କାର ଧକ୍କାରେ ଯୁବକ ମୃତ; କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କ ରାଜ୍ୟ ରାଜପଥ ଅବରୋଧ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ସନ୍ଧ୍ୟାରେ ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ କଣ୍ଟିଗଢିଆ ଗ୍ରାମରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରହମପୁର ଛକ ନିକଟରେ ଉକ୍ତ ଗ୍ରାମର ୨ ଜଣ ଯୁବକ ସାଇକେଲରେ ଯାଉଥିବା ବେଳେ ଏକ କାର ସେମାନଙ୍କୁ ଧକ୍କା ଦେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ପରେ ପୋଲିସ ପ୍ରଶାସନର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିବା ଜଣାଯାଇଛି । ପ୍ରକାଶ ଯେ, କଣ୍ଟିଗଢିଆ ଗ୍ରାମର ୨ ଜଣ ସାଇକେଲ ଆରୋହୀ ନିଜ ଗ୍ରାମରୁ ଛୟାଳସିଂ ବଜାରକୁ ଯାଉଥିଲେ । ଆନନ୍ଦପୁର ଆଡୁ ଭଦ୍ରକ ଅଭିମୁଖେ ଓଡି-୦୨ଭି-୦୦୪୫ ନମ୍ବର ବିଶିଷ୍ଟ କାର ଦ୍ରୁତଗତିରେ ଆସି ସାଇକେଲ ଆରୋହୀକୁ ଧକ୍କା ଦେଇ ଆଗରେ ଯାଉଥିବା ଜଣେ ବାଇକ ଚାଳକୁ ମଧ୍ୟ ଧକ୍କା ଦେଇ ଭାରସାମ୍ୟ ହରାଇ ନୟନଜୋରୀକୁ ଖସି ଯାଇଥିଲା । ଦୁର୍ଘଟଣାରେ ସାଇକେଲ ଆରୋହୀ ଓ ବାଇକ୍ ଚାଳକଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ପଠାଇଥିଲେ । ସେଠାରେ ସାଇକେଲ ଆରୋହୀ ବିନୋଦ ମହାନ୍ତି(୨୪)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ସାଇକେଲ ଆରୋହୀ ସୁଧାକର ନାୟକ(୪୫)ଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାଜ୍ୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପ୍ରଶାସନର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି । ମୃତ ଯୁବକଙ୍କ ମରଶରୀର ନିଜ ଗ୍ରାମରେ ପହଞ୍ôଚବା ପରେ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି ।


