କିରୋସିନ ଢାଳି ଜଳିଗଲେ ମାନସିକ ବିକୃତ ମହିଳା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ଦଧିବାମନ କଲୋନୀ ବାସିନ୍ଦା ରୀନା ପାଣି ( ୫୨) ନାମ୍ନୀ ଜଣେ ମାନସିକ ବିକୃତ ମହିଳା ଗୁରୁବାର ବିଳମ୍ବିତ ରାତିରେ ନିଜ ଦେହରେ କିରୋସିନ ଢାଳି ଜଳି ଯାଇଛନ୍ତି। ତାଙ୍କୁ ମୂର୍ମୁଶୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ ପ୍ରାୟ ୨୨ ବର୍ଷ ହେଲା ମାନସିକ ରୋଗୀ ଭାବେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ୱାମୀ
ବିନୋଦ ଚନ୍ଦ୍ର ପାଣି (୬୩) ଜଣେ ଅବସର ପ୍ରାପ୍ତ ଶିକ୍ଷକ ।ତାଙ୍କର ୨ପୁଅ ଓ ୨ ଝିଅ ଅଛନ୍ତି।ଘରେ ରାତ୍ରି ଭୋଜନ ଖାଇ ସମସ୍ତେ ଶୋଇବା ପରେ ରୀନା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘରେ ନିଆଁ ଲାଗିଥିବା ଜାଣି ପାଖ ପଡୋଶୀ ଏବଂ ସାହି ବାସିନ୍ଦା ପାଟି କରିଥିଲେ। ପାଟି ଶୁଣି ଘର ଲୋକେ ଉଠି ଦେଖିଲା ବେଳେ ତାଙ୍କ ଶରୀର ର ଅର୍ଦ୍ଧାଧିକ ପୋଡ଼ିଯାଇଥିଲା।ଏହାପରେ ନିଆଁକୁ ଆୟତ୍ତ କରି ପରିବାର ଲୋକେ ସାହି ପଡୋଶୀଙ୍କ ସହାୟତାରେ ରୀନା ଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ।ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁକ୍ରବାର ସକାଳୁ ଖବର ପାଇ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ କୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।


