କିଡନୀ ରୋଗୀଙ୍କ ପାଇଁ ଗଡ଼ିଲା ‘ସଂଜୀବନୀ ଏକ୍ସପ୍ରେସ’
ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟ ଚିକିତ୍ସାଳୟକୁ ଡାଇଲସିସ ପାଇଁ ଜିଲାର ବିଭିନ୍ନ ବ୍ଲକରୁ ଆସୁଥିବା କିଡ଼ନୀ ରୋଗୀଙ୍କ ଯା’ଆସ ନିମନ୍ତେ ପପକ୍ଷରୁ ଗୁରୁବାର ଆରମ୍ଭ ହୋଇଛି ନିଃଶୁଳ୍କ ପରିବହନ ସେବା ‘ସଂଜୀବନୀ ଏକ୍ସପ୍ରେସ’ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ସଂଜୀବନୀ ଏକ୍ସପ୍ରେସକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଜିଲାର ଦୂର ବ୍ଲକ ଅଞ୍ଚଳରୁ କିଡନୀ ରୋଗୀଙ୍କୁ ଡାଇଲସିସ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେବା ଆଣିବାରେ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତା ପ୍ରଭୃତି ବ୍ଲକର ଉପାନ୍ତ ଅଞ୍ଚଳରୁ ପରୀକ୍ଷା ମୂଳକ ଭାବେ ରୋଗୀ ଆଣାଯିବ । ଏହାର ସଫଳତା ପରେ ଆଗାମୀ ଦିନରେ ସିମୁଳିଆ, ଖଇରା, ଔପଦା, ନୀଳଗିରି ପ୍ରଭୃତି ବ୍ଲକକୁ ବି ଏହି ବସ ସେବା ପ୍ରଦାନ ଉପରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ସୂଚନା ଦେଇଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦେବ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ଡିପିଏମ ଅନୀଲ କୁମାର ମହାନ୍ତି, ଏଡିପିଏଚସିଓ ରମଣୀକାନ୍ତ ଭଞ୍ଜ, ଡିପିଏଚସିଓ ଶ୍ରୀକାନ୍ତ ସେଠୀଙ୍କ ସମେତ ଜିଲା ସ୍ୱାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।