କିଏ କହୁଛି ଈଶ୍ୱର ନାହାଁନ୍ତି ବୋଲି

“ଯୁଗେ ଯୁଗେ ପ୍ରଭୁ ନାନା ଅବତାରେ
ଅବତରି ଧରାଧାମେ
ସତ୍ୟ ଧର୍ମ ନ୍ୟାୟ କରିଛ ପ୍ରତିଷ୍ଠା
ଏ ସାରା ସଂସାର ଜାଣେ ।”

ବିଶ୍ବ କାରିଗର, ବିଶ୍ବ ବ୍ରହ୍ମାଣ୍ଡର ସ୍ରଷ୍ଟା ମହାପ୍ରଭୁ ଭାବ ବିନୋଦିଆ କାଳିଆ ଠାକୁର ଦାରୁବ୍ରହ୍ମ କଳା ସାଆନ୍ତେ ଏ କଳିଯୁଗରେ ନୀଳକନ୍ଦରରେ ବସିଛନ୍ତି ରତ୍ନବେଦୀ ଉପରେ । ଏ ସେହି ଠାକୁର ଯେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଅବତାରରେ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଯୁଦ୍ଧରେ ସଖା ଅର୍ଜୁନଙ୍କ ରଥର ସାରଥି ଭାବରେ ଅବତୀର୍ଣ୍ଣ ହୋଇ ଧର୍ମର ପ୍ରତିଷ୍ଠା କରିଥିଲେ ପାପ ଅଧର୍ମର ବିନାଶ କରି । ତ୍ରେତୟାରେ, ଶ୍ରୀରାମଙ୍କ ଅବତାରରେ ବିନାଶ କରିଥିଲେ ରାବଣକୁ । ଏ ସେହି ଲୀଳାମୟ ଯେ କୁରୁସଭାରେ ଲଜ୍ଜା ନିବାରଣ ପାଇଁ ଦ୍ରୌପଦୀଙ୍କୁ ଦେଇଥିଲେ କୋଟି ବସ୍ତ୍ର , କୁମ୍ଭୀର ଆକ୍ରମଣରୁ ରକ୍ଷା କରିଥିଲେ ଗଜକୁ, ମୃଗୁଣୀକୁ ବଞ୍ଚେଇଥିଲେ ମୃତ୍ୟୁ କବଳରୁ , ଭକ୍ତ ପ୍ରହଲ୍ଲାଦଙ୍କ ଉପରେ ଢାଳିଥିଲେ ଆଶିଷର ବାରି ନରସିଂହ ଅବତାରରେ ହିରଣ୍ୟକଶିପୁର ଛାତି ଚିରି । ଯୁଗେ ଯୁଗେ ଲୀଳାମୟଙ୍କର ଅପୂର୍ବ ଲୀଳା । ଶାସ୍ତ୍ର, ପୋଥି ପୁରାଣ, ଗୀତା,ଭାଗବତ, ରାମାୟଣ ସବୁଠି ସେହି ପରମେଶ୍ବର । ଆଜି ମାଣିକ ଗଉଡୁଣୀ ନାହାଁନ୍ତି, କିନ୍ତୁ ମାଣିକପାଟଣା ଗାଁ ଅଛି । ଭକତ ରାଜା ଶ୍ରୀ ପୁରୁଷୋତ୍ତମ ଦେବଙ୍କ ଆକୁଳ ପ୍ରାର୍ଥନାକୁ ଏଡେଇ ନପାରି ପ୍ରଭୁ ନିଜ ଭାଇଙ୍କ ସହିତ ମିଶି କଳାଧଳା ଘୋଡ଼ା ଚଢ଼ି କାଞ୍ଚି ଅଭିଯାନରେ ଯିବା ସମୟରେ ମାଣିକ ଗଉଡୁଣୀ ହାତରୁ ପିଇଥିଲେ ଦହି ଆଉ ଦହିର ମୂଲ୍ୟ ଆକାରରେ ତାଙ୍କୁ ଦେଇଥିଲେ ନିଜ ହସ୍ତର ରତ୍ନମୁଦି । ଆହାଃ, କେତେ ଜନ୍ମର ତପସ୍ୟା କରିଥିଲେ ମାଣିକ ମାଆ ଯିଏ ପ୍ରଭୁଙ୍କୁ ନିଜ ହାତରେ ପିଆଇଥିଲେ ଦହି । ଧନ୍ୟ ଧନ୍ୟ ତାଙ୍କ ଜୀବନ । ଆଜି ଦାସିଆ ବାଉରୀ ନାହାଁନ୍ତି, କିନ୍ତୁ ଅଛି ଦାସିଆ ବାଉରୀ ପୀଠ । ଭାବର ଠାକୁର କାଳିଆ ସାଆନ୍ତ ନିଜେ ପରା ହାତ ବଢ଼େଇ ଭକ୍ତ ଦାସିଆ ବାଉରୀଙ୍କ ହାତରୁ ନେଇଥିଲେ ନଡ଼ିଆ । ଭକ୍ତ ସାଲବେଗ, ଭକ୍ତ ବଳରାମ ଦାସଙ୍କର ଭକ୍ତି ଓ ପ୍ରଭୁ ଜଗନ୍ନାଥଙ୍କର ସେମାନଙ୍କ ପ୍ରତି ଆଶିର୍ବାଦ ଓ କରୁଣାର କିମ୍ବଦନ୍ତୀ କାହାକୁ ବା ଅଜଣା । ପ୍ରଭୁଙ୍କ ମହିମାର ଏମିତି ଅସଂଖ୍ୟ ଘଟଣା ସଂପର୍କରେ ଆମେ ପଡିଛନ୍ତି ଓ ଶୁଣିଛନ୍ତି । ଜଗନ୍ନାଥଙ୍କୁ ଯିଏ ଥରେ ନୀଳକନ୍ଦରରେ ଦେଖିଛି, ସିଏ ନିଶ୍ଚିତ ଭାବରେ ଅନୁଭବ କରିଛି ଦାରୁବ୍ରହ୍ମଙ୍କ ଚୁମ୍ବକୀୟ ଶକ୍ତିକୁ । ଏ ଅଧମକୁ କେତେଥର ବଡ଼ ଦେଉଳରେ ପୂର୍ଣ୍ଣବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ସୌଭାଗ୍ୟ ମିଳିଛି । ଯେତେଥର ଯାଇଛି, ଦେହ ଭିତରେ ଅନୁଭବ କରିଛି ଭିନ୍ନ ଏକ ଶିହରଣ । ସାଆନ୍ତଙ୍କ ଆଗରେ ଆପଣାଛାଏଁ ହାତ ଦୁଇଟି ଉଠିଯାଏ ଉପରକୁ ସମର୍ପଣ ମୁଦ୍ରାରେ । ଚର୍ମ ଚକ୍ଷୁରେ ଚକା ଆଖିଆଙ୍କୁ ଦେଖି ଦେଲା ପରେ ଆଖି ହୋଇଛି ଓଦା । ସେ ଅନୁଭବ ଅନୁଭୁତି ସତରେ ବର୍ଣ୍ଣନାତୀତ । ସେ ପରା ଅନ୍ତର୍ଯ୍ୟାମୀ । କେଉଁ କଥା ତାଙ୍କୁ ଅଜଣା ଯେ ! ଯାହାଙ୍କର ଦୟାରେ ଆମେ ପ୍ରତିପାଳିତ, କ’ଣ ଆଉ ମାଗିବା ବା ତାଙ୍କୁ । ବ୍ୟକ୍ତିଗତ ଭାବରେ କହିବାକୁ ଗଲେ ଜୀବନର ଭିଡ଼ ଭିତରେ ଅନେକ ବିପଦରୁ ରକ୍ଷା ପାଇଛି ସେହି ଠାକୁରଙ୍କ କରୁଣାରୁ । ଆଜି ଯଦି କଲମ ଧରି ଦୁଇଧାଡ଼ି ଲେଖିବାର ସାହସ ପାଇଛି, ଏଇଟା ବି ସେହି କାଳିଆ ସାଆନ୍ତ ଓ ମୋର ପରମପୂଜ୍ୟ ଶ୍ରୀ ଶ୍ରୀ ଠାକୁର ପରମହଂସ ନିଗମାନନ୍ଦଙ୍କ ଦୟା । ଜପତପ, ପୂଜାପାଠ, ମନ୍ତ୍ର; ମୁଁ କିଛି ବି ଜାଣେନି । ଖାଲି ଏତିକି ବୁଝିଛି ସବୁ ସେହି ଉପରବାଲାଙ୍କ ନିର୍ଦ୍ଦେଶନାରେ ଜୀବନ ଚାଲିଛି । ଦଶ ବର୍ଷ ତଳେ ଘଟିଥିବା ଏକ ଘଟଣା ଓ ଠାକୁରଙ୍କ ଆଶିଷ ବଳରେ କେମିତି ନିଶ୍ଚିତ ମୃତ୍ୟୁ କବଳରୁ ଏକ ଜୀବନ ଫେରି ଆସିଲା, ସେ ବିଷୟରେ ମୁଁ ଆପଣମାନଙ୍କୁ ମୋର ଅଙ୍ଗେଲିଭା ଘଟଣାଟିଏ କହୁଛି ।

୨୦୧୫ ମସିହାର ଘଟଣା । ସେତେବେଳେ ବାଙ୍ଗାଲୋରରେ ରହୁଥିବା ମୋ ବଡ଼ଭାଇ ଡେଙ୍ଗୁରେ ଆକ୍ରାନ୍ତ ହେଲେ । ସେଠାରେ ତିନି ଦିନ ଏକ ମେଡିକାଲରେ ଚିକିତ୍ସିତ ହେବାପରେ ଜ୍ବର କମିଲା ନାହିଁ । ଫେରି ଆସିଲେ ଓଡିଶା । ଭୁବନେଶ୍ଵରରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ମୁଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡ଼ମିଶନ କରେଇଲି ରାତିରେ । ପରଦିନ ସକାଳେ ରକ୍ତ ନମୁନା ପରୀକ୍ଷା ପାଇଁ ଗଲା । ସନ୍ଧ୍ୟାରେ ରକ୍ତ ପରୀକ୍ଷାର ରିପୋର୍ଟ ଆସିଲା ଯେଉଁଥିରେ ଲେଖାଥିଲା ପ୍ଲେଟଲେଟ ପନ୍ଦର ହଜାରରୁ କମ୍ ଥିଲା ବୋଲି । ଡାକ୍ତର ଏ ରିପୋର୍ଟ ଦେଖି ତୁରନ୍ତ ରୋଗୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଲେ ଓ ରୋଗୀର ଅବସ୍ଥା ଗୁରୁତର ବୋଲି କହିଲେ । ଗୋଟେ ପ୍ରାଇଭେଟ୍ ଆମ୍ବୁଲାନ୍ସରେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇ ଆସିଲି ଭାଇକୁ । ଚିକିତ୍ସା ଆରମ୍ଭ ହେଲା, କିନ୍ତୁ ଅବସ୍ଥାରେ ସୁଧାର ଆସିଲା ନାହିଁ । ସବୁଦିନ ଗୋଟେ କିମ୍ବା ଦୁଇଟି ରକ୍ତର ଆବଶ୍ୟକତା ପଡୁଥାଏ । ଭାଇ ଆଉ ବିଛଣାରୁ ଉଠିବା ଅବସ୍ଥାରେ ନଥାଏ । ଦେହସାରା ନାଲି ନାଲି ଚେକଡା ଚେକଡା ଦାଗ। ବାରମ୍ବାର ନିୟମିତ ବ୍ୟବଧାନରେ ରକ୍ତଝାଡା ।ଯେତେଥର ଡାକ୍ତରଙ୍କୁ ଭାଇ କଥା ପଚାରିଛି ସବୁଥର ଉତ୍ତର ପାଇଛି, ଧୈର୍ଯ୍ୟ ଧରନ୍ତୁ, ଆମେ ଚେଷ୍ଟା କରୁଛୁ । ଡ଼ାକ୍ତରଙ୍କ ଆଖି କିନ୍ତୁ କିଛି ଅଲଗା କଥା କହୁଥିବାର ମୁଁ ନଜର କରିଛି । କେଉଁ ମୁହୁର୍ତ୍ତରେ କିଛି ବି ଘଟିପାରେ । ଭାଇ ଖାଲି ଗୋଟିଏ କଥା ମୋତେ ବାରମ୍ବାର କହୁଥାଏ ପିଲାମାନେ ତୋତେ ଲାଗିଲେ । ଆଖିରୁ ମୋର ଝରିଯାଉଥାଏ ଲୁହ । ଲୁଚେଇ ଲୁଚେଇ ଲୁହ ପୋଛି ନେଉଥାଏ ରୁମାଲରେ । ଗାଁ କୁ ଫୋନ୍ କରି ମିଛ କଥା କହିଲି । ସତ କହିଥିଲେ ହୁଏତ ଘରେ ସମସ୍ତେ ଭାଙ୍ଗି ପଡିଥାନ୍ତେ । କହିଲି, ଭାଇର ଅବସ୍ଥାରେ ସୁଧାର ଆସିଛି । ଏବେ ସେ ଭଲ ଆଡ଼କୁ ଗତି କରୁଛି । ତୁମମାନଙ୍କୁ ଦେଖିଲେ ତା’ର ମନଖୁସି ହେବ । ତେଣୁ କାଲି ସକାଳେ ଆସ । ପରଦିନ ଭଦ୍ରକରୁ ଘରଲୋକ ସମସ୍ତେ ଆସିଲେ , ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇକୁ ଦେଖିଲେ । ଯଥାସମ୍ଭବ ସେମାନଙ୍କୁ ସତ ଲୁଚେଇ ଅଳ୍ପ ସମୟ ମେଡିକାଲରେ ରହିବାକୁ ଦେଇ ବିଦା କରିଦେଲି । ଘର ଲୋକଙ୍କୁ ମେଡିକାଲରୁ ବିଦା କରିଦେବା ପରେ ହଠାତ୍ ମୋର ମେଡ଼ିକାଲରେ ଦେଖାହେଲା ଡାକ୍ତର ଆଶିଷ, ଡାକ୍ତର ଅଭିଳାଷ ଓ ଅନ୍ୟ କେଇଜଣ ଜୁନିଅର ଡ଼ାକ୍ତର ମାନଙ୍କ ସହିତ ଯେଉଁମାନଙ୍କୁ ମୁଁ ମୋର ଶିକ୍ଷକତା ଜୀବନରେ ପାଠ ପଢେଇଥିଲି । ସେମାନେ ସବୁକଥା ଜାଣିବା ପରେ ଭାଇର ସବୁଦିନର ଟେଷ୍ଟ ରିପୋର୍ଟ ଦେଖି କହିଲେ, ସାର୍, ରୋଗୀର ଅବସ୍ଥା ଗୁରୁତର ଅଛି । ଯଦି ଆଇସିୟୁ ରେ ଗୋଟେ ବେଡ୍ ମିଳନ୍ତା ତାହେଲେ ଭଲ ହୁଅନ୍ତା । ଦେଖନ୍ତୁ ଈଶ୍ୱରଙ୍କ କରୁଣା। ସେହିଦିନ ରାତିରେ ଆଇସିୟୁ ରେ ଭାଇକୁ ବେଡ୍ ମିଳିଗଲା । ମୁଁ ମୋର ଶପ ଓ ଗୋଟିଏ ବେଡସିଟ୍ ଧରି ଆଇସିୟୁ ଆଗରେ ଅପେକ୍ଷା କଲି । ଇତିମଧ୍ୟରେ କଟକରେ ମୋର ତିନିଦିନ କଟି ସାରିଥାଏ ଅନିଦ୍ରାରେ । ଆଇସିୟୁ ଭିତରକୁ ତ ନିଜ ଇଚ୍ଛାରେ ଯାଇହେବନି । ନିହାତି ଜରୁରୀ ହେଲେ, କର୍ତ୍ତବ୍ୟରତ ସିଷ୍ଟର ଡାକିବେ । ରାତି ପାଖାପାଖି ଦୁଇଟା ବାଜିଲାଣି । ଶରୀର ଅତ୍ୟନ୍ତ କ୍ଲାନ୍ତ । ଟିକିଏ ଗଡି ପଡିଲି ଚଟାଣରେ ବିଛେଇଥିବା ଶପ ଉପରେ । କ୍ଲାନ୍ତି ଯୋଗୁଁ ଟିକେ ନିଦ ଆସିଗଲା । କିଛି ସମୟ ଯାଇଛି । ହଠାତ୍ ମୁଁ ଦେଖିଲି କେହିଜଣେ ସନ୍ନ୍ୟାସୀ ମୋତେ କହୁଛନ୍ତି, ଆଉ ଚିନ୍ତା କରନାହିଁ । ଶିବର କିଛି ଅସୁବିଧା ହେବନି । ସେ ଖୁବ୍ ଶୀଘ୍ର ଭଲ ହେଇଯିବ । ହଠାତ୍ ଉଠିପଡିଲି । ଚାରିଆଡକୁ ଅନେଇଲି । ପିନ୍ଧିଥିବା ହାତଘଣ୍ଟାକୁ ଦେଖିଲି । ରାତି ୩.୩୩ ବାଜିଛି । କିନ୍ତୁ ସେମିତି ସନ୍ନ୍ୟାସୀ ବେଶ ଧାରଣ କରିଥିବା କୋୖଣସି ଲୋକଙ୍କୁ ଦେଖିବାକୁ ପାଇଲିନି । ଦେଖିଲି କେବଳ ମୋ ପରି ଆଇସିୟୁ ବାହାରେ ଅପେକ୍ଷାରତ କିଛି ଲୋକଙ୍କୁ । ଇତିମଧ୍ୟରେ ଦଶ ବର୍ଷ ବିତିଗଲାଣି । କିନ୍ତୁ ଏକଥା ମନେ ପଡ଼ିଲେ ଆଜି ବି ମୋ ଆଖି ଛଳଛଳ ହେଇଯାଏ । ସେଦିନ ରାତିରେ ଆଉ ଶୋଇ ପାରିଲିନି । ମନ ଭିତରେ ଅନେକ ଚିନ୍ତା । ମୁଁ ସ୍ବପ୍ନ ଦେଖୁଥିଲି ନା ସତରେ ସନ୍ନ୍ୟାସୀ ବେଶରେ ପ୍ରଭୁ ଆସିଥିଲେ ଗରୀବ ପାପିର ଚିନ୍ତା ଦୁଃଖ ଦୂର କରିବାକୁ । ଯେନତେନ ଉପାୟରେ ସେଦିନ ରାତିଟା ପାହିଲା । ପରଦିନ ସକାଳେ ପୁଣି ରକ୍ତ ନମୂନା ପରୀକ୍ଷା ପାଇଁ ପଠାଗଲା । ସନ୍ଧ୍ୟାରେ ଯେଉଁ ରିପୋର୍ଟ ଆସିଲା, ସେ ରିପୋର୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ମୁଁ ବିଶ୍ବାସ କରିପାରୁ ନଥିଲି । ରିପୋର୍ଟରେ ଲେଖାଥିଲା ପ୍ଲେଟଲେଟ ନବେ ହଜାର ପ୍ଲସ ଅଛି ବୋଲି । ତାପରଦିନ ପ୍ଲେଟଲେଟ କାଉଣ୍ଟ ଏକ ଲକ୍ଷ ଷାଠିଏ ହଜାର ଆସିଲା । ଆଉ ତିନିଦିନ ଅବଜରଭେସନରେ ରହି ଭାଇ ମେଡିକାଲରୁ ଡିସଚାର୍ଯ ହେଲା ସଂପୂର୍ଣ୍ଣ ସୁସ୍ଥ ହେଇ । କଥାରେ ଅଛି ପରା,” ଯାହାକୁ ରଖିବେ ଅନନ୍ତ,କି କରିପାରେ ବଳବନ୍ତ,” । ନିଶ୍ଚିତ ମୃତ୍ୟୁ ବରଣ କରିବାକୁ ଯାଉଥିବା ମୋ ଭାଇକୁ ସେହି ପରମଦୟାଳୁ ପରମେଶ୍ବର ରକ୍ଷା କରିଥିଲେ ବୋଲି ମୋ’ର ଦୃଢ଼ ବିଶ୍ବାସ । ସେହି ପରମ କାରୁଣିକ ସନ୍ନ୍ୟାସୀ ବେଶରେ ଆସିଥିଲେ ଭାଇକୁ ରକ୍ଷା କରିବାକୁ । ତାଙ୍କ ବିନା ଆଉ କିଏ ଅଛି ଆମର ସାହା ଭରଷା ।

କଥାରେ ଅଛି ବିଶ୍ବାସେ ମିଳଇ ହରି,ତର୍କେ ବହୁଦୂର । ଗଭୀର ବିଶ୍ବାସର ସହିତ ଡାକିଲେ, ଈଶ୍ୱର ଶୁଣନ୍ତି ଭକ୍ତର ଆକୁଳ ପ୍ରାର୍ଥନା। ଏ ପରା ଆମ ଦେବଭୂମି ତପୋଭୂମି, ଅସଂଖ୍ୟ ସାଧୁସନ୍ଥ ଓ ମହାପୁରୁଷଙ୍କର ଜନ୍ମମାଟି ପବିତ୍ର ଭାରତବର୍ଷ । ଏ ଦେଶରେ କେଉଁ ଏକ ବରଗଛ ମୂଳରେ ପଥର ଖଣ୍ଡିଏ ରଖି ତା ଦେହରେ ସିନ୍ଦୂର ଟିକିଏ ଲଗେଇ ଦେଲେ , ସେହି ପଥର ଆମପାଇଁ ପାଲଟି ଯାଆନ୍ତି ଦେବତା । ଭକ୍ତିରେ ଆପଣାଛାଏଁ ନଇଁଯାଏ ଆମ ମଥା । ମୂର୍ତ୍ତି ପୂଜାକୁ ବିରୋଧ କରୁଥିବା ଓ ଦୁନିଆରେ ଈଶ୍ୱରୀୟ ଶକ୍ତି କିଛି ନାହିଁ ବୋଲି କହୁଥିବା ନାସ୍ତିକ ମାନେ ହୁଏତ ଏକଥାର ମହତ୍ତ୍ଵ ବୁଝି ପାରିବେନି । ମଠ ମନ୍ଦିର ଗୁରୁଦ୍ୱାର, କଳା ସଂସ୍କୃତି ସଂସ୍କାର ସଭ୍ୟତା ଐତିହ୍ୟରେ ପରିପୂର୍ଣ୍ଣ ଆମ ଦେଶ ଭାରତ । ଏଠି ଠାକୁର ଠାକୁରାଣୀ , ଦେବାଦେବୀ,ପଞ୍ଚଭୂତକୁ ପୂଜା କରାଯିବା ସହିତ ପଶୁପକ୍ଷୀ ମାନଙ୍କୁ ବି ପୂଜା କରାଯାଏ । ବସୁଧୈବ କୁଟୁମ୍ଭକମ୍ ନୀତିରେ ବିଶ୍ବାସ କରୁଥିବା ଭାରତବାସୀ ଈଶ୍ୱର ବିଶ୍ୱାସୀ । ଆମ କଳା ସାଆନ୍ତେ ବିଶ୍ବର ଆରାଧ୍ୟ ଦେବତା ।ଅଧାଗଢ଼ା କିନ୍ତୁ ପୂର୍ଣ୍ଣବ୍ରହ୍ମ, ହାତ ନାହିଁ କିନ୍ତୁ ମହାବାହୁ । ଚକାଚକା ଆଖିରେ ବଡଦେଉଳିଆ ଦେଖୁଛନ୍ତି ବିଶ୍ବ ବ୍ରହ୍ମାଣ୍ଡକୁ। ଭାବରେ ଭକ୍ତିରେ ଆଖିରୁ ଦୁଇଟୋପା ଲୁହ ଗଡ଼ି ଆସିଲେ ସହି ପାରନ୍ତିନି ସାଆନ୍ତେ । ସେ ପରା ଜଗତର କର୍ତ୍ତା। ସନ୍ତାନ ମୁହଁରେ ଦୁଃଖ ସେ କେମିତି ବା ସହିବେ । ଯାହାକୁ ଈଶ୍ୱର ରକ୍ଷା କରିବେ, ତା’ର ଆଉ କିଏ ବା କ’ଣ କ୍ଷତି କରି ପାରିବ, ଯେଉଁ ଜଳନ୍ତା ଦୀପଶିଖାକୁ ପବନ ଦେବତା ସୁରକ୍ଷା ଦେବେ, ଆଉ କାହାର ବା କ୍ଷମତା ଅଛି ସେ ଦୀପଶିଖାକୁ ଲିଭେଇ ପାରିବ ? ହେ ପରମେଶ୍ବର ଲୀଳାମୟ ମହାପ୍ରଭୂ, ତୁମରି ପାଦପଦ୍ମେ ଏ ଅଧମର ମନ ସବୁବେଳେ ଥାଉ । ତୁମ ଶ୍ରୀଚରଣେ ମୋର କୋଟି କୋଟି ଦଣ୍ଡବତ ପ୍ରଭୁ ।

ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ।

ଭାସ୍କର ବାରିକ୍
ବାସୁଦେବପୁର, ଭଦ୍ରକ
ଦୂରଭାଷ ୯୪୩୭୩୨୦୩୫୦

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ