କାଶୀନଗର ତହସିଲଦାରଙ୍କ ଗୋଡତଳେ ନେହୁରା ହେଲେ ମହିଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର କାଶୀନଗର ତହସିଲଦାରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଏହି ତହସିଲର ଜଣେ ମହିଳା ଏଆରଆଇ ତହସିଲଦାରଙ୍କ ଗୋଡତଳେ ନେହୁରା ହୋଇ ନିଜ ବିରୁଦ୍ଧରେ ତହସିଲଦାରଙ୍କ ଦୃର୍ବ୍ୟବହାରର ପ୍ରତିବାଦ ଜଣାଇଛନ୍ତି । ନ୍ୟାୟ ପାଇଁ ସଂପୃକ୍ତ ମହିଳା ଏଆରଆଇ ଗଜପତି ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର କାଶୀନଗର ତହସିଲର ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁ ରାଣୀପେଣ୍ଠ ରାଜସ୍ୱ ମଣ୍ଡଳର ସହକାରୀ ରାଜସ୍ୱ ନିରୀକ୍ଷକା ସରସ୍ୱତୀ ନାୟକଙ୍କୁ ଦୃର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ସମ୍ପୃକ୍ତ ସହକାରୀ ରାଜସ୍ୱ ନିରୀକ୍ଷକା ଅଭିଯୋଗ କରିଛନ୍ତି । ଏହି ଦୃର୍ବ୍ୟବହାରରେ ସମ୍ପୃକ୍ତ ସହକାରୀ ରାଜସ୍ୱ ନିରୀକ୍ଷକା ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ତହସିଲଦାରଙ୍କୁ ଏଭଳି ଦୃର୍ବ୍ୟବହାର ପ୍ରତିବାଦ କରିଥିଲେ । ତଥାପି ତହସିଲଦାର ସମ୍ପୃକ୍ତ ସହକାରୀ ରାଜସ୍ୱ ନିରୀକ୍ଷକାଙ୍କ ନିବେଦନକୁ ଭୃକ୍ଷେପ ନ କରିବା ଯୋଗୁଁ ତହସିଲଦାରଙ୍କ ଗୋଡତଳେ ପଡି ମହିଳା ଏଆରଆଇ ଜଣକ ନେହୁରା ହୋଇ ଅନୁରୋଧ କରିଥିଲେ ମୋତେ ଏପରି କାହିଁକି ହଇରାଣ କରୁଛନ୍ତି । ମୋ ହୃଦୟକୁ ବାଧିବା ଭଳି ଦୃର୍ବ୍ୟବହାର କରିବା ସହ ଆପତ୍ତିଜନକ କଥା ମୋ ବିରୁଦ୍ଧରେ କହୁଛନ୍ତି କାହିଁକି ? ତହସିଲଦାରଙ୍କୁ ନେହୁରା ହେବା ପରେ ମଧ୍ୟ ସମ୍ପୃକ୍ତ ସହକାରୀ ରାଜସ୍ୱ ନିରୀକ୍ଷକାଙ୍କୁ କାଶୀନଗର ତହସିଲଦାର ଉଚିତ ନ୍ୟାୟ ନ ଦେବାରୁ ପରିଶେଷରେ ଗତକାଲି ଗଜପତି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇ ନ୍ୟାୟ ଭିକ୍ଷା କରିଛନ୍ତି ସମ୍ପୃକ୍ତ ସହକାରୀ ରାଜସ୍ୱ ନିରୀକ୍ଷକା । ଏହି ଘଟଣା ଓ ମହିଳା ଏଆରଆଇ ନେହୁରା ହୋଇଥିବା ଭିଡିଓର ଭାଇରାଲ ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।