କାଶୀନଗରରେ ହାତୀଙ୍କ ଉପଦ୍ରଵ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଅଲଡା, କୋଲା, ହରିପୁର, କରଣିଭଦ୍ରା ଆଦି ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଧାନ ଅମଳ ସମୟ ।ଏପଟେ ଦୁଇଟି ହାତୀ ଆସି ପାଚିଲା ଧାନ ଖାଇବା ସହିତ ଦଳି ଚକଟି ନଷ୍ଟ କରୁଥିବା ବେଳେ, ସ୍ଥାନୀୟ ଲୋକଙ୍କ ହୋହାଲ୍ଲା ଅସହଯୋଗ ଯୋଗୁଁ ହାତୀମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ନାକେଦମ୍ ହେଉଛନ୍ତି ।ଆଖି ଆଗରେ ବର୍ଷ ଯାକର ପରିଶ୍ରମ ବୃଥା ହୋଇଯାଉଥିବା, କ୍ଷେତ ଉଜାଡି ଯାଉଥିବା ଦେଖି ଚାଷୀ ଓ ସ୍ଥାନୀୟ ଲୋକମାନେ ହାତୀ ଘଉଡ଼ାଇବାକୁ ବାଜା ବଜାଇ, ବାଣ ଫୁଟାଇ, ସ୍ଥାନୀୟ ପନ୍ଥା ଆପଣେଇ ଥିବା ବେଳେ ଏସବୁ ଯୋଗୁଁ ହାତୀମାନେ ଭୟଭୀତ ହୋଇ ଅଧିକ ନଷ୍ଟ କରୁଛନ୍ତି । ହାତୀ ବୁଲୁଥିବା ସ୍ଥାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବନ୍ଦ କରାଯାଉଥିବା ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି । ଅନ୍ୟ ପଟେ ବନ ବିଭାଗ କର୍ମଚାରୀ ମାନେ ହାତୀଙ୍କ ସୁରକ୍ଷା ପାଇଁ ଦିନରାତି ସଜାଗ ରହି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କାଶୀନଗର ବନାଞ୍ଚଳ ଅଧିକାରୀ ସୁଧୀର କୁମାର ବେହେରା କହିଛନ୍ତି ।


