କିଶାନ କାଳିଆ ମିଶ୍ରଣ ଚାଷୀଙ୍କ ପାଇଁ ବିଶ୍ୱାସଘାତକତା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : କିଶାନ କାଳିଆ ମିଶ୍ରଣ ଚାଷୀଙ୍କ ପାଇଁ ଶତାବ୍ଦୀର ସବୁଠାରୁ ବଡ଼ ବିଶ୍ୱାସଘାତକତା । ନବୀନ ପଟ୍ଟନାୟକ କାଳିଆ ଯୋଜନା ବନ୍ଦ କରିବା କୃଷକ ସମାଜ ପାଇଁ ସବୁଠାରୁ ବେଇମାନି । ଆଜି ସାମ୍ବାଦିକ ଭବନରେ ଚାଷୀଙ୍କୁ ଠକେଇ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ ଯେ, ଅଣ୍ଟିରେ ନଥାଇ ଧନ ପୁଅ ବାହା କରି ମନ ପରି ନବୀନ ପଟ୍ଟନାୟକ ନିର୍ବାଚନ ସମୟରେ ‘କାଳିଆ’ ଯୋଜନା ଘୋଷଣା କରିଦେଲେ । ସାରା ରାଜ୍ୟରେ ଚାଷୀ ପେନ୍‌ସନ ନେଇ ସରକାରଙ୍କ ଉପରେ ଆକ୍ରୋଶ ଥିଲା, ବିଜେପିର ତାକତ ବି ବଢିଥିଲା । ଭୟରେ ନବୀନ ପଟ୍ଟନାୟକ ସୁରୁଖୁରୁରେ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଦେଲେ । କାଳିଆ ଯୋଜନାର ପ୍ରଚାର ପାଇଁ ସର୍ବାଧିକ ଅର୍ଥ ଖବର କାଗଜମାନଙ୍କୁ ବିଜ୍ଞାପନ ଆକାରରେ ଦିଆଗଲା । ଚାଷୀ ଚିହ୍ନଟ ପ୍ରକ୍ରିୟା ଏକ ଦୁରୁହ ପ୍ରକ୍ରିୟା, ଭାଗଚାଷୀଙ୍କ ଭାଗ୍ୟ ନାଲି ଫିତା ତଳେ, ଗପ ସବୁ ପୁରୁଣା ହୋଇଗଲା । ହଠାତ୍ ଚାଷୀ ସଂଖ୍ୟା ୩୬ ଲକ୍ଷରୁ ୭୫ ଲକ୍ଷ ବୋଲି ଘୋଷଣା କରିଦେଲେ । କେବଳ ସେତିକି ନୁହେଁ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଯୋଜନା କରି ନବୀନ ବାବୁ କହିଲେ ଯେ ମୁଁ ବଞ୍ôଚଥିବା ପର୍ଯ୍ୟନ୍ତ ‘କାଳିଆ’କୁ କେହି ଅଟକାଇ ପାରିବେ ନାହିଁ । ୨ଟି ନିର୍ଭର ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ ନିର୍ବାଚିତ ହେବାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ଚାଷୀଙ୍କ ଜନଧନ ଆକାଉଣ୍ଟକୁ ୧୦ ହଜାର ଲେଖାଏଁ ଟଙ୍କା ଚାଲିଯିବ । ଦ୍ୱିତୀୟରେ କହିଲେ ଜଣେ ବି ଯୋଗ୍ୟ ଚାଷୀ କିଭଳି କାଳିଆ ଯୋଜନାରୁ ବଞ୍ôଚତ ନହେବେ, ସେ ଦାୟିତ୍ୱ ମୋର । ନିର୍ବାଚନ ବେଳେ ମରଦ ପଣିଆ ଦେଖାଇ ବୀରଦର୍ପରେ ନବୀନ ବାବୁ ଯେଉଁ ତିନୋଟି ପ୍ରତିଶ୍ରୁତି ଦେଇଥିଲେ ତାହା ବୁଢା ବାଘର ସୁନା କଙ୍କଣ ଦେଖାଇ ଶିକାରକୁ ଆକୃଷ୍ଣ କରିବା ଅବସ୍ଥା ପରି । କାଳିଆ ଯୋଜନା ପୃଥିବୀର ସବୁଠୁ ବଡ଼ ଯୋଜନା । ଯୋଜନାର ସ୍ୱଚ୍ଛତା ପାଇଁ ୫୦ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଯେଉଁ ତୁମ୍ବିତୋଫାନ ଚଳାଇଥିଲେ ସେହି ନିଆଁରେ ଏବେ ବରଫ ପଡ଼ିବା ପରିସ୍ଥିତି ହୋଇଛି । ବିଜେପିର କିଶାନ ଯୋଜନାଠାରୁ କାଳିଆ ଯୋଜନା ଢେର ଭଲ । କାରଣ ଏଥିରେ ଭୂମିହୀନ, କ୍ଷୁଦ୍ରଚାଷୀ, ନାମାମାତ୍ର ଚାଷୀ ସମସ୍ତେ ଅନ୍ତର୍ଭୁକ୍ତ । ଏତେ ବଛାବଛି, କଟାକଟି ସବୁ ନିର୍ବାଚନ ବୈତରଣୀ ପାର୍ ପାଇଁ ଉଦ୍ଦିଷ୍ଟ ଥିବା ଏବେ ଧରାପଡ଼ିଛି ବୋଲି ଅକ୍ଷୟ କୁମାର କହିଛନ୍ତି । ନାମମାତ୍ର ଚାଷୀ, ଭୂମିହୀନ, କ୍ଷୁଦ୍ର ଚାଷୀଙ୍କ ପାଇଁ ଅଭିପ୍ରେତ ଏହି ଯୋଜନାର ହିତଧିକାରୀ ତାଲିକା ଯେତେବେଳେ ଘୋଷଣା କଲେ, ସେତେବେଳେ ହଲ୍‌ମାର୍କ ମାଲିକ ନିରଞ୍ଜନ ପୂଜାରୀ, ପ୍ରଦୀପ ମହାରଥୀଙ୍କ ସମ୍ପର୍କିୟମାନେ ସେଥିରେ ଆସିଗଲେ । ଜାଲିଆତି ତ ଯାହା ହେଲା ହେଲା, ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ଯେଉଁ କନ୍ଦାବାଟ କରୁଥିଲେ ତାହା ଏକ ତୁଚ୍ଛା ନାଟକ ଥିଲା ବୋଲି ଧରାପଡିଛି । କାରଣ ବିନା ଦ୍ୱିଧାରେ ପ୍ରତି ଚାଷୀଙ୍କର ୬ ହଜାର ଟଙ୍କା କାଟିବାକୁ ରାଜି ହୋଇଛନ୍ତି । କିଶାନ ଯୋଜନାରେ କାଳିଆ ଯୋଜନା ମିଶ୍ରଣକୁ ବିରୋଧ କରି ସଂଗଠନ ଉପଦେଷ୍ଟା ରବି ଦାସ କହିଥିଲେ ଯେ, ନବୀନଙ୍କ ଚାଷୀଦ୍ରୋହୀ ଚେହେରା ଏବେ ପଦାରେ ପଡ଼ିଛି । ସେ ୭୦ ଭାଗ ଚାଷୀଙ୍କୁ ଠକେଇ କରିଛି । ନବୀନ ପଟ୍ଟନାୟକ ସର୍ବସାଧାରଣରେ ୭୦ ଭାଗ ଚାଷୀଙ୍କୁ ଠକେଇ କରିଥିବାରୁ ତାଙ୍କ ବିରୋଧରେ ଆଇପିସି ଧାରା ୪୧୫ ଏବଂ ୪୨୦ ଲାଗୁ ହୋଇପାରିବ ଓ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଲେ ଏଥିପାଇଁ ନବୀନ ପଟ୍ଟନାୟକଙ୍କ ୭ ବର୍ଷ ଜେଲ୍ ଯିବେ ବୋଲି ଶ୍ରୀ କୁମାର କହିଥିଲେ । ନବୀନଙ୍କ ବିରୁଦ୍ଧରେ ସାରା ରାଜ୍ୟରେ ଆସନ୍ତା ୧୬ ତାରିଖରେ ଗଣ ଏତଲା ଦିଆଯିବା ସହ ନ୍ୟାୟାଳୟରେ ମକଦ୍ଦମା କରାଯିବ ବୋଲି କହିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ କାଳିଆ ଯୋଜନାରୁ ବାଦ୍ ପଡ଼ିଥିବା ଚାଷୀଙ୍କ ପାଇଁ ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ରୁ ଯେଉଁ ଲଢେଇ ଅଭିଯାନ ଆରମ୍ଭ ହୋଇଥିଲା ତାହା ସାରା ରାଜ୍ୟକୁ ବ୍ୟାପିବ । ନବୀନ ଏଥର କଦାପି ଚାଷୀଙ୍କ ଅଦାଲତରୁ ଖସିପାରିବେ ନାହିଁ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ରାୟ, ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାଶ, ଯୁବଛାତ୍ର ସଂଗଠକ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ସଗଠନ ପକ୍ଷରୁ ଏ ନେଇ ଜନସ୍ୱାର୍ଥ ମାମଲା ଦାୟର କରାଯିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ