କାଳବୈଶାଖୀର କରାଳ ରୂପ : ୯ ଟି ବଳଦର ମୃତ୍ୟୁ ଓ ଗୋଟିଏ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ରାଇକିଆଠାରୁ ବାଡାବାଙ୍ଗା ମଧ୍ୟରେ ବଡ଼ବଡ଼ ଗଛ ଭାଙ୍ଗିବା ସହ ଗଛ ପଡ଼ି ଅନେକ ବିଦ୍ୟୁତାର ଛିଣ୍ଡିଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ବ୍ଲକ ସମେତ ପଡ଼ୋଶୀ ରାଇକିଆ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ କୁଆପଥର ଏବଂ ପ୍ରଚଣ୍ଡ ବିଜୁଳି ସହ ଘଡ଼ଘଡ଼ି ହୋଇଛି। ବର୍ଷା ଯୋଗୁ ଗରମରୁ ତ୍ରାହି ମିଳିଛି। ଫୁଲକୋବି,ବନ୍ଧା ଏବଂ ବିଭିନ୍ନ ପନିପରିବା ଚାଷୀଙ୍କୁ ଏହି ବର୍ଷା ବହୁତ ଲାଭଦାୟକ ହୋଇଥିବାବେଳେ ମହୁଲ ଫୁଲଗୁଡ଼ିକ ବର୍ଷାରେ ନଷ୍ଟ ହେବା ସମ୍ଭାବନା ଅଧିକ ବୋଲି ଅଞ୍ଚଳର ସଂଗ୍ରହକାରୀମାନେ କହିଛନ୍ତି। ଏବେ ମହୁଲ ଫୁଲର ଚାହିଦା ରହିଛି। ବର୍ତ୍ତମାନ କୁଇଣ୍ଟାଲ ୨୮ ଶହ ଟଙ୍କା ରହିଥିବାବେଳେ କାଳବୈଶାଖୀ ବର୍ଷା ଲୋକଙ୍କୁ ଚିନ୍ତାରେ ପକାଇଛି। ସେପଟେ ବଜ୍ରଘାତ ରେ ନଅ ଗୋଟି ବଳଦ ର ମୃତ୍ୟୁ ଓ ଗୋଟିଏ ଗୁରୁତର ହୋଇଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସାଙ୍ଗୁଡୁମାହା ଗ୍ରାମରେ ଅପରାହ୍ନ ରେ ଏକ ବଡ଼ ଧରଣର ବଜ୍ରାଘାତ ମଧ୍ୟ ହୋଇଛି | ବଜ୍ରାଘାତରେ ଛୋଟ ବଡ଼ ୯ ଟି ବଳଦ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ଗୁରୁତର ହୋଇଛି।ଏଥି ସହିତ ଅଂଚଳରେ ବର୍ଷା ପବନ ମଧ୍ୟ ହେବାର ଦେଖିବାକୁ ମିଳିଛି । ସାଙ୍ଗୁଡୁମାହା ଗ୍ରାମର ଯାକବ ପ୍ରଧାନଙ୍କର ତିନି ଗୋଟି, ସୁକଦେବ ପ୍ରଧାନ ଙ୍କ ଦୁଇ ଗୋଟି ,ଗୋପାଳ ପ୍ରଧାନର ଗୋଟିଏ ,ରମାକାନ୍ତ ପ୍ରଧାନର ଗୋଟିଏ,ବେଗୁଲ ପ୍ରଧାନର ଗୋଟିଏ ,ଦେବେନ୍ଦ୍ର ପ୍ରଧାନର ଗୋଟିଏ ,ରାଜେନ୍ଦ୍ର ପ୍ରଧାନର ଗୋଟିଏ ବଳଦ ମୃତ୍ୟବରଣ କରିଛନ୍ତି । ବର୍ତ୍ତମାନ ବୁଲା ବଳଦ ଜଙ୍ଗଲ ରେ ମହୁଲ ଫୁଲ ଖାଇଥାନ୍ତି ଓ ଗଛ ତଳେ ଆଶ୍ରୟ ନେଇଥାନ୍ତି ଠିକ ଏତିକି ବେଳେ ବଜ୍ରାଘାତ ହୋଇଥିଲା । ଏହି ବଳଦ ଗୁଡିକ ଅକସ୍ମାତ ମୃତ୍ୟୁ ହେବାପରେ ମାଲିକ ମାନେ କିଭଳି ଚାଷ କରିବେ ବୋଲି ଏବେ ଚିନ୍ତାରେ ପଡିଛନ୍ତି ।ଏଥି ପ୍ରତି ଦୃଷ୍ଟି ଦେଇ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ