କାର୍ଯ୍ୟ ରେ ଲାଗୁନି ନିମାପଡା ନୂଆ ବସଷ୍ଟାଣ୍ଡ

ନିମାପଡ଼ା, (ସନ୍ତୋଷ ଦାଶ) :ପୁରୀ ଜିଲ୍ଲା ର ନିମାପଡା ଠାରେ ପ୍ରାୟ ୨କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ନୂଆ ବସଷ୍ଟାଣ୍ଡ ଦୀର୍ଘ ବର୍ଷ ହେବ କାର୍ଯ୍ୟ ରେ ଲାଗୁନି । ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହେବାରୁ ଏହା ଅ ବ୍ୟବହୃତ ହୋଇପଡ଼ି ନଷ୍ଟ ହେବା ରେ ଲାଗିଛି । ପୁରୀ ଜିଲ୍ଲାର ନିମାପଡା ଏକ ଗୁରୁତ୍ବପୁର୍ଣ୍ଣ ଅଞ୍ଚଳ । ଏଠାରୁ ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ,କାକଟପୁର, ଅସ୍ତରଙ୍ଗ, ଉତ୍ତରା, ବାଲିପାଟଣା, ବଳଙ୍ଗା ପ୍ରଭୃତି ବିଭିନ୍ନ ଦିଗକୁ ସବୁ ସମୟ ରେ ଯାତ୍ରୀବାହୀ ବସ ଚଳାଚଳ କରିଥାଏ । ସ୍ଥାୟୀ ବସଷ୍ଟାଣ୍ଡ ଟିଏ ନଥିବାରୁ ବସ ଗୁଡ଼ିକ ମୁଖ୍ୟ ରାସ୍ତା କଡ଼ରେ ଛିଡ଼ାହୋଇ ରହିଥାଏ । ଏଣୁ ବିଭିନ୍ନ ସମୟରେ ଏଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ ଯାହା ସ୍ଥାନୀୟ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ଅଞ୍ଚଳବାସୀ ଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ପରେ ନିମାପଡ଼ା ଏନ୍ ଏ ସି ପକ୍ଷରୁ ୨.୫୯ କୋଟି ଟଙ୍କା ବ୍ୟୟ କରାଯାଇ ନୂତନ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା । ୨୦୧୯ ମସିହାରେ ତତ୍କାଳୀନ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଓ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂଆ ବସଷ୍ଟାଣ୍ଡ କୁ ଉଦଘାଟନ କରିଥିଲେ । ମାତ୍ର ଦୁଇ/ତିନି ସପ୍ତାହ ବସଷ୍ଟାଣ୍ଡ ଠିକ୍ ଭାବେ ଚାଲିଥିଲା । ତେବେ ପରବର୍ତ୍ତୀ ସମୟରେ ଆଉ କୌଣସି ବସ ସେହି ନୂଆ ବସଷ୍ଟାଣ୍ଡ କୁ ନ ଯାଇ ପୂର୍ବପରି ମୁଖ୍ୟ ରାସ୍ତା କଡ଼ରେ ଛିଡ଼ାକରି ଯାତ୍ରୀ ମାନଙ୍କୁ ନେବା ଆଣିବା କରୁଛନ୍ତି । ନୂଆ ବସଷ୍ଟାଣ୍ଡ ଠାରେ ଯାତ୍ରୀ ଙ୍କ ସୁବିଧା ପାଇଁ ବିଶ୍ରାମକକ୍ଷ, ମହିଳା ଓ ପୁରୁଷ ନିମନ୍ତେ ପୃଥକ ପୃଥକ ଶୌଚାଳୟ, ପରିଶ୍ରାଗାର, ଟିକେଟ କାଉଣ୍ଟର, ପାନୀୟ ଜଳ ବ୍ୟବସ୍ଥା, ଉଜ୍ବଳ ଆଲୋକ ର ସୁ ବ୍ୟବସ୍ଥା ରହିଛି । ତେବେ ବି ଏହି ଅଞ୍ଚଳ ରେ ଚଳାଚଳ କରୁଥିବା ବସ ଗୁଡ଼ିକ ନୂଆ ବସଷ୍ଟାଣ୍ଡ କୁ ଯାଉନାହାନ୍ତି। ଫଳରେ ଏହା ଅ ବ୍ୟବହୃତ ହୋଇପଡ଼ି ନଷ୍ଟ ହେଉଛି। ସଂଧ୍ୟା ହେଲେ ଏଠାରେ ଅସାମାଜିକ ଯୁବକଙ୍କ ଭିଡ଼ ଜମିବା ସହିତ ଧଳାଜହର (ବ୍ରାଉନ ସୁଗାର), ଗଞ୍ଜେଇ ବ୍ୟବସାୟ ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲା ପରିବହନ ବିଭାଗ,ସ୍ଥାନୀୟ ଏନ୍ ଏ ସି ଅଧିକାରୀ, ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତୁରନ୍ତ ପୁରୀ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ନିମାପଡା ନୂଆ ବସଷ୍ଟାଣ୍ଡ କୁ କାର୍ଯ୍ଯକ୍ଷମ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ଣ୍ଣଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ, ମନୋଜ ବେହେରା ପ୍ରମୁଖ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବି ଦାବି କରିଛନ୍ତି । ଏ ସଂକ୍ରାନ୍ତ ରେ ନିମାପଡା ଏନ୍ ଏ ସି ଅଧ୍ୟକ୍ଷା ସସ୍ମିତା ସାହୁ ଓ ଉପାଧ୍ୟକ୍ଷ ସନ୍ତୋଷ ଦାସ ଙ୍କୁ ପଚାରିବାରୁ ଘରୋଇ ବସ ମାଲିକ, ବସ ସଂଘ କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ନୂଆ ବସଷ୍ଟାଣ୍ଡ ରେ ଯାତ୍ରୀବାହୀ ବସ ରହଣୀ ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ