହାଇଟେକ୍ ସିଇଓ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଅସ୍ଥାୟୀ ଭାବେ ଆରମ୍ଭ ହେବାକୁ ଥିବା ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନାକୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଏବଂ ହାଇଟେକ୍ର ସିଇଓ ଡ.ଭୀଷ୍ମ ପ୍ରସାଦ ରଥଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଅତି ତୁରନ୍ତ ଆରମ୍ଭ ପାଇଁ ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ଗଜପତି ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ସିୟୁଟିଏମ୍ର ସୁବର୍ଣ୍ଣରେଖା ଛାତ୍ରାବାସରେ କୋଭିଡ୍-୧୯ ୨ଶହ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ହସ୍ପିଟାଲ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କୋଭିଡ୍-୧୯ ଡାକ୍ତରଖାନାକୁ ଆରମ୍ଭ କରିବା ପାଇଁ ହାଇଟେକ୍ ମେଡିକାଲ କଲେଜକୁ ଦାୟିତ୍ୱ ରାଜ୍ୟ ସରକାର ଦେଇଛନ୍ତି । ଗତ କିଛିଦିନ ହେଲା ଏହାର ଆନୁସାଙ୍ଗିକ କାର୍ଯ୍ୟ ଚାଲୁ ରହିଛି । ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଜପତି ସିଡିଏମ୍ଓ ଗୁନୁରାଣୀ ପଟ୍ଟନାୟକଙ୍କ ସହ ଏଡିଏମ୍ଓ ଡ.ପି.କେ ପାତ୍ର, ଅନ୍ୟ ବରିଷ୍ଠ ଡାକ୍ତର ଏବଂ ହାଇଟେକ୍ ମେଡିକାଲ କଲେଜ ସିଇଓ ଡ.ଭୀଷ୍ମ ପ୍ରସାଦ ରଥ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କରୋନା ମୁକାବିଲା ପାଇଁ ସରକାର ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ହସପିଟାଲ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲାରେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାମ ଚାଲିଥିବା ବେଳେ ଏହା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଛାତ୍ରାବାସର ପୁନଃଉଦ୍ଧାର କାମ ସହ ବିଭିନ୍ନ ଯନ୍ତ୍ରପାତି,ଆବଶ୍ୟକୀୟ ଉପକରଣ,ଶଯ୍ୟା ଆଦି ଠିକ୍ ସ୍ଥାନରେ ରଖିବା ପାଇଁ ଏମାନେ ଅନୁଧ୍ୟାନ ବେଳେ ନିର୍ଦ୍ଦେଶ ଦେଇଥିଲେ । ହାଇଟେକ୍ ଗୃପ୍ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ମୋ ଜନ୍ମ ମାଟି ପାରଳାଖେମୁଣ୍ଡି ଠାରେ ମୋ ଲୋକଙ୍କ ସେବା ପାଇଁ ରାଜ୍ୟ ସରକାର ଏହି ହସ୍ପିଟାଲ ଆରମ୍ଭ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଲୋକଙ୍କ ସେବା ପାଇଁ ମୁଁ ନିଜକୁ ଉତ୍ସର୍ଗ କରିଛି । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଏହି କୋଭିଡ୍-୧୯ ଡାକ୍ତରଖାନା ଲୋକଙ୍କ ସେବା ପାଇଁ କାର୍ଯ୍ୟକ୍ଷମ ହେବ ।


