କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ -ନବୀନ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ରାଜ୍ୟରେ ୪୦ ଲକ୍ଷ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ଜିଏସଟି ଦ୍ୱାରା ଲୋକମାନେ ରୋଜଗାର ହରାଇଛନ୍ତି । ଚାଷୀଙ୍କ ପାଇଁ ବିଜେପି ସରକାର କିଛି କରି ନାହାନ୍ତି । ସେଥିପାଇଁ ସବୁ ନିର୍ବାଚନରେ ବିଜେପି ହାରୁଛି । ନିର୍ବାଚନ ବେଳେ ବିଜେପିର ବଡ ବଡ ନେତା ମାନେ ଓଡିଶା ଆସୁଛନ୍ତି । ମାତ୍ର ବନ୍ୟା, ବାତ୍ୟା ସମୟରେ କେହି ଦେଖା ଦେଉନାହାନ୍ତି । ଏବେ ନିର୍ବାଚନ ପ୍ରଚାରରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡିଶାର ସାଢେ ଚାରି କୋଟି ଲୋକ ମୋ ପରିବାର ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ ବନ୍ତ ହାଟ ପଡିଆ ଠାରେ ଆୟୋଜିତ ବିଶାଳ ନିର୍ବାଚନୀ ସଭାରେ ଯୋଗ ଦେଇ ଉପସ୍ଥିତ ଲୋକ ମାନଙ୍କୁ କହିଥିଲେ । ସେହିପରି ଭଦ୍ରକ ଲୋକସଭା ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ ଆର୍ଶିବାଦ କରିବା ସହିତ ଆଗାମୀ ନିର୍ବାଚନରେ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ସେହିପରି ଲୋକସଭା ପ୍ରାର୍ଥୀନୀ ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ରାଜ୍ୟରେ ନବୀନ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଆଲୋକପାତ କରିବା ସହ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କ ମଞ୍ଚ ପରିଚାଳନାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ରଥ ଦାସ, ବରିଷ୍ଠ ବିଜେଡି ନେତା ସୁଧାକର ନନ୍ଦ, ରାଜ୍ୟ ବିଜେଡି ସଂପାଦିକା ସୁଜାତା ଜେନା, ବ୍ଲକ ବିଜେଡି ସଂପାଦକ ସୁବାଷ ଦାସ, ଭଣ୍ଡାରିପୋଖରୀ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ନାୟକ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ଆଇନଜୀବି ମାଧବାନନ୍ଦ ଦାସ, ଜଇନୁଲ ଆବେଦିନ୍, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିବା ସହ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ସରପଞ୍ଚ ନିହାରିକା ରାଉତ,ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ଜିତେନ୍ଦ୍ର ନାୟକ, କୃପାସିନ୍ଧୁ ସେଠୀ, ପ୍ରଶାନ୍ତ ସାହୁ, କୁନା ସାହୁ, ରବିନ୍ଦ୍ର ସେଠୀ, ପ୍ରବୀର ରାଉତ, ଶକ୍ତିଧର ରାଉତ, ମନ୍ମଥ ବେହେରା, ନବ କିଶୋର ଜେନା, ହେମନ୍ତ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ । ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଦେଖିବା ପାଇଁ ହେଲିପ୍ୟାଡ୍ ନିକଟରେ ଲୋକାରଣ୍ୟ ହୋଇଥିଲା । ହେଲିପ୍ୟାଡ୍ଟି ସଭା ମଞ୍ଚ ନିକଟରେ ନିର୍ମାଣ ହୋଇଥିବାରୁ ଧୂଳି ଝଡରେ ଲୋକ ମାନେ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ମଞ୍ଚ ଦୋହଲିବା ସହ ଲଗା ଯାଇଥିବା ବ୍ୟାନର ଖସି ପଡିଥିବାର ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ହେଲିପ୍ୟାଡରୁ ସଭା ମଞ୍ଚକୁ ଆସିବା ପରେ ପ୍ରଥମେ ଜୟ ଜଗନ୍ନାଥ କହିବା ସହ ପ୍ରବଳ ଖରାରେ ଆସିଥିବା ଲୋକ ମାନଙ୍କୁ ଧନ୍ୟବାଦ ଦେବା ପରେ ଖୁସି ଅଛନ୍ତି କି ନାହିଁ ପଚାରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମ ସରିବା ପରେ ଆଗରପଡା-ବନ୍ତ ରାସ୍ତା ସଂପୂର୍ଣ୍ଣ ଭିଡ ରହିଥିଲା । କିଛି ସମୟ ଧରି ଲୋକ ମାନେ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ଯାନବାହନ ଗୁଡିକ ଅଟକି ରହିଥିଲା ।