କିଡ଼ନୀ ପୀଡିତ ମାନଙ୍କୁ ଭେଟିଲେ ଆପ୍ର ପ୍ରତିନିଧି ମଣ୍ଡଳୀ
ଢେଙ୍କାନାଳ,(ତାପସ ଦାସ): ଢେଙ୍କାନାଳ ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୂରତାରେ ସଦର ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ଶବର ସାହିରେ ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ଲେଖାଏଁ କୀଡୀନି ରୋଗରେ ଆକ୍ରାନ୍ତ l ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ ଲୋକ ମୃତ୍ୟ ବରଣ କରିଥିବା ବେଳେ ଏବେ ୬ ଜଣ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି l ଆଉ କିଛି ଲୋକ ଔଷଧ ସେବନ କରୁଛନ୍ତି l ୬୦ ବର୍ଷୀୟ ଦେବ ଦେହୁରୀ, ୩୪ବର୍ଷୀୟ ଗୋକୁଳାନନ୍ଦ ଦେହୁରୀ, ୬୦ ବର୍ଷୀୟ କାଙ୍ଗାଳି ଦେହୁରୀ, ସୁରେଶ ଚନ୍ଦ୍ର ବେହେରା, ୫୦ ବର୍ଷ, ପାର୍ବତୀ ବେହେରା, ୫୫ ବର୍ଷ, ଶୈଳ ନାହାକ, ୩୬ ବର୍ଷ ଏମାନେ ଶଯ୍ୟାଶାୟୀ ଓ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି l ଦେବ କୁହନ୍ତି ପଇସା ପତ୍ର ନାହିଁ ବୋଲି କେଉଁ ହସ୍ପିଟାଲକୁ ଯାଇପାରୁନି l ସେହିପରି ଗୋକୁଳାନନ୍ଦ ଚିତ୍କାର କରି ଡାକୁଛନ୍ତି ମୋତେ ମେଡିକାଲ ନିଅ, ମୋତେ ଟିକେ ମେଡିକାଲ ନିଅ l ଅର୍ଥ ଅଭାବରୁ ସେମାନେ କୌଣସି ଟ୍ରିଟମେଣ୍ଟ କରିପାରୁନାହାନ୍ତି l ଏ ଖବର ପାଇ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ସହିତ ଏକ ନେତୃ ମଣ୍ଡଳୀ ଉକ୍ତ ଶବର ସାହି ପରିଦର୍ଶନ କରିଥିଲେ l ସରକାରଙ୍କ ପକ୍ଷରୁ ସବୁ ପଂଚାୟତରେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି, ଆଶା, ଅଙ୍ଗନବାଡି ଦିଦି ସମସ୍ତେ ଅଛନ୍ତି l ମାତ୍ର ଗୋଟେ ଗାଁ ର ଗୋଟିଏ ଆଦିବାସୀ ସାହିରେ ଏତେ ଲୋକ ଚାଲିଗଲେ ଏବଂ ଏତେ ଲୋକ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି, ସରକାର ଓ ଜିଲ୍ଲା ପ୍ରଶାସନ ତାର କୌଣସି ସୂଚନା ପାଉ ନାହାନ୍ତି l କେବଳ ନିର୍ବାଚନ ସମୟରେ ତ୍ରି-ସ୍ତରୀୟ ଭୋଟ ହୁଏ ଏବଂ ସାଧାରଣ ନିର୍ବାଚନ ହୁଏ l ଏମାନେ ଶଯ୍ୟାଶାୟୀ ବୋଲି କାହାର ରିପୋର୍ଟ ନଥିବ l ଏତେ ଲୋକ କେବଳ କୀଡୀନି ରୋଗରେ ମୃତ୍ୟୁ ବରଣ କରୁଛନ୍ତି ତାହା ସ୍ଥାନୀୟ ସରପଞ୍ଚ, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ମାତ୍ର ୨ କିମି ଦୂରରେ ସ୍ଥାନୀୟ ମନ୍ତ୍ରୀ ମହାଶୟଙ୍କର ବାସସ୍ଥାନ, କେହି ଖବର ନେଉନାହାଁନ୍ତି l ସରକାର ସବୁ ପ୍ରକାର ସେବା ଯୋଗାଉଛନ୍ତି ବୋଲି ଡିମ ଡିମ ପିଟୁଛନ୍ତି l ବାସ୍ତବରେ ସେ ସେବା ସାଧାରଣ ଲୋକ ପାଉଛନ୍ତି ନା ନାହିଁ ତାହା କାହାର ଦାୟୀତ୍ୱ ନାହିଁ କି ପଶ୍ଚାତାପ ନାହିଁ l କିଡ଼ନୀ ରୋଗର କାରଣ ଜାଣିବାପାଇଁ ସେହି ଗ୍ରାମର କିଛି ମୁଖ୍ୟ ଲୋକଙ୍କୁ ଭେଟିଥିଲୁ l ସେମାନେ କୁହନ୍ତି ଆମେ ମାନେ ଭଲ ପାଣି ମୁନ୍ଦେ ପିଇବାକୁ ପାଉନାହୁଁ କି ସୁଷମ ଖାଦ୍ୟ ଖାଇବାକୁ ପାଉନାହୁଁ l ସରକାର କେବଳ ଚାଉଳ ଗଣ୍ଡେ ଗରିବ ଲୋକଙ୍କୁ ଦେଉଛନ୍ତି l କିନ୍ତୁ ଦର ଦାମ ଯୋଗୁଁ ତେଲ ଲୁଣ ଡାଲି, ଆଳୁ ପିଆଜ ଓ ଅନ୍ୟ ଅତ୍ୟାବଶ୍ୟକ ଖାଇବା ଜିନିଷ କିଣି ପାରୁନାହୁଁ l ତେଣୁ ରୋଗ ମାଡ଼ି ବସୁଛି l ତୁରନ୍ତ ମନ୍ତ୍ରୀ ମହାଶୟ, ଜିଲ୍ଲା ପ୍ରଶାସନ ଓ ମେଡିକାଲ ଟିମ ଏହି ଗ୍ରାମରେ ପରିଦର୍ଶନ କରି ପୀଡିତ ମାନଙ୍କୁ ଔଷଧ ଏବଂ ଅନ୍ୟ ଆବଶ୍ୟକ ସେବା ଯୋଗାଇ ଦେବାପାଇଁ ଜିଲ୍ଲା ସଭାପତି ଶ୍ରୀ ନାୟକ ଦାବି କରିଛନ୍ତି l ପ୍ରସନ୍ନ ବରାଳ, ପିତାମ୍ବର ସାମନ୍ତରାୟ, ସୁରେଶ ବେହେରା, ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ l