କାୟା ବଢ଼ାଉଛି କୋରୋନା: ୨ ଦିନରେ ଲକ୍ଷେ ଆକ୍ରାନ୍ତ

ୱାଶିଂଟନ୍: ସମଗ୍ର ବିଶ୍ବରେ କୋରୋନା ଭୂତାଣୁ ତା’ର କାୟା ବଢ଼ାଇ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଅନେକଗୁଡ଼ିଏ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି। କିନ୍ତୁ ଏହା ସତ୍ତ୍ବେ ଏହି ବିପଜ୍ଜନକ ଭୂତାଣୁର ବ୍ୟାପକତାକୁ ରୋକିବା ସମ୍ଭବପର ହୋଇପାରୁନାହିଁ। ନିକଟରେ ଆମେରିକାର ଜନ୍ସ ହପକିନ୍ସ ୟୁନିଭର୍ସିଟି ପକ୍ଷରୁ ଦିଆଯାଇଥିବା ଏକ ସୂଚନାରୁ ଏହା ସ୍ପଷ୍ଟ ହୋଇଛି। ସମଗ୍ର ବିଶ୍ବରେ ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷକୁ ଟପିସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୨୪ ହଜାରକୁ ଅତିକ୍ରମ କରିଯାଇଛି। ତେବେ ସବୁଠାରୁ ଉଦ୍‌ବେଗଜନକ କଥା ହେଉଛି ଯେ ମାତ୍ର ୨ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧ ଲକ୍ଷ ନୂଆ ଆକ୍ରାନ୍ତ ଯୋଡ଼ି ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି। ଏଠାରେ ଏହି ଭୂତାଣୁର କେନ୍ଦ୍ରସ୍ଥଳ ଚୀନଠାରୁ ବି ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ପୂର୍ବାହ୍ନ ସୁଦ୍ଧା ଆମେରିକାରେ ମୃତକଙ୍କ ସଂଖା ଏକ ହଜାର ଟପିଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଟପିଛି। ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ଦେଶରେ ୧୩ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୮୫ ହଜାର ୫୯୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଦେଶରେ ୧ ହଜାର ୮୬୮ ଜଣ ସୁସ୍ଥ ହୋଇଛନ୍ତି। ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୨୮୫ ରହିଥିବା ଉକ୍ତ ଦେଶର ନାସନାଲ୍ ହେଲଥ କମିଶନ୍ ତା’ର ରିପୋର୍ଟରେ ପ୍ରକାଶ କରିଥିଲା।
ତେବେ ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ୫ ଲକ୍ଷ ୧୦ ହଜାର ୧୦୮ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୨୪ ହଜାର ୫୭ ଛୁଇଁଛି। କିନ୍ତୁ ଏହି ଭୂତାଣୁ ବ୍ୟାପକତା ଯେଉଁ ହାରରେ ବଢ଼ୁଛି, ତାହା ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। କାରଣ ଏହି ଭୂତାଣୁ ସମଗ୍ର ବିଶ୍ବରେ ଲକ୍ଷେ ଲୋକଙ୍କୁ ଛୁଇଁବା ପାଇଁ ୬୭ ଦିନର ସମୟ ନେଇଥିଲା। କିନ୍ତୁ ଏହା ପରଠାରୁ ଏହାର ବ୍ୟାପକତା ଉଦବେଗଜନକ ଭାବେ ବଢ଼ିଚାଲିଛି। ପ୍ରଥମ ଲକ୍ଷେ ଲୋକଙ୍କୁ ସଂକ୍ରମିତ ହେବା ସକାଶେ ଏହି ଭୂତାଣୁ ୬୭ ଦିନ ନେଇଥିଲେ ହେଁ ପରବର୍ତ୍ତୀ ଲକ୍ଷେ ଲୋକ ମାତ୍ର ୧୧ ଦିନ ଭିତରେ ଏହି ଭୂତାଣୁ କବଳକୁ ଆସିଯାଇଛନ୍ତି। ଅଧିକନ୍ତୁ ଏହି ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରେ ପହଞ୍ଚିବା ସକାଶେ ୪ ଦିନ, ୪ ଲକ୍ଷରେ ପହଞ୍ଚିବା ସକାଶେ ୩ ଦିନ ଓ ବର୍ତ୍ତମାନ ୫ ଲକ୍ଷରେ ପହଞ୍ଚିବାକୁ ମାତ୍ର ୨ ଦିନ ସମୟ ନେଇଛି। ବିଶ୍ବର ୧୭୦ଟି ଦେଶରେ ଏହି ଆକ୍ରାନ୍ତ ରହିଛନ୍ତି। ସେହିପରି ଚୀନକୁ ବାଦ୍ ଦେଲେ ଇଟାଲୀ, ଆମେରିକା, ସ୍ପେନ୍, ଜର୍ମାନୀ, ଇରାନ୍, ଫ୍ରାନ୍ସ ଓ ସ୍ବିଜରଲାଣ୍ଡ୍ ଆଦି ଦେଶରେ ୧୦ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ରହିଛନ୍ତି। ସେହିପରି ମୃତ୍ୟୁସଂଖ୍ୟାରେ ଇଟାଲୀ ସବୁଠାରୁ ଆଗରେ ରହିଛି, ଯେଉଁଠାରେ ୮ ହଜାର ୨୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି ଜନ୍ସ ହପକିନ୍ସ ୟୁନିଭର୍ସିଟିର ସିଷ୍ଟମ୍ସ ସାଇନ୍ସ ଏଣ୍ଡ୍ ଇଞ୍ଜିନିୟରିଂ ସେଣ୍ଟର୍ (ସିଏସ୍ଏସ୍ଇ) ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ