କାଶୀନଗର ବ୍ଲକରେ ବିହନ ଓ ସାର ନପାଇ ଚାଷୀ ହନ୍ତସନ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଏକ କୃଷିପ୍ରଧାନ ବ୍ଲକ ଅଟେ । ଏ ଅଞ୍ଚଳରେ ଅଧିକାଂଶ ଲୋକ ପେଟପାଟଣା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଚାଷୀଙ୍କ ସକାଶେ ଯେଉଁ ଉନ୍ନତମାନର ବିହନ, ସାର ଓ ଅନ୍ୟାନ୍ୟ ଉପକରଣ ଆବଶ୍ୟକତା, ସେସବୁ ସୁବିଧାରେ ଓ ରିହାତି ଦରରେ ଚାଷୀଙ୍କୁ ମିଳେ ନାହିଁ । ଚଳିତ ବର୍ଷର ଧାନ ଚାଷ ପାଇଁ ରିହାତିରେ ଭଲ ବିହନ ମିଳିନଥିବା ବେଳେ ସାର ଅଭାବରେ ଚାଷୀମାନେ ହନ୍ତସନ୍ତ ହୋଇଛନ୍ତି । ଯେତେବେଳେ ପ୍ରାୟ ୨୦୦୦ବସ୍ତା ୟୁରିଆର ଆବଶ୍ୟକତା ଥିଲା ସେତେବେଳେ କାଶୀନଗର କୃଷି ସମବାୟ ସମିତିକୁ ମାତ୍ର ୬୫୦ ବସ୍ତା ଆସିଥିଲା । ଫଳରେ ବହୁ ଚାଷୀ ସାର ପାଇବାରୁ ବଂଚିତ ହେଲେ । ସେହିପରି ଜମିରେ ପଟାସ ସାର ପକାଇବା ସମୟ ଅତିକ୍ରାନ୍ତ ହୋଇଯିବାପରେ ବି ଉକ୍ତ ସାରରର ଷ୍ଟକ ଏପର୍ଯ୍ୟନ୍ତ ପହଁଚିଲା ନାହିଁ । ନିରୁପାୟ ଚାଷୀମାନେ ତେଣୁ ନିକଟସ୍ଥ ଆନ୍ଧ୍ର କଳାବଜାରରୁ ବହୁ ଅଧିକ ମୂଲ୍ୟ ଦେଇ ତଥା ବସ୍ତା ପିଛା ୧୬୦୦ଟଙ୍କା ଦେଇ ପଟାସ କିଣିଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ଆବଶ୍ୟକ ପରିମାଣର ସାର ଯୋଗାଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ସ୍ଥାନୀୟ କେତେକ ବିଜେଡି ନେତା ମତ ଦେଇଥିବା ବେଳେ, କାଶୀନଗର ରଇତ ସଂଘର ସଭାପତି ପ୍ରଶାନ୍ତ ମିଶ୍ର କହିଛନ୍ତି ଯେ, “ଚାଷ ଅଛି ଯାହାର କି ଆନନ୍ଦ ତାହାର” କଥାଟି ବଦଳି ଯାଇ “ଚାଷ ଅଛି ଯହାର, ବଡ ଦୁଃଖ ତାହାର”ରେ ପରିଣତ ହୋଇଛି । ଅନ୍ନଦାତା ଚାଷୀମାନେ ଜୀବନ ଜୀବିକା ସହ ରାଜନୀତି ଖେଳ ନ ଖେଲି ସେମାନେ ସୁବିଧାରେ ରିହାତ ଦରରେ ଚାଷ ପାଇଁ ଆବଶ୍ୟକ ଜିନିଷ ଯେପରି ପାଇ ପାରିବେ ସେ ଦିଗରେ ଶାସନ ଓ ପ୍ରଶାସନ ପଦକ୍ଷେପ ନେବା ଉଚିତ ବୋଲି କାଶୀନଗର ବ୍ଲକ ଚାଷୀକୂଳରେ ମତ ପ୍ରକାଶ ପାଇଛି ।