କାଳ ବୈଶାଖୀରେ ଉଜୁଡିଲା ମୁଗ ଫସଲ ଞ୍ଚଚାଷୀକୂଳ ଦୁର୍ଦ୍ଦଶାରେ
ନାଉଗାଁ (ଓ୍ବାଇଏନ୍ଏସ୍): କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ସାରା ଦେଶରେ ଲକ ଡାଉନ ହୋଇଥିବାରୁ ଲୋକମାନେ ଘରୁ ବାହାରି ପାରୁ ନ ଥିଲେ । ସରକାରଙ୍କ ପକ୍ଷରୁ ଚାଷ କାର୍ଯ୍ୟ ଉପରେ ନିୟମ କୋହଳ ହେବାରୁ ଲୋକମାନେ ଘରୁ ବାହାରି ମୁଗ ଅମଳ ଆରମ୍ଭ କରୁଥିଲେ । ହେଲେ କାଳ ବୈଶାଖୀ ଘଡଘଡି ସହିତ ପ୍ରବଳ ବର୍ଷା ସେମାନଙ୍କ ମୁଗ ଫସଲ ଉଜାଡି ଦେଲା । ଏବେ ବିଲରେ ଆଣ୍ଠୁଏ ପାଣିରେ ମୁଗ ଗଛ ଭାସୁଥିବା ବେଳେ ଚାଷୀ ପାଣିରୁ ମୁଗ ଗଛ ଛାଣୁଥିବା ଦେଖାଯାଇଛି । ଚଳିତ ବର୍ଷ ଗୋଟିଏ ପଟେ କରୋନା ଭୁତାଣୁ ଯୋଗୁଁ ଚାଷୀକୂଳ ଭାଙ୍ଗି ପଡିଥିବା ବେଳେ ଟିକେ ମାତ୍ର ଆଶା କରିଥିବା ମୁଗ ଫସଲକୁ କାଳ ବୈଶାଖୀ ପୋଛି ନେବା ଦ୍ୱାରା ଚାଷୀ ଏବେ ଚିନ୍ତାରେ ପଡିଛି । ଏହି କାଳ ବୈଶାଖୀ ସେମାନଙ୍କର ଏକ ପ୍ରକାର ମେରୁଦଣ୍ଡ ଭାଙ୍ଗି ଦେଇଥିବା କୁହାଯାଉଛି । ଏହି କାଳ ବୈଶାଖୀରେ ୧୬ଟି ପଂଚାୟତର ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଏମିତିକି ଅନେକ ପଂଚାୟତରେ ମୁଗ ଗଛ ପାଣିରେ ଭାସୁଛି ତ ଆଉ କେଉଁଠି ମୁଗ ପାଣିରେ ରହି ଗଜା ହୋଇଥିବା ଦେଖାଯାଉଛି । ଉକ୍ତ ଅଂଚଳରେ ହୋଇଥିବା ମୁଗ ଫସଲର କ୍ଷୟକ୍ଷତିକୁ ପ୍ରଶାସନ ଆକଳନ କରି କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଦେବା ପାଇଁ ଦାବୀ ହେଉଛି ।


