କାଶୀନଗରରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ, ବିଏସ୍ଏନ୍ଏଲ୍ ସେବା ବ୍ୟାହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଓ ଏନ୍ଏସିରେ ବିଏସ୍ଏନ୍ଏଲ୍ ସେବା ବ୍ୟାହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର, ହାଡୁଭାଙ୍ଗି ଓ ଖାଣ୍ଡବା ଏକ୍ସଚେଂଜ ସହ ସଂଲଗ୍ନ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ କହିବା ମୁତାବକ ଉଲ୍ଲିଖିତ ଏକ୍ସଚେଂଜ୍ ଗୁଡିକ ଲକ୍ଷାଧିକ ଟଙ୍କାର ବକେୟା ବିଲ୍ ପୈଠ ନକରିବା କାରଣରୁ ବାଧ୍ୟ ହୋଇ ସୋମବାର ଅପରାହ୍ନରେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା । ଏହାର ପ୍ରଭାବ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଟ୍ରେଜେରି ଓ ଜନସାଧାରଣଙ୍କ ଦୈନନ୍ଦିନ କାର୍ଯ୍ୟ ଉପରେ ପଡିଛି । ବ୍ୟାଟେରି ଯୋଗେ କିଛି ସମୟ ଚାଲିବା ପରେ ଉକ୍ତ ଏକ୍ସଚେଂଜ୍ଗୁଡିକ ଆଉ ସେବା ଯୋଗାଇବାକୁ ସକ୍ଷମ ହୋଇ ରହି ନାହାନ୍ତି । ଅନ୍ୟ ପକ୍ଷରେ ଯଦି ବିଏସ୍ଏନ୍ଏଲ୍ ସେବା ମାସ ଶେଷ ସୁଦ୍ଧା ପୁନଃ କାର୍ଯ୍ୟକ୍ଷମ ନହୁଏ ତେବେ କର୍ମଚାରୀଙ୍କ ଦରମା, ଆବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ପ୍ରଭୃତି ଆଗାମୀ ୧ ତାରିଖରେ କିପରି ହୋଇ ପାରିବ ବୋଲି ପ୍ରଶ୍ନ ଉଠିଛି । ବ୍ୟବସାୟୀମାନେ ବି ଏହାଦ୍ୱାରା ସଙ୍କଟରେ ସମ୍ମୁଖୀନ ହେବେ ବୋଲି ମତ ପ୍ରକାଶ ପାଇଥିବା ବେଳେ ଟେଲି କମ୍ୟୁନିକେସନ୍ ଜେ.ଇ ଫୋନ୍ ଉଠାଉ ନଥିବାରୁ ତାଙ୍କ ପ୍ରତିକ୍ରିୟା ଜଣା ପଡିନାହିଁ । ତୁରନ୍ତ ସମାଧାନର ପନ୍ଥା ବାହାର କରି, ବିଏସ୍ଏନ୍ଏଲ୍ ସେବା ପୁନଶ୍ଚ ଯେପରି ଲୋକଙ୍କୁ ଶୀଘ୍ର ଯୋଗାଇ ଦିଆଯାଇ ପାରିବ ସେ ଦିଗରେ ସଂପୃକ୍ତ ବିଭାଗ ଅନୁକୂଳ ପଦକ୍ଷେପ ନେବାକୁ ଦାବି ହୋଇଛି ।


