କାହାକୁ କହିବନି
ସୁବାସ କୁମାର ତାରଣିଆଁ
ପ୍ରାୟ ୧୦ ବର୍ଷ ତଳେ ଜଣେ ବରିଷ୍ଠ ନାଗରିକ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ତଥା ସ୍ତମ୍ଭକାର ତାଙ୍କର କିଛି ଲେଖା ନେଇ ମୋ ପାଖକୁ ଡ଼ିଟିପି କରିବାକୁ ଆସିଥିଲେ । ଯେହେତୁ ସେ ଜଣେ ବରିଷ୍ଠ ନାଗରିକ ଥିଲେ, ସେଥିପାଇଁ ତାଙ୍କ ଲେଖାଟି ମୁଁ ଆଗ ଡ଼ିଟିପି କରିଦେଇ, ପରେ ଅନ୍ୟମାନଙ୍କ କାମ କରିଥିଲି । ମୋ କାମରେ ସେ ଖୁସି ଜାହିର କରିଥିଲେ ଏବଂ ସେହିଦିନ ଠାରୁ ଅଧିକାଂଶ ସମୟ ମୋ ପାଖକୁ ତାଙ୍କ ଲେଖା ନେଇ ଆସନ୍ତି, ମୁଁ ମଧ୍ୟ ଠିକ୍ ସମୟରେ ତାଙ୍କର ଡ଼ିଟିପି କରିଦିଏ । ଏଇ ଯିବା ଆସିବା ଭିତରେ ମୁଁ ଜାଣିବାକୁ ପାଇଲି ତାଙ୍କ ଘର ଏବଂ ମୋ ଘର ଜଗତସିଂହପୁର ଜିଲ୍ଲାରେ ଯାହା ପରବର୍ତ୍ତୀ ସମୟରେ ତାଙ୍କ ସହିତ ମୋର ସମ୍ପର୍କ ନିବିଡ଼ ହେବାରେ ଲାଗିଲା । ଏମିତିକି ଯଦି କୌଣସି କାରଣବଶତଃ ତାଙ୍କ ଲେଖା ପାଇଁ ମୋ ପାଖକୁ ନ ଆସିପାରନ୍ତି, ତେବେ ସେ ଫୋନ୍ ମାଧ୍ୟମରେ ମୋତେ ଜଣେଇଦେଲେ ସେ କାମଟିକୁ ମୁଁ କରିଦିଏ । ଦୀର୍ଘ ୧୦ବର୍ଷର ଏହି ସମ୍ପର୍କ ଠିକ୍ଠାକ ଚାଲିଥିଲା । କିନ୍ତୁ କେଉଁଠି ଥିଲା ମହାମାରୀ କରୋନା, ହଠାତ ଓଡ଼ିଶାରେ ପ୍ରବେଶ କରିବା ଫଳରେ ଆମ ସମ୍ପର୍କରେ ଟିକେ ଭଟ୍ଟା ପଡ଼ିବା ଭଳି ଅନୁଭବ କଲି । ମହାମାରୀ କରୋନା ଯୋଗୁ ଦୀର୍ଘ ୯ ମାସ ହେବ ୧୦/୧୫ ଦିନରେ ଥରେ ଆସନ୍ତି ଏବଂ ମୋ ସହ କଥାବାର୍ତ୍ତା ହୋଇ ପୁଣି ଫେରିଯାଆନ୍ତି । କାରଣ କରୋନା ମହାମାରୀ ଯେଉଁଭଳି ତାଣ୍ଡବଲୀଳା ରଚିଚାଲିଛି, ଏଥିରେ ଗରିବ ଖଟିଖିଆଙ୍କ ଠାରୁ ଆରମ୍ଭ କରି ଧନୀ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ । ଭୟଭୀତ ହେବା ବି ସ୍ୱାଭାବିକ । ଏହାକୁ ବିଚାରକୁ ନେଇ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ଠାରୁ ଦୂରେଇ ରହିବା ପାଇଁ ନିଜ ନିଜ ଘରେ ସମୟ ଅତିବାହିତ କଲେ । ବିଶେଷକରି ବରିଷ୍ଠ ନାଗରିକ, ବୃଦ୍ଧ, ବୃଦ୍ଧାମାନଙ୍କୁ ଅଧିକ ସତର୍କ ରହିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଥିଲା । ଏକ ଆକଳନରୁ ଜଣାପଡ଼ିଛି ଯେ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୦୩କୁ ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୬୮କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଥିବା ବେଳେ ରାଜଧୀନ ଭୁବନେଶ୍ୱରରେ ୨୨୩ଜଣଙ୍କ ମୃତ୍ୟୁ ଘଟିଛି । କରୋନାର ଏହି ଭୟବହତା କାରଣରୁ ତାଙ୍କର ଆସିବା ଧୀରେ ଧୀରେ କମିବାରେ ଲାଗିଥିଲା ସତ, କିନ୍ତୁ ପ୍ରତ୍ୟହ ମୋବାଇଲ୍ରେ ଯୋଗାଯୋଗ ରହୁଥାଏ । ସେ ମୋତେ ଫୋନ୍ କରିବା ସମୟରେ ବାରମ୍ବାର ପରାମର୍ଶ ଦେଉଥିଲେ ଯେ, ଦେଖ ସୁବାସ, ତୁମ ପାଖକୁ ବହୁତ ଲୋକ ଆସୁଛନ୍ତି, କାହାକୁ କଣ ହୋଇଥିବ ତୁମେ କିପରି ଜାଣିବ? ସହଜରେ ତ ତୁମ ହେହ ଅଧିକାଂଶ ସମୟ ଭଲ ରୁହେ ନାହିଁ । ତେଣୁ ଟିକେ ସତର୍କ ରହିବ ବୋଲି କହିବା ସହିତ ମୋ ପାଖକୁ କାମ ପାଇଁ ଆସୁଥିବା ତାଙ୍କ ଅତି ପରିଚିତ ଲୋକମାନଙ୍କ ଭଲ ମନ୍ଦ ବିଷୟରେ ପଚାରି ବୁଝୁଥିଲେ । ଏହାରି ମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ତାଙ୍କ ସହିତ ମୋର ଆଉ ଯୋଗାଯୋଗ ହୋଇପାରିନଥିଲା । ଦୀର୍ଘ ଏକମାସ ପରେ ହଠାତ୍ ଦିନେ ତାଙ୍କର ଗୋଟେ କାମ ପାଇଁ ଫୋନ୍ କଲେ । କହିଲେ ଯେ, ମୁଁ ଏଇ କିଛିଦିନ ହେଲା ଘରୁ ବାହାରକୁ ବାହାରୁନି । କାରଣ ମିସେସ୍ (ଧର୍ମପତ୍ନୀ)ଙ୍କ ହେଦ ଟିକେ ଭଲ ନ ଲାଗିବାରୁ ଆମେ ଦୁହେଁ କରୋନା ପରୀକ୍ଷା କରିବା ପାଇଁ ଯାଇଥିଲୁ । ମୋର ନେଗେଟିଭ୍ ବାହାରିଲା କିନ୍ତୁ ମିିସେସ୍ଙ୍କର ପଜେଟିଭ ବାହାରିଲା । ସେଥିପାଇଁ ମୁଁ ସବୁବେଳେ ଘରେ ରହି ମିସେସ୍ଙ୍କ ଯତ୍ନ ନେଉଛି, ଘର କାମରେ ବ୍ୟସ୍ତ ରହୁଛି, ତେଣୁ ମୋ କାମଟି କରିଦେବ । ମୁଁ ହଁ କରିଦେବି ବୋଲି ପ୍ରତିଶ୍ରୁତି ଦେବାରୁ ସେ ପୁଣି କହିଲେ, ଶୁଣ ମିସେସ୍ଙ୍କର କରୋନା ପଜେଟିଭ ବାହାରିଛି ବୋଲି ତୁମେ ‘କାହାକୁ କହିବନି’ । ହଉ ଠିକ୍ ଅଛି, କାହାକୁ କହିବିନି ବୋଲି ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଲି । କରୋନା ମହାମାରୀ ପାଇଁ ଓଡ଼ିଶା ସମେତ ସାରା ଦେଶରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରୁ ମୁକୁଳିବା ଏତେ ସହଜ ବ୍ୟାପାର ନୁହେଁ ।
ଏହିଭଳି ଏକ ଘଡ଼ିସନ୍ଧି ମହୁର୍ତ୍ତରେ ଓଡ଼ିଶାରେ କରୋନା ରୋଗୀଙ୍କୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର କୁତ୍ସାରଟନା କରୁଛନ୍ତି । ପରିସ୍ଥତି ଏମିତି ହୋଇଛି ଯେ, କରୋନା ରୋଗୀଟିଏ ମୃତ୍ୟୁବରଣ କଲେ, କିମ୍ବ ସଂକ୍ରମିତ ହେଲେ ତାର ଭାଇ, ବନ୍ଧୁ, କୁଟୁମ୍ବ, ସାହି, ପଡ଼ିଶା, ପୁଅବୋହୁ, ଏମିତିକି ସ୍ତ୍ରୀ ମଧ୍ୟ ଛୁଇଁବାକୁ ଇଚ୍ଛାପ୍ରକାଶ କରୁନାହାଁନ୍ତି । ନିକଟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ‘କରୋନା ରେଗୀଙ୍କ ଶବକୁ କାନ୍ଧ ଦେବାକୁ କେହି ଆସିଲେ ନାହିଁ, ଗଣମାଧ୍ୟମ ପ୍ରତିନିଧି କଲେ ଶବ ସତ୍କାର’ ଖବର ମଧ୍ୟ ପଢିବାକୁ ମିଳିଥିଲା । ସେହିପରି କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ଗାଁରେ ବାଦ ବିବାଦ ଉପୁଜିଥିବାର ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମହାମାରୀ କରୋନାର ଭୟ ଲୋକମାନଙ୍କୁ ଏପରି ଗ୍ରାସ କରିଛି ଯେ, ସାଧାରଣ ଲୋକଟିଏ ଯଦି ରାସ୍ତାରେ କୌଣସି କାରଣରୁ ଅସୁବିଧାରେ ପଡ଼ିଛି, ତେବେ ତାକୁ ସହାୟତାର ହାତ ବଢାଇବା ବଦଳରେ କରୋନା ଭୟରେ ଜାଣି, ନଜାଣିବାର ଅଭିନୟ କରି ଯିଏ ଯେଝା ବାଟରେ ଚାଲି ଯାଉଛନ୍ତି । ସେହି ଦୃଷ୍ଟିରୁ ବୋଧହୁଏ ବରିଷ୍ଠ ନାଗରିକ ଜଣକ ତାଙ୍କ ଧର୍ମପତ୍ନୀଙ୍କ କରୋନା ପଜେଟିଭ ବିଷୟରେ ‘କାହାକୁ କହିବନି’ ବୋଲି ମୋତେ ଅନୁରୋଧ କରିଥିଲେ । ଏହାର ଠିକ୍ ଅଳ୍ପଦିନ ପରେ ପୁଣି ଗୋଟିଏ ଦୁଃଖଦ ଖବର ଜାଣିବାକୁ ପାଇଲି, ବିଶିଷ୍ଟ ସମାଜସେବୀ ତଥା ଦରଦୀ ମଣିଷଙ୍କ ବନ୍ଧୁ ପ୍ରତାପ ସାହୁ ଯିଏକି ମୋ ପାଖକୁ ପ୍ରତ୍ୟେକ ଦିନ ଆସନ୍ତି, ବହୁ ସମୟ ପର୍ଯ୍ୟନ୍ତ ମୋ ପାଖରେ ସମୟ କଟାନ୍ତି, ତାଙ୍କର ଦେହ ଗୁରୁତର ଏବଂ ସେ ନିଜ ଘର ମହାଙ୍ଗାର ମଣିଜୋରୀରେ ରହି ଚିକିତ୍ସିତ ହେଉଛନ୍ତି । ଏହାପରେ ପ୍ରତାପ ଭାଇଙ୍କ ଆଶୁ ଆରୋଗ୍ୟ କାମନା କରିଥିଲି ଏବଂ ତାଙ୍କ ଅସୁସ୍ଥତା ଖବର ବରିଷ୍ଠ ନାଗରିକଙ୍କୁ ମଧ୍ୟ ଜଣାଇ ଥିଲି । ଯାହା ହେଉ କମ୍ ଦିନରେ ପ୍ରତାପ ଭାଇ ସୁସ୍ଥ ହୋଇ ପୁଣି ଭୁବନେଶ୍ୱର ଫେରିଥିଲେ । ସୁସ୍ଥ ହୋଇ ଭୁବନେଶ୍ୱର ଫେରିବା ପରେ ପ୍ରଥମେ ମୋ ପାଖକୁ ଆସିଥିଲେ । ସେହିଦିନ ମଧ୍ୟାହ୍ନରେ ପ୍ରତାପ ଭାଇ ଓ ମୁଁ ଗୋଟିଏ ହୋଟେଲରେ ଖାଉଥିବା ସମୟରେ ଆମ ପରିଚିତ ଲୋକମାନଙ୍କ ବିଷୟରେ ଆଲୋଚନା ହୋଇଥିଲା । ଯେହେତୁ ପ୍ରତାପ ଭାଇ ଅସୁସ୍ଥତା କାରଣରୁ ବହୁଦିନ ଭୁବନେଶ୍ୱରରେ ଅନୁପସ୍ଥିତ ଥିଲେ, ସେଦିନ ଖାଇବା ସମୟରେ ଆମର ପରିଚିତ ଲୋକମାନଙ୍କ ବିଷୟରେ ଆଲୋଚନା ହେଉଥାଏ । ହଠାତ୍ ପ୍ରତାପ ଭାଇ ମୋତେ କହିଲେ, ସୁବାସ ତୁ ଜାଣିଛୁ ନା ନାହିଁ (ବରିଷ୍ଠ ନାଗରିକ)ଙ୍କ ପତ୍ନୀଙ୍କୁ କରୋନା ହୋଇଛି ବୋଲି । ମୁଁ ଜାଣି ନଜାଣିବା ଭଳି କହିଲି ନା, ଭାଇ ମୁଁ ଜାଣିନି? ଯେହେତୁ ବରିଷ୍ଠ ନାଗରିକ ଜଣକ ମୋତେ ମନା କରିଥିଲେ ‘ କାହାକୁ କହିବନି’ ସେ ଦୃଷ୍ଟିରୁ ମୁଁ ଜାଣି ମଧ୍ୟ ନ ଜାଣିବାର ଅଭିନୟ କରିଥିଲି ପ୍ରତାପ ଭାଇଙ୍କ ପାଖରେ । ଏହାପରେ ଆମେ ମଧ୍ୟାହ୍ନ ଭୋଜନ ସାରି ପୁଣି ମୋ କର୍ମକ୍ଷେତ୍ରକୁ ଫେରିଥିଲୁ ଏବଂ ଦୀର୍ଘ ସମୟ ଆମ ଅତି ପରିଚିତ ଲୋକମାନଙ୍କ ବିଷୟରେ ଆଲୋଚନା କରିଥିଲୁ । ଏହାର ଠିକ୍ ଦୁଇଦିନ ପରେ ଆଉଜଣେ ବଡ଼ଭାଇ ତାଙ୍କ କାମ ନେଇ ମୋ ପାଖକୁ ଆସିଥିଲେ ଏବଂ ବିଭିନ୍ନ ବିଷୟରେ ଆଲୋଚନା ସମୟରେ ସେ ବରିଷ୍ଠ ନାଗରିକ ପତ୍ନୀଙ୍କ କରୋନା ବିଷୟରେ ଜାଣିଛ କି ନାହିଁ ବୋଲି ପଚାରିଥିଲେ । ଯେହେତୁ ବରିଷ୍ଠ ନାଗରିକ ଜଣକ ଅଧିକାଂଶ ସମୟ ମୋ ପାଖକୁ ଆସୁଥିଲେ, ସେ ଦୃଷ୍ଟିରୁ ମୁଁ ତାଙ୍କ ପତ୍ନୀଙ୍କ ବିଷୟରେ ଜାଣିଥିବି ବୋଲି ବଡ଼ଭାଇ ଜଣକ ଭାବି ନେଇଥିଲେ । ମୁଁ କିନ୍ତୁ ପୂର୍ବପରି ଜାଣିନାହିଁ ବୋଲି ବଡ଼ଭାଇଙ୍କୁ କହିଥିଲି । ବଡ଼ଭାଇ ଜଣକ ବରିଷ୍ଠ ନାଗରିକ ଏବଂ ତାଙ୍କ ପତ୍ନୀ ବିଷୟରେ ମୋତେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ତାଙ୍କ କାମ ସାରି ମୋ ଠାରୁ ବିଦାୟ ନେଇଥିଲେ । ଏହା ପରେ ମୋତେ ଆଶ୍ଚର୍ଯ୍ୟ ଲାଗିଥିଲା ଯେ, ଯେଉଁ ଲୋକ ମୋତେ ବାରମ୍ବାର ମନା କରିଥିଲେ (ନିଜ ପତ୍ନୀଙ୍କ କରୋନା ପଜେଟିଭି ବିଷୟରେ) ‘କାହାକୁ କହିବନି’, ଏହା ସତ୍ତ୍ୱେ ପ୍ରତାପ ଭାଇଙ୍କ ଠାରୁ ଆରମ୍ଭ କରି ମୋର ଆଉ ଜଣେ ବଡ଼ ଭାଇ ଜାଣିଲେ କିପରି? ବୋଧହୁଏ ମୋର କେଉଁଠି ଭୁଲ୍ ରହିଗଲା କି । ଏହା ପରେ ମୁଁ ବରିଷ୍ଠ ନାଗରିକଙ୍କୁ ପଚାରିବାରୁ ଜାଣିବାକୁ ପାଇଥିଲି ଯେ, ତାଙ୍କର କିଛି ବିଶ୍ୱସ୍ତ ଲୋକଙ୍କୁ ପତ୍ନୀଙ୍କ ବିଷୟରେ କହିଥିଲେ ଏବଂ ମୋ ଭଳି ସେମାନଙ୍କୁ ମଧ୍ୟ ‘କାହାକୁ କହିବନି’, ବୋଲି କହିଥିଲେ । ଏକଥା ଜାଣି ବି ବରିଷ୍ଠ ନାଗରିକଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଲେଖାଟିରେ ତାଙ୍କ ନାମ ପ୍ରକାଶ କରିନାହିଁ ।
ମୋ : ୮୩୨୮୮୪୦୨୧୪
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର