କାଳବୈଶାଖୀ ଆଶଙ୍କା, ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆଜି ସକାଳ ଖରାରୁ ଆରମ୍ଭ ହୋଇଛି । କିନ୍ତୁ ଅପରାହ୍ନରେ ପାଗ ବଦଳିଯିବ । କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି । କିଛି ସ୍ଥାନରେ ପବନର ବେଗ ୬୦ ବି ଛୁଇଁବ । ବିଜୁଳି, ଘଡ଼ଘଡ଼ିର ପ୍ରକୋପ ଦେଖିବାକୁ ମିଳିବ । କିଛି ସ୍ଥାନରେ କୁଆପଥର ମାଡ଼ର ବି ଆଶଙ୍କା ଅଛି ।
ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାର ତାଣ୍ଡବ ରଚାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ କେନ୍ଦ୍ର ପକ୍ଷରୁ ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀର ପ୍ରଭାବରେ ୮ଟି ଜିଲ୍ଲାରେ ସର୍ବାଧିକ ଅନୁଭୂତ ହୋଇପାରେ । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଢେ଼ଙ୍କାନାଳ । ଏସବୁ ସ୍ଥାନରେ ବର୍ଷା ସହ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଆଦି ଜିଲ୍ଲାରେ କିଛି ସ୍ଥାନରେ କୁଆପଥର ବର୍ଷା ହେବ । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୨ ତାରିଖରେ ବି କାଳବୈଶାଖୀ ପ୍ରଭାବରୁ ମୁକ୍ତି ମିଳବନି । ତେବେ ସେଦିନ ପୂରା ଓଡ଼ିଶା ନୁହେଁ, ନିର୍ଦ୍ଧିଷ୍ଟ ଭାବେ ୭ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଗଞ୍ଜାମ, କନ୍ଧମାଳ, କୋରାପୁଟ ୨୩ ତାରିଖରେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ଓ ୨୪ ତାରିଖ ଆଡ଼କୁ ପୁଣି କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି । ଓଡ଼ିଶାରେ ଲଗାତର ଭାବେ କାଳବୈଶାଖୀ ହେବାର ପୂର୍ବାନୁମାନ କରାଯାଉଥିବା ବେଳେ ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେ ନେଇ ଏ ଯାଏ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହା ଜଣାପଡ଼ିବ ବୋଲି କୁହାଯାଉଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଆଜି ଠାରୁ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରାରେ ଗୋଟିଏ ଡିଗ୍ରି କମିବ ଓ ମାସ ଶେଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । କିନ୍ତୁ ୨୫ ଓ ୨୬ ତାରିଖରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ୧ ରୁ ୨ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୮ ଓ ୨୯ ତାରିଖରେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ମେ ପ୍ରଥମ ସପ୍ତାହ ବେଳକୁ ଦେଶର ପୂର୍ବ ଉପକୂଳ ଓ ସଂଲଗ୍ନ ବଙ୍ଗୋପସାଗରରେ ପାଗ ମେଘୁଆ ରହିବା ସହ ତାପମାତ୍ରା କମ୍ ରହିବ ।


