କାଳିଆ ଯୋଜନାରେ ନାମ ଆବେଦନ ପାଇଁ ଜନସେବା କେନ୍ଦ୍ର ରେ ଲାଞ୍ଚ ଅଭିଯୋଗ
ବେଲଗୁଣ୍ଠା,( ଶିବରାମ ଚୌଧୁରୀ): ସରକାର ଚାଷୀ ଓ ଭାଗ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରି ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ଯୋଗାଇ ଦେଇଥିଲେ । କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ସ୍ଥାନ ପାଇଥିବା ବେଳେ ବହୁ ଯୋଗ୍ୟ ଚାଷୀ ଓ ଭାଗ ଚାଷୀ ଏଥିରୁ ବାଦ୍ ପଡିଥିଲେ ।ସାଧାରଣ ନିର୍ବାଚନ ଥିବାରୁ କିଛି ମାସ ପାଇଁ ଏହି ଯୋଜନା ଅଟକି ଯାଇଥିଲା ।ନିର୍ବାଚନ ସରିବା ପରେ ବାଦ୍ ପଡିଥିବା ହିତାଧିକାରୀ ଓ ପ୍ରଥମ କିସ୍ତିରେ ଉପକୃତ ହୋଇଥିବା କିଛି ଚାଷୀ ବୈଷୟିକ ତୃଟି ଯୋଗୁଁ ତାଲିକାରୁ ବାଦ୍ ପଡି ଥିବା ବେଳେ ଏମାନଙ୍କୁ ପୁଣି ଆବେଦନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ବିପିଏଲ କାର୍ଡ ,ରାସନ କାର୍ଡ ଓ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଆବେଦନ ପାଇଁ ବାଧ୍ୟତାମୂଳକ ଥିବା ବେଳେ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ଏହା ପରେ ଜନ ସେବା କେନ୍ଦ୍ର ମାନଙ୍କ ଭାଉ ବଢ଼ି ଯାଇଥିଲା ।ଯୋଗ୍ୟତା ଥିବା ହିତାଧିକାରୀଙ୍କୁ ମଧ୍ୟ ଆବେଦନ କରିପାରିବେ ନାହିଁ ବୋଲି କହି ଜଣ ପିଛା ୧୦୦ରୁ ୨୦୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା ।ଗୋବରା ଜନସେବା କେନ୍ଦ୍ର କୁ ଗୋବରା ର କ୍ଷୁଦ୍ର ଚାଷୀ ନିଳାମ୍ବର ସାହୁ କାଳିଆ ଯୋଜନାରେ ଆବେଦନ କରିବା ପାଇଁ ଜନସେବା କେନ୍ଦ୍ର କୁ ଯାଇଥିଲେ ।ଗୋବରା ଜନସେବା କେନ୍ଦ୍ର ର କର୍ମଚାରୀ ତମର ଠିକ୍ କାଗଜ ପତ୍ର ନ ଥିବାରୁ ୧୫୦ ଟଙ୍କା ଦେବା ପାଇଁ ପଡିବ ବୋଲି ଉତ୍କୋଚ ମାଗିଥିଲେ ।ପରେ ଯୁକ୍ତି ତର୍କ ହେବା ପରେ ୧୦୦ଟଙ୍କା ନେଇ ଆବେଦନ କରିଥିଲେ ।ଏହାପରେ ନିଳାମ୍ବର ତନରଡା ଠାରେ ଥିବା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟକୁ ଯୋଜନା ବିଷୟରେ ଜାଣିବା ପାଇଁ ଯାଇଥିଲେ ।ଦୁଇ ତିନି ଦିନ ଯାଇଥିଲେ ମଧ୍ୟ କୃଷି ଅଧିକାରୀ ବାସୁଦେବ ସାହୁ ଙ୍କୁ ଦେଖା ନ କରି ପାରି ଏ ନେଇ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି ।କୃଷି ଅଧିକାରୀ ଙ୍କ ସହ ଫୋନ୍ ଯୋଗୁଁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ।ଫୋନ୍ ଉଠାଇ ନଥିଲେ ।ଏହିପରି ଅଞ୍ଚଳରେ ବହୁ ଜନସେବା କେନ୍ଦ୍ର ବିଭିନ୍ନ ଉପାୟରେ ଲୋକଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗ ହୋଇଆସୁଛି ।ଏ ନେଇ ପ୍ରଶାସନ ତଦନ୍ତ କରି ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।


