କାଳିଆ ଯୋଜନା ବିଷୟରେ ବୁଝି ପାରୁନି ଚାଷୀ
ନାଉଗାଁ,(ଯୁଗାଦ୍ଦ ନ୍ୟୁଜ) : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ଆର୍ôଥକ ବର୍ଷରେ ପ୍ରଣୟନ କରାଯାଇଛି କାଳିଆ ଯୋଜନା । ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର, ନାମକୁମାତ୍ର ଓ ଭୂମିହିନ ଚାଷୀ ଉପକୃତ ହୋଇପାରିବେ । ଏପରିକି କୌଣସି ବଡ ଚାଷୀ ମଧ୍ୟ ଏହି ଯୋଜନା ମାଧ୍ୟମରେ ଋଣ କରିବାର ସୁବିଧା ମଧ୍ୟ ରହିଛି । କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କର ହେଉଥିବା ଫସଲ ହାନି କୁ ଏହି ଯୋଜନା ମାଧ୍ୟମରେ ସେମାନେ ଭରଣ କରି ପାରିବେ । ସେଥିପାଇଁ ନାମକୁମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ପାଂଚ କିସ୍ତିରେ ୨୫ ହଜାର, ଭୁମିହିନ ମାନଙ୍କୁ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ପାଇ ପାରିବେ । ଏହି ଯୋଜନା ପ୍ରଣୟନ ହେବା ପରେ ନାଉଗାଁ ବ୍ଳକର ଚାଷୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା । ଏପରିକି ପର୍ଯ୍ୟାୟ କ୍ରମେ ଚାଷୀମାନେ ପଂଚାୟତ କାର୍ଯ୍ୟାଳୟରେ ନିଜର ଆବଶ୍ୟକୀୟ ପ୍ରମାଣପତ୍ର ମାଧ୍ୟମରେ ଆବେଦନ କରିଥିଲେ । ପର୍ଯ୍ୟାୟ ଅନୁସାରେ ୱେବସାଇଡରେ ଚାଷୀଙ୍କର ନାମ ତାଲିକାରେ ପ୍ରକାଶ ପାଇବା ସହିତ ପଂଚାୟତ କାର୍ଯ୍ୟାଳୟ ଓ କୃଷି ସମବାୟ ସମିତି କାନ୍ଥରେ ଆଦିରେ ଚାଷୀଙ୍କର ତାଲିକା ପ୍ରଦର୍ଶିତ କରାଗଲା । କିନ୍ତୁ ତାଲିକାରେ ଚାଷୀଙ୍କ ନାମ ରହିଥିବା ବେଳେ ଏହି ବ୍ଳକର ଅନେକ ଚାଷୀ ଏହି ଯୋଜନା ମାଧ୍ୟମରେ ଆର୍ଥୀକ ସହାୟତା ପାଇ ନଥିବା ଅଭିଯୋଗ ହୋଇଛି । ଏପରିକି ପ୍ରଥମ ପର୍ଯ୍ୟାୟ ତାଲିକାରେ ନାମ ଥିବା ଚାଷୀଙ୍କ ଜମା ଖାତାକୁ ଏପର୍ଯ୍ୟନ୍ତ ଟଙ୍କା ଆସି ନଥିବା ବେଳେ ଶେଷ ପର୍ଯ୍ୟାୟରେ ଆବେଦନ କରିଥିବା ଚାଷୀ ମାନେ ଅର୍ଥ ପାଇ ସାରିଲେଣି । ସବୁଠାରୁ ବଡ କଥା ହେଲା ଏହି ବ୍ଳକରେ ଅନେକ ପରିବାରରେ ସ୍ୱାମୀ,ସ୍ତ୍ରୀ,ପୁଅ,ଝିଅ ଟଙ୍କା ପାଇଥିବାର ନଜିର ମଧ୍ୟ ରହିଛି । ଏହି ଚାଷୀଙ୍କ ତାଲିକା କିଏ ପ୍ରଦାନ କରିଛି ତାହା ସଠିକ ତଥ୍ୟ ଚାଷୀମାନେ ଜାଣି ପାରୁ ନାହାନ୍ତି । ଆବେଦନ କରିବା ସମୟରେ ସମବାୟ ସମିତି, ପଂଚାୟତ ଓ କୃଷି, ପଶୁ ନିରୀକ୍ଷକ ଆଦି କାର୍ଯ୍ୟାଳୟ ଅଧିକାରୀ ମାନେ ଉପସ୍ଥିତ ରହି ଆବେଦନ ପତ୍ର ଗ୍ରହଣ କରୁଥିଲେ । କିନ୍ତୁ ବର୍ତମାନ ଚାଷୀ କେଉଁ ସ୍ଥାନରୁ ସଠିକ ତଥ୍ୟ ପାଇବ ତାହା ଜାଣି ପାରୁ ନାହିଁ । କୃଷି କାର୍ଯ୍ୟାଳୟ ପାଖରେ ଚାଷୀଙ୍କ ତାଲିକା ନଥିବା ବେଳେ ସମବାୟ ସମିତି ଓ ପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ଚାଷୀମାନେ ନିଜ ନାମ କାଳିଆ ଯୋଜନା ତାଲିକାରେ ଅଛି କି ନାହିଁ ତାହା ଜାଣି ପାରୁନାହାନ୍ତି । ଏ ସଂକ୍ରାନ୍ତରେ ସଠିକ ତଥ୍ୟ ଜାଣିବା ପାଇଁ ଅଲଣା ପଂଚାୟତର କେତେକ ଚାଷୀ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିବା ବେଳେ କୃଷି ବିଭାଗ ପାଖରେ ଏହି ତଥ୍ୟ ନାହିଁ ବୋଲି ସେମାନେ ରୋକ ଠୋକ ମନା କରିଦେଇଛନ୍ତି । ପରେ ଚାଷୀ ପଙ୍କଜ କୁମାର ଦାସ, ଅଭୟ କୁମାର ଦାସ, ପ୍ରଭାତ କୁମାର ଦାସ, ଘନ ଶ୍ୟାମ ସାହୁ, ଅକ୍ଷୟ କୁମାର ଦାସ, ମନୋଜ କୁମାର ଦାସ, ଶକ୍ତି ପ୍ରସାଦ ଦାସ, ତ୍ରିଲୋଚନ ମହାରଣା, ଦିଲ୍ଲିପ କୁମାର ସାହୁ, ଅନିଲ ଜେନା ଇତ୍ୟାଦି ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଯୋଜନାରେ ପଂଜିକୃତ ଚାଷୀମାନଙ୍କ ନାମକୁ ବାଦ କରାଯାଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ତେଣୁ ଏହାକୁ ତଦନ୍ତ କରି ପ୍ରକୃତ ଚାଷୀଙ୍କୁ କାଳିଆ ଅର୍ଥ ପ୍ରଦାନ କରିବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।


