କିଟ୍ ସପକ୍ଷରେ ବାହାରିଲା କେନ୍ଦ୍ରାପଡ଼ାର ନାଗରିକ ମଞ୍ଚ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କିଟ୍ ସପକ୍ଷରେ ବାହାରିଛି କେନ୍ଦ୍ରାପଡ଼ା ଜିଲ୍ଲା ନାଗରିକ ମଞ୍ଚ । ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଚଣ୍ଡିଆ ପ୍ୟାଲେସ ହୋଟେଲରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚ ପକ୍ଷରୁ କୁହାଯାଇଛି ଯେ କିଟ୍‌ରେ ଜଣେ ଛାତ୍ରୀ ଆତ୍ମହତ୍ୟା କଲେ । ଏହି ଘଟଣାକୁ ନେଇ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଯେଭଳି ଭାବେ ପ୍ରଚାର ପ୍ରସାର କରୁଛନ୍ତି ତାହା ଦୁର୍ଭାଗ୍ୟଜନକ । ଏବେ ଛାତ୍ରୀ ଆତ୍ମହତ୍ୟା ଘଟଣା ଗୌଣ ହୋଇଯାଇଛି ଓ କିଟ୍‌ର ଜମି ଦୁର୍ନିତୀ ନେଇ ଅଧିକ ଚର୍ଚ୍ଚା ହେଉଛି । ଯେଉଁ ଚାନେଲ ଏହାକୁ ସବୁଠୁ ଅଧିକ ଚର୍ଚ୍ଚା କରୁଛି ସେହି ଚାନେଲର ମାଲିକ ମଧ୍ୟ ଜମି କେଳେଙ୍କାରୀରେ ସଂପୃକ୍ତ ଅଛନ୍ତି । ପୂର୍ବ ସରକାର ଅମଳରେ ତାଙ୍କ ଜମି କେଳେଙ୍କାରୀ ସାମ୍ନାକୁ ଆସିଥିଲା । କିଟ୍‌ରେ ୬୭ ରାଷ୍ଟ୍ରର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହା ଏବେ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି । ଫଳନ୍ତି ବୃକ୍ଷକୁ ସମସ୍ତେ ଟେକା ମାରନ୍ତି । ତେଣୁ କିଟ୍ ଭଳି ଏକ ସୁନାମଧନ୍ୟ ଅନୁଷ୍ଠାନକୁ ବଦନାମ କରିବା ପାଇଁ କିଛି ବ୍ୟକ୍ତି ଲାଗି ପଡିଛନ୍ତି । ସେହିପରି କେତେକ ସୂଚନା ଅଧିକାର କର୍ମୀ ଏବେ କିଟ୍‌କୁ ବ୍ଲାକମେଲ କରୁଛନ୍ତି । ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ସୂଚନା ଅଧିକାର ଆଇନ୍ ବଳରେ କିଟ୍‌କୁ ତଥ୍ୟ ମାଗୁଛନ୍ତି । ଏହାଦ୍ୱାରା କେବଳ କିଟ୍ ବଦନାମ ହେଉନାହିଁ ବରଂ ସମଗ୍ର ରାଜ୍ୟ ଓ ଦେଶ ବଦନାମ ହେଉଛି । କାରଣ ଏହି ଶିକ୍ଷାନୁଷ୍ଠାନରେ ଦେଶ ବିଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ବାଉନସର ଲଗାଇ ସେମାନଙ୍କୁ ରେଳ ଷ୍ଟେଶନ ଛାଡିବା କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଥିଲେ । ଯେଉଁ ବାଉନସର ଓ କର୍ମଚାରୀ ଏଭଳି କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବୁଦ୍ଧିଜୀବୀମାନେ କହିଥିଲେ । ଯେଉଁ ଅନୁଷ୍ଠାନକୁ ଅତୀତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆସି ପ୍ରଶଂସା କରିଥିଲେ ତାହାକୁ ବଦନାମ କରା ନ ଯାଉ ବୋଲି ବୁଦ୍ଧିଜୀବୀମାନେ କହିଥିଲେ । ସେମାନେ କହିଥିଲେ ଏହି ଅନୁଷ୍ଠାନରେ ବିଶ୍ୱର କେତେକ ଦେଶରୁ ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିମାନେ ଆସି ଅନୁଷ୍ଠାନକୁ ଅତୀତରେ ପ୍ରଶଂସା କରିଛନ୍ତି । କୋଟାରେ ବର୍ତ୍ତମାନ ସୁଧା ୩୮ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି । କିନ୍ତୁ କୋଟାକୁ ଜାତୀୟ ସ୍ତରରେ ବଦନାମ କରାଯାଉନାହିଁ । ହେଲେ କିଟ୍‌ରେ ଗୋଟିଏ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାକୁ ଯେଭଳି ଭାବେ ବଦନାମ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବୁଦ୍ଧିଜୀବୀମାନେ କହିଥିଲେ । ଅଧ୍ୟାପକ ଡ. ଦିଲ୍ଲୀପ ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ ଅଜୟ ସାମଲ, ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା, ଅଧ୍ୟାପକ ଉପେନ୍ଦ୍ର କୁମାର ସାମଲ, ଜିଲ୍ଲା ଓକିଲ ସଂଘ ସଭାପତି ଧ୍ରୁବ ଚରଣ ଜେନା, ପୂର୍ବତନ ଅଧ୍ୟକ୍ଷ ଅମୀୟ କୁମାର ଜେନା, ଅର୍ବାନ ବ୍ୟାଙ୍କର ପ୍ରାପ୍ତନ ସିଇଓ ସୁଶିଲ ସାମଲ, ସମାଜସେବୀ କେଦାରନାଥ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କିଟ୍ ସପକ୍ଷରେ ମତ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ