କାର୍ ଧକ୍କାରେ ଏକ୍ସଏଲ ଚାଳକ ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସୋମବାର ଅପରାହ୍ନ ପ୍ରାୟ ୨ଘଂଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ହିଂଜିଳି ଥାନା ପୋଚିଲିମା ଛକ ନିକଟରେ କାର ଧକ୍କାରେ ଜଣେ ଟିଭିଏସ ଏକ୍ସଏଲ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହିଂଜିଳି ଥାନା ଠୁରୁବୁରାଇ ଗ୍ରାମର ଲଡ଼ୁକିଶୋର ଲେଙ୍କା (୬୦) । ପ୍ରକାଶ ଯେ, ହିଂଜିଳି ଥାନା ଠୁରୁବୁରାଇ ଗ୍ରାମର ବୃଦ୍ଧ ଜଣକ ପ୍ରତିଦିନ ପରି ସୋମବାର ମଧ୍ୟ ଟିଭିଏସ ଏକ୍ସଏଲ (ଓଡ଼ି୦୭ ୬୦୭୨) ଯୋଗେ ପରିବା ବିକ୍ରି କରିବା ପାଇଁ ବ୍ରହ୍ମପୁର ସହରକୁ ଯାଇଥିଲେ । ପରିବା ବିକ୍ରି କରିବା ପରେ ଟିଭିଏସ ଏକ୍ସଏଲ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ପୋଚିଲିମା ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ କାର ଆସି ଟିଭିଏସ ଏକ୍ସଏଲକୁ ଧକ୍କା ଦେଇ ଦୃତ ଗତିରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଅଂଚଳର କିଛି ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଆହତ ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଟିଭିଏସ ଏକ୍ସଏଲକୁ ଜବତ କରିଛି । ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିବା ସହ ହିଂଜିଳି ଥାନା ନଂ- ୭୧/୨୦ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।


