କାଳବୈଶାଖୀ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ୁଛି । ରାଜ୍ୟର ୩ଟି ସହର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୪୨ ଡିଗ୍ରୀ ପାର ହୋଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ଥିବାରୁ ତାପମାତ୍ରା ଅପରିବର୍ତ୍ତିତ ରହିବ । ଅନ୍ୟ ପଟେ ୧୦ ତାରିଖରେ ବଡ଼ ଧରଣର କାଳବୈଶାଖୀ ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏହା ଜନିତ କ୍ଷୟକ୍ଷତି ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାଗୁଡ଼ିକୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ଏହି ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବ ଓ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲା କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ୧୦ ତାରିଖ ଦିନ କିନ୍ତୁ ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀର ବିତ୍ପାତ ଦେଖିବାକୁ ମିଳିବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେ଼ଙ୍କାନାଳ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି ପର୍ଯ୍ୟନ୍ତ ପହଞ୍ଚିବ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ବି ଆଶଙ୍କା ରହିଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ଏହି ୭ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୭ଟି ଜିଲ୍ଲା ବ୍ୟତୀତ ୧୦ ତାରିଖ ଦିନ, ଉପକୂଳ ଓଡ଼ିଶା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ ।