କାର୍ଯ୍ୟ କରୁନି ହୋମ ଆଇସୋଲେଶନ ଗାଁ ଛାଡି ରାସ୍ତାରେ ବସୁଛନ୍ତି ଗ୍ରାମବାସୀ

ନାଉଗାଁ : ଦିନକୁ ଦିନ ସାରା ବିଶ୍ୱରେ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ରକ୍ଷା ପାଇଁ ସାରା ଦେଶରେ ଲକ ଡାଉନ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଯେଉଁ ମାନେ ରାଜ୍ୟ ବାହାରୁ କିମ୍ବା ଦେଶ ବାହାରୁ ଆସୁଛନ୍ତି ପ୍ରଶାସନ ପକ୍ଷରୁ ସେମାନଙ୍କୁ ହୋମ ଆଇସୋଲେଶନ କିମ୍ବା ପଂଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ନାଉଗାଁ ବ୍ଳକରେ ହୋମ ଆଇସୋଲେଶନ ଠିକ ଭାବେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହୋଇଛି । ବ୍ଳକ ପ୍ରଶାସନର ତଥ୍ୟ ଅନୁସାରେ ଏହି ବ୍ଳକକୁ ବୁଧବାର ମଧ୍ୟରେ ୧୦ଜଣ ଦେଶ ବାହାରୁ ଆସିଥିବା ବେଳେ ୨୧୧ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ଏହି ସବୁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ବ୍ଲକ ପ୍ରଶାସନ ପକ୍ଷରୁ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ନ ଯାଇ ହୋମ ଆଇସୋଲେଶନରେ ରଖାଯାଇଛି । ଯେଉଁ ଗ୍ରାମରେ ଉକ୍ତ ବ୍ୟକ୍ତିମାନେ ରହିଛନ୍ତି ସେମାନେ ଠିକ ଭାବେ ହୋମ ଆଇସୋଲେଶନରେ ରହୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ବ୍ଳକର ଚାନ୍ଦପୁରା ଗ୍ରାମର ଜଣେ ରାଜ୍ୟ ବାହାରୁ ଆସିଥିବା ବେଳେ ପ୍ରଶସାନ ପକ୍ଷରୁ ତାଙ୍କୁ ହୋମ ଆଇଶୋଲେଶନରେ ରଖାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ପରିବାର ସହିତ ମିଳାମିଶା କରିବା ସହିତ ଏକତ୍ର ବସି ଖାଇବା, ଶୋଇବା ଇତ୍ୟାଦି କାର୍ଯ୍ୟ ଜାରି ରଖିଛି । ଉକ୍ତ ପରିବାରର ଅନ୍ୟ ସଦସ୍ୟମାନେ ର୍ନିଦ୍ୱନ୍ଦରେ ହାଟ ବଜାର ଆଦି ଯାଉଛନ୍ତି । ଯାହାକୁ ନେଇ ଗ୍ରାମରେ ଉତେଜନା ଦେଖାଦେଇଛି । ଗ୍ରାମବାସୀ ମାନେ ଗାଁରେ ନ ରହି ବୁଧବାର ରାସ୍ତା ଉପରେ ଜମି ରହିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ବୁଝା ବୁଝି କରିବା ପରେ ଗାଁରେ ଉତେଜନା ହ୍ରାସ ପାଇବା ସହିତ ଗ୍ରାମବାସୀମାନେ ନିଜ ଘରକୁ ଯାଇଥିଲେ । ସରକାରଙ୍କ ନିୟମାନୁସାରେ ହୋମ ଆଇସୋଲେଶନରେ ରହୁଥିବା ବ୍ୟକ୍ତିଙ୍କ ଘର କାନ୍ଥରେ ଏକ ସୂଚନା ଲଗାଯିବ । ସେହି ସୂଚନାରେ ଘରେ ରହୁଥିବା ବ୍ୟକ୍ତିଙ୍କର ସବିଶେଷ ତଥ୍ୟ ସହିତ ଆରମ୍ଭ ଘରେ ରହିବା ତାରିଖ ଠାରୁ ୧୪ ଦିନ ପର୍ଯ୍ୟନ୍ତ ତାରିଖ ଦର୍ଶାଯିବ । ଯାହା ଅନୁସାରେ ସ୍ୱାସ୍ଥ୍ୟ କର୍ମୀ ପ୍ରତିଦିନ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ କରୋନା ଭୁତାଣୁ ସଂକ୍ରମଣର ଲକ୍ଷଣ ଦେଖାଯାଇଛି କି ନାହିଁ ଯାଂଚ କରିବେ । କିନ୍ତୁ ଉକ୍ତ ବ୍ଳକରେ ହୋମ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କ ଘରକୁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସରକାରୀ ନିୟମ ଅନୁସାରେ ଚିହ୍ନଟ କରାଯାଇନାହିଁ । ସେହିପରି ୧୬ଟି ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିବା ବେଳେ ଅବ୍ୟବସ୍ଥା ମଧ୍ୟରେ ଥିବା ଜଣାଯାଇଛି । ଦେଶ ବାହାରୁ ୧୦ଜଣ ବ୍ୟକ୍ତି ଏହି ବ୍ଳକରେ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବ୍ୟକ୍ତିଙ୍କୁ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇନାହିଁ । କରୋନା ଭୁତାଣୁର ଲକ୍ଷଣ ହଠାତ ଜଣାପଡୁ ନଥିବା ବେଳେ କିଛି ଦିନ ଯିବା ପରେ ଉକ୍ତ ଭୁତାଣୁର ଲକ୍ଷଣ ଜଣାପଡୁଛି । ତେଣୁ ଦେଶ ବିଦେଶରୁ ଉକ୍ତ ବ୍ଳକକୁ ଫେରିଥିବା ବ୍ୟକ୍ତି ଯେ କରୋନା ସଂକ୍ରମିତ ହୋଇ ନଥିବେ ତାହା କହି ହେବ ନାହିଁ । ତେଣୁ ସେମାନେ ବାହାରୁ ଫେରିବା ପରେ ପରିବାର ସହିତ ଏକତ୍ର ରହୁଥିବାକୁ ନେଇ ଅନେକ ଗ୍ରାମରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କରୋନା ଭୁତାଣୁର ଭୟବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ସଂପର୍କରେ ଜିପିଇଓ ଦିନେଶ ରାୟଙ୍କୁ ପଚାରିବାରୁ କରୋନାକୁ ଦୃଷ୍ଟିରେ ରଖି ବ୍ଳକର ପ୍ରତି ପଂଚାୟତରେ ଏକ ଟିମ ଗଠନ କରାଯାଇଛି । ଉକ୍ତ ଟିମରେ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ, ଯନ୍ତ୍ରୀ ଓ ବ୍ଳକର ବିଭିନ୍ନ କର୍ମଚାରୀମାନେ ରହିଛନ୍ତି । ଟିମର ନୋଡାଲ ଅଧିକାରୀ ଭାବେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ରଖାଯାଇଛି । ପଂଚାୟତରେ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ୧୫ଟି ଲେଖାଁଏ ବେଡ ପ୍ରଦାନ କରାଯାଇଛି । ଦେଶ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ