କାହିଁକି ଅବହେଳିତ ହୋଇ ପଡ଼ିରହିଛି ମ’ ଶାରଳା ମନ୍ଦିରର ପରିବେଶ

ତିର୍ତ୍ତୋଲ,(ଭାଗବତ ପ୍ରସାଦ):ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ଶକ୍ତିପୀଠ ଭାବେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁରସ୍ଥିତ ଝଙ୍କଡ଼ ଶାରଳା ମନ୍ଦିର ର ପରିବେଶ ପ୍ରତି ଦୀର୍ଘ ବର୍ଷ ହେବ ଅବହେଳା କରାଯାଇ ଆସୁଛି !ଯେଉଁ ପୀଠର ପ୍ରଶାସନିକ ଟ୍ରଷ୍ଟ ବୋର୍ଡ ର ସଭାପତି ଖୋଦ ଜିଲ୍ଲାପାଳ ସେଠାରେ ମାତୃଶକ୍ତି ପୀଠ ର ଅନେକ ସମସ୍ୟା ବହୁଳ ଅବସ୍ଥାରେ ଦୀର୍ଘ ବର୍ଷ ହେବ ଅଣଦେଖା ଭାବେ ପଡି ରହିବା ଦୁଃଖ ଆଉ ପରିତାପର ବିଷୟ !ଖବର ଅନୁଯାୟୀ, ବହୁବର୍ଷ ପୁର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଏଠାରେ ନିର୍ମାଣ ସରିଥିବା ଓ ଟି ଡି ସି ପାନ୍ଥନିବାସ ଓ ଜଳସମ୍ପଦ ବିଭାଗର ଶୀତତାପ ନିୟନ୍ତ୍ରିତ ଝଙ୍କଡ଼ ବିଶ୍ରାମାଗାର ସହିତ ଏହାର ତଳ ମହଲାରେ ଥିବା, ପାଠାଗାର ଓ ସୁଚନା କେନ୍ଦ୍ରର, ଭରଚୁଆଲ ଉଦଘାଟନ ସରିଥିଲେ ମଧ୍ୟ ଏହା କୌଣସି କାମରେ ଲାଗୁନି କାହିଁକି ? ନବୀକରଣ କାର୍ଯ୍ୟ ପାଇଁ ଏଠାରେ ଥିବା କରୁଣାନିବାସ ଧର୍ମଶାଳା ଓ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା କୁବେରପୁତ୍ର ଧର୍ମଶାଳା କୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆ ଯାଇଥିଲା ବେଳେ ତେଣୁ ପ୍ରତିଦିନ ଆସୁଥିବା ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ରାତ୍ରିଯାପନ ଓ ସାମୟିକ ବିଶ୍ରାମ ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାହିଁକି ?ସେହିପରି ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର, ସାରଳା ଦାସ ଙ୍କ ଶ୍ରାଦ୍ଧଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଆସିଥିବା ଅବସରରେ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ଆପତ୍ତି ଅଭିଯୋଗ କୁ ଭିତ୍ତି କରି, ଜଳସମ୍ପଦ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ସେହି ଅର୍ଥରେ ଏଠାରେ ଏକ ଝଙ୍କଡ଼ ବିଶ୍ରାମାଗାର, ନିର୍ମାଣ କରାଯାଇ ଥିଲା ଓ ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ତଳ ତାଲାରେ ଏକ ପାଠାଗାର ଓ ସୂଚନାକେନ୍ଦ୍ର ଖୋଲା ଯାଇଥିଲା !ଏହାର ଯତ୍ନ ତତ୍ତ୍ୱର ଅଭାବରୁ ଜରାଜୀର୍ଣ୍ଣ ଭାବେ ଅବହେଳାର ଶିକାର ହୋଇ ପଡ଼ିରହିଛି କାହିଁକି ? କୌଣସି ମତେ ଖୋଲୁନି ପାନ୍ଥନିବାସ, କାମରେ ଲାଗୁନି ସୂଚନାକେନ୍ଦ୍ର କି ଝଙ୍କଡ଼ ବିଶ୍ରାମାଗାର , ସମ୍ପ୍ରସାରଣ ପାଇଁ ହୋଇପାରୁନି ଜମି ଅଧିଗ୍ରହଣ !ରାଜ୍ୟରେ ତଥା ଦେଶରେ ସଂସ୍କୃତି ବିଭାଗ କଣ ନିଷ୍କ୍ରିୟ ହୋଇଗଲା କି ? ପୁରାତନ ମନ୍ଦିର ମାନଙ୍କର ରାକ୍ଷଣାବେକ୍ଷଣ ପାଇଁ ସରକାରୀ ସ୍ତରରେ ଥିବା ଵିଧି ବ୍ୟବସ୍ଥା କଣ କେବଳ କାଗଜ କଲମ ର ଦସ୍ତାବିଜ ? ଏଠାରେ ସ୍ମରଣ ଯୋଗ୍ୟ ଯେ ସାରଳା ପୀଠର ରୁପାନ୍ତ କରଣ ପାଇଁ, ଓଡିଶା ସରକାରଙ୍କ ତରଫରୁ ଗତ ୨୦୨୨ ଜୁନ ଦୁଇତାରିଖ ରେ ୪୨ କୋଟି ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇ, ମାତ୍ର ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ଘୋଷଣା କରାଯାଇଥିଲା , ହେଲେ ଦୀର୍ଘ ୨ବର୍ଷ ୭ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ହେଲେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ପାରିଲା ନାହିଁ କାହିଁକି ? ଏହା ସମ୍ପୃକ୍ତ ଠିକାଦାର ର ମନମାନି ନା ପ୍ରଶାସନିକ ଅବହେଳା ??
ଏପରି ଅନିୟମିତl ଦୀର୍ଘ ବର୍ଷ ବର୍ଷ ଧରି ଲାଗି ରହିବା ପଛରେ କାରଣ କଣ ?
ଚର୍ଚ୍ଚା ହେଉଛି ଯେ ନବୀକରଣ ନାଆଁରେ ସାରଳା ମନ୍ଦିର ପରିବେଶକୁ,ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ ହେବାରେ ଯଥେଷ୍ଟ ଆଶଙ୍କା ସ୍ପଷ୍ଟ ହୋଇଯାଇଛି।ସାରଳା ମନ୍ଦିର ପରିଦର୍ଶନ ରେ ଆସିଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଙ୍କୁ ମାଆଙ୍କ ସେବାୟତ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଅବଗତ କରାଇ,ଏହାର ଆଶୁ ସମାଧାନ ପାଇଁ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରାଇଥିଲେ ବି,ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତି କ୍ଷୋଭର ବିଷୟ ନୁହେଁ କି ?ଯେଉଁଠି ରାଜନୈତିକ ତଥା ପ୍ରଶାସନିକ ଅବହେଳା ରେ ପଡି ରହିଛି ଶାରଳା ମନ୍ଦିର ପରିବେଶ ସେଠାରେ ଆପତ୍ତି ଶୁଣିବ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ?ମାଳିକା କଥାକାର ମାନେ ଉଦବେଗ ପ୍ରକାଶ କରି, ମାତୃଶକ୍ତିର ଅବହେଳା ପାଇଁ ଜିଲ୍ଲା ତଥା ଦେଶର ଅମଙ୍ଗଳ ପ୍ରତି ସରକାର ଓ ପ୍ରଶାସନ ଯଥେଷ୍ଟ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି !ଆଗାମୀ ଦିନରେ ମା’ ଶାରଳାଙ୍କ ପୀଠରେ ଅଚ୍ୟୁତ ସେନା ପକ୍ଷରୁ କାର୍ଯ୍ୟକ୍ରମ ମାନ ହେବାକୁ ଯାଉଥିବାରୁ ଆଶା ଓ ବିଶ୍ୱାସ ରହିଛି ଏଥିପ୍ରତି ଜିଲ୍ଲାପାଳ ମହୋଦୟ ନିଶ୍ଚୟ ଭଲ ପଦକ୍ଷେପ ନେବେ ! ଦେଖିବାକୁ ଅଛି ବାସ୍ତବ କ୍ଷେତ୍ରରେ ହେଉଛି କଣ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ