କାହା ଛତ୍ରଛାୟା ତଳେ ଦୁର୍ନିତିଗ୍ରସ୍ତ ପିଇଓ, ବାରମ୍ବାର ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନାହିଁ

ହାଟଡିହି, (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଗତ କିଛିମାସ ପୁର୍ବରୁ ସୁଲଣ ଓ ସୋସୋ ପଞ୍ଚାୟତର ପିଇଓ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ପରେ ତାହାର ବିଦ୍ଧିବଦ୍ଧ ତଦନ୍ତ କରାଇ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ତାଙ୍କ ନାମରେ ନନ୍ଦିପଦା ଓ ସୋସୋ ଥାନାରେ ଦୁଇ ଦୁଇଟି ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଏବେ କାର୍ଯ୍ୟରତ ଜୈନିକ ପିଇଓ ବିଭିନ୍ନ ପଞ୍ଚାୟତର ଦାୟିତ୍ୱରେ ଥାଇ ଲକ୍ଷଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିଥିଲେ ବି ତାଙ୍କ ବିରୁଦ୍ଧରେ କାହିଁକି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହାର ତଦନ୍ତ କରାଯାଉ ନାହିଁ । ଉକ୍ତ ପିଇଓ ଜଣକ ଗୋଟିଏ ପଞ୍ଚାୟତରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇନେଇଥିବା ନେଇ ଅଭିଯୋଗ ହେବାପରେ ବର୍ତ୍ତମାନର ବିଡିଓ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେବି ସେ ତାକୁ ଗ୍ରହଣ ନକରିବା, ପରେ ବ୍ଲକ ପକ୍ଷରୁ ଡାକଯୋଗେ ନୋଟିସ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ । ସେହିପରି କୋଭିଡ-୧୯ ଭଳି ଦୁର୍ଦିନ ସମୟରେ ସେ ତିନି ତିନୋଟି ପଞ୍ଚାୟତ ଦାୟିତ୍ୱରେ ଥିଲେବି ଗତ ମାର୍ଚ୍ଚ ମାସଠାରୁ ଦୁଇଟି ପଞ୍ଚାୟତକୁ ଯାଇ ନଥିବାବେଳେ ପଞ୍ଚାୟତର ଭଲମନ୍ଦ ସମ୍ପର୍କରେ କିଛି ବୁଝୁ ନାହାନ୍ତି । ଏପରିକି ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡସଭ୍ୟସଭ୍ୟାଙ୍କ ସିଟିଂ ଏଲାଉନସ ମଧ୍ୟ ୬ମାସ ହେଲା ଦେଇ ନାହାନ୍ତି । ସେହିପରି ପଞ୍ଚାୟତର ଟିଏମସି ନିର୍ମାଣ ଲାଗି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଅନୁଦାନ ତାଙ୍କ ଏକାଉଣ୍ଟରେ ଥିଲେ ମଧ୍ୟ ସେ ସେ ଏହାକୁ ସରପଞ୍ଚଙ୍କୁ ପ୍ରଦାନ କରିନଥିବା ନେଇ ସରପଞ୍ଚ ମାନେ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ତେଣୁ ଏପରି ଜଣେ ପିଇଓଙ୍କୁ କିଏ ଓ କାହିଁକି ସୁରକ୍ଷା ଦେଉଛି ତାହାକୁ ନେଇ ତଦନ୍ତ ହେବା ଜରୁରୀ ହୋଇ ପଡିଛି । ଏ ସମ୍ପର୍କରେ ହାଟଡିହି ବ୍ଲକର ବିଡିଓ ଜୟଦେବ ଦାସଙ୍କୁ ପଚାରିବାରେ ସେ ସଂପୃକ୍ତ ପିଇଓଙ୍କୁ ଦୁଇଟି ପଞ୍ଚାୟତରୁ ଅପସାରିତ କରାଯାଇ ସାରିଛି । ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲା ପଞ୍ଚାୟତ ଅଫିସକୁ ଜଣାଇ ଦିଆଯାଇଛି । ତଦନ୍ତ ସରିବାପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ