କିଏ ପ୍ରକୃତରେ ସେକ୍ସପିୟର

ୱିଲିୟମ୍ ସେକ୍ସପିୟର ଜଣେ ବିଶ୍ୱପ୍ରସିଦ୍ଧ ନାଟ୍ୟକାର ଥିଲେ, ଏ କଥା ଆମେ ସମସ୍ତେ ଜାଣୁ । ସେ ଜଣେ ପୁରୁଷ ଏବଂ ବିବାହ କରିଥଲେ ଆନି ହାଥୱେ ନାମ୍ନୀ ଜଣେ ମହିଳାଙ୍କୁ, ଯିଏକି ସେକ୍ସପିୟରଙ୍କଠାରୁ ଆଠବର୍ଷ ବଡ଼ ଥିଲେ । ତାଙ୍କ ରଚିତ ନାଟକ ରୋମିଓ ଜୁଲିଏଟ୍‌, ଦ ଟେମ୍ପେଷ୍ଟ୍‌, କିଂ ଜନ୍‌, କିଂ ଲିୟର, ହେନେରୀ ଫୋର, ହାମଲେଟ୍‌, ଜୁଲିୟସ୍ ସିଜର, ଅଥେଲୋ, ମାକ୍ୱେଥ ଆଦି ବହୁଚର୍ଚ୍ଚିତ । ଏବେ ନୁହଁ, ନାଟ୍ୟକାର ସେକ୍ସପିୟର ଜଣେ ନାରୀ ନା ପୁରୁଷ, ଦୀର୍ଘ ଦେଢ଼ ଶହ ବର୍ଷ ଧରି ବିବାଦ ଚାଲିଛି । କିଛି ବର୍ଷ ତଳେ ଏଇ ବିବାଦକୁ ବଢ଼େଇ ଦେଇଥିଲା “ନ୍ୟୁଜ୍ ୱିକ୍‌’ ପତ୍ରିକା । କେବଳ ପୁରୁଷ କି ନାରୀ ନୁହଁ, ଆଉ ଏକ ବିବାଦ ମଧ୍ୟ ଦାନା ବାନ୍ଧିଥିଲାୟ ତାହା ହେଲା-ସେକ୍ସପିୟରଙ୍କ ଅସ୍ତିତ୍ୱକୁ ନେଇ । ସେକ୍ସପିୟର ବୋଲି ସତରେ କ’ଣ ଜଣେ କେହି ଥିଲେ!
ସେକ୍ସପିୟର ଜଣେ ନାରୀର ନାଁ ଥିଲା – କେତେକ ଏଇକଥା ବିଶ୍ୱାସ କରୁଥିବାବେଳେ, ଅନ୍ୟ କେତେକ କହୁଛନ୍ତି, ସେକ୍ସପିୟର ନାଁରେ କୌଣସି ବ୍ୟକ୍ତିର ଅସ୍ତିତ୍ୱ କେବେ ମଧ୍ୟ ନ ଥିଲା । କେତେ ଜଣ ଲେଖକ ମିଶି ସବୁ ନାଟକ ଲେଖିଲେ ସେକ୍ସପିୟର ନାଁରେ ଏବଂ ସବୁ ଲେଖକଙ୍କ ନାଁର ପ୍ରଥମ ଅକ୍ଷରକୁ ନେଇ ଏକ ନାଁ ସୃଷ୍ଟି କଲେ, ଯାହା ହେଲା – ସେକ୍ସପିୟର । କେତେକ ମଧ୍ୟ ଚିରାଚରିତ କିମ୍ବଦନ୍ତୀକୁ ମାନି ଲଣ୍ଡନର ଗ୍ଲୋବ୍ ଥିଏଟରରେ ଅଧାରାତିରେ ସେକ୍ସପିୟରଙ୍କ ଆତ୍ମା ଏବେ ବି ଘୂରିବୁଲୁଛି କହି ଚମକାଇ ଦେଉଥିଲେ । ଲଣ୍ଡନରୁ ପ୍ରକାଶିତ “ନ୍ୟୁଜ୍ ୱିକ୍‌’ ପତ୍ରିକା ଏଇ ବିବାଦରେ ନିଆଁ ଢାଳିଥିଲା । ଗ୍ଲୋବ୍ ଥିଏଟରର ସେକ୍ସପିଅରାନ ଅଭିନେତା ଓ କଳା ନିର୍ଦ୍ଦେଶକ ମାର୍କ ରିଲିଂଶ ଏଇ ପତ୍ରିକାରେ ଯେଉଁ ଲେଖା ଲେଖିଥିଲେ, ବାସ୍ତବରେ ତାହା ଚମକାଇ ଦେଲା ଭଳି । ରିଲିଂଶ ଲେଖିଥିଲେ – ଜନ୍ମ ହେବାବେଳେ ଶିଶୁର ସାମାନ୍ୟ ବୁଦ୍ଧି ଥାଇପାରେ, ମାତ୍ର ସେ ଜନ୍ମ ହେବାମାତ୍ରେ ଖାତା ବହି ଧରି ପାଠ ପଢ଼ି ପାରିବନି । ସୁତରାଂ ସ୍କୁଲସ୍ତରରେ କେବଳ ବ୍ୟାକରଣ ପଢ଼ିଥିବା ସେକ୍ସପିୟର କେବେ ବି ଏଭଳି ମହାନ ନାଟକ ରଚନା କରି ପାରିବେ ନାହିଁ । ତା’ହେଲେ କିଏ ସେହି ରହସ୍ୟମୟ ନାଟ୍ୟକାର, ଯିଏ ସୃଷ୍ଟିକରି ଯାଇଛନ୍ତି ଏଭଳି କାଳଜୟୀ ନାଟକ ! ଏ ସମ୍ପର୍କରେ ଜଣେ ଆମେରିକୀୟ ଲେଖକ ରବିନ୍ ୱିଲିୟମ୍ ନିଜ ଗବେଷଣା ଦ୍ୱାରା ପ୍ରମାଣିତ କରିଛନ୍ତି ଯେ, ସେକ୍ସପିୟର ନାଟକ ସମୂହର ନାଟ୍ୟକାର ହେଉଛନ୍ତି ଜଣେ ନାରୀ ଏବଂ ତାଙ୍କ ନାଁ ମେରୀ ହର୍ବର୍ଟ ସିଡ୍‌ନୀ । ପ୍ରକୃତରେ ରବିନଙ୍କ ତର୍କ ଖୁବ୍ ଯୁକ୍ତିସଙ୍ଗତ । କାରଣ ମେରୀ ସିଡ୍‌ନୀ ହେଉଛନ୍ତି ମହାରାଣୀ ଏଲିଜାବେଥ-ପ୍ରଥମଙ୍କ ସମୟର ଚର୍ଚ୍ଚିତ କବି ସାର୍ ଫିଲିପ୍ ସିଡ୍‌ନୀଙ୍କ ଭଉଣୀ ଏବଂ ସେ ସମୟରେ ସବୁଠୁ ଅଧିକ ପାଠ ପଢ଼ିଥିବା ଶିକ୍ଷିତା ମହିଳା ଥିଲେ । ତା’ଛଡ଼ା ମେରୀ ସିଡ୍‌ନୀ ଯେ ପ୍ରକୃତରେ ସେକ୍ସପିୟର, ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି । ସେ ନିଜେ ଜଣେ ନାଟ୍ୟକାର ଥିଲେ ଏବଂ ତାଙ୍କୁ ଇଂରାଜୀ ସାହିତ୍ୟର ପ୍ରଥମ ସାହିତ୍ୟିକ ଭାବରେ ସମ୍ମାନିତ ମଧ୍ୟ କରାଯାଇଥିଲା । ସେକ୍ସପିୟରଙ୍କ ପ୍ରଥମ ଆଠଟି ନାଟକ କୌଣସି ଅଜ୍ଞାତ ନାଁରେ ଛପାଯାଇଥିଲା । କିନ୍ତୁ ସେଥିରୁ ତିନୋଟି ନାଟକରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା, ଏଇ ନାଟକର ନିର୍ମାତା ପେବ୍ରୁକର ଲୋକ ଥିଲେ ଏବଂ ସେଇ ନାଟ୍ୟ କମ୍ପାନୀର ପ୍ରାୟୋଜକ ମେରୀଙ୍କ ପତି ଏବଂ ନିଜେ ମେରୀ ଥିଲେ । ଦୁହେଁ ପେବ୍ରୁକର ରାଜା-ରାଣୀ । ମେରୀ ସିଡ୍‌ନୀ ପେବ୍ରୁକର ରାଜକୁମାରୀ ଥିଲେ । ସେକ୍ସପିୟରଙ୍କ କିଛି ନାଟକରେ ଏମିତି କିଛି କବିତା ମିଳୁଛି, ଯାହା କୌଣସି କମ୍ ବୟସର ପ୍ରେମୀକୁ ସମ୍ବୋଧିତ କରାଯାଇଛି । ପ୍ରକୃତରେ ମେରୀ ସିଡ୍‌ନୀ ମଧ୍ୟ ଜଣେ କମ୍ ବୟସର ଯୁବକକୁ ପ୍ରେମ କରୁଥିଲେ, ଯାହାଙ୍କ ନାଁ ଥିଲା ମେଥ୍ୟୁ ଲିସର । ସିଡ୍‌ନୀଙ୍କୁ ଯଦି ସେକ୍ସପିୟର ମାନି ନିଆଯିବ, ତେବେ ବହୁ ପ୍ରଶ୍ନର ଉତ୍ତର ମଧ୍ୟ ମିଳିଯିବ । ସେକ୍ସପିୟରଙ୍କ ପ୍ରଥମ ନାଟକ “ଫର୍ଷ୍ଟ ଫୋଲିଓ ଅଫ୍ ୧୬୨୩’ କୁ ପେବ୍ରୁକ ଓ ମଣ୍ଟେ ଗୋମରୀଙ୍କୁ ଉତ୍ସର୍ଗ କରାଯାଇଥିଲା । ବାସ୍ତବରେ ସିଡ୍‌ନୀଙ୍କ ପୁଅର ନାଁ ଥିଲା ମଣ୍ଟେ ଗୋମରୀ । ଏହାଛଡ଼ା ସେକ୍ସପିୟର ଓ ସିଡ୍‌ନୀଙ୍କ ଜୀବନକାଳ ଏକ । ଯେଉଁ ସମୀକ୍ଷକମାନେ ଏଡୱାଡ୍ ଡି ବେରେଙ୍କୁ ସେକ୍ସପିୟର ବୋଲି ମାନୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ ସେକ୍ସପିୟରଙ୍କ ପାଇଁ ନିର୍ଦ୍ଧାରିତ ସମୟଠାରୁ ୧୨ ବର୍ଷ ଆଗରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟକିଛି ସମୀକ୍ଷକ, ଯେଉଁମାନେ କି କ୍ରିଷ୍ଟୋଫର ମାର୍ଲୋଙ୍କ ଚିତ୍ରରେ ସେକ୍ସପିୟରଙ୍କ ଚିତ୍ର ଖୋଜୁଛନ୍ତି, ସେମାନେ ମଧ୍ୟ ଜାଣିବା ଦରକାର ଯେ, ମାର୍ଲୋ ନିଜ ମୃତ୍ୟୁର ମିଛ ଖବର ସୃଷ୍ଟି କରି ବିଦେଶ ପଳାଇଥିଲେ ୧୫୯୩ ମସିହାରେ । ମାତ୍ର ସିଡ୍‌ନୀଙ୍କ ଜନ୍ମ ଓ ମୃତ୍ୟୁ ବର୍ଷ, ସେକ୍ସପିୟରଙ୍କ ବୟସ ସହ ଖାପ୍ ଖାଉଛି । ସେକ୍ସପିୟରଙ୍କ ଜନ୍ମର ତିନି ବର୍ଷ ଆଗରୁ ସେ ଜନ୍ମ ହୋଇଥିଲେ ଏବଂ ସେକ୍ସପିୟରଙ୍କ ମୃତ୍ୟୁର ପାଞ୍ଚବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସିଡ୍ନୀଙ୍କ ଜୀବନରେ ଯେଉଁଭଳି ଭାବରେ ଅନ୍ଧାର ଓ ନିରାଶା ଆସିଥିଲା, ତାହାର ପ୍ରତିଚ୍ଛବି ସେକ୍ସପିୟରଙ୍କ ନାଟକଗୁଡ଼ିକରେ ଦେଖିବାକୁ ମିଳିଥିଲା । ତେଣୁ ସିଡ୍‌ନୀ ହିଁ ସେକ୍ସପିୟର ଏବଂ ସେକ୍ସପିୟରଙ୍କ ନାଁରେ ରଚିତ ସବୁ ନାଟକର ରଚୟିତା ଜଣେ ନାରୀ…ଏ ନେଇ ହିଁ ବିବାଦ ଚାଲିଛି । ବାକି କଥା ହୁଏତ ପରବର୍ତ୍ତୀ ଗବେଷଣା କହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ