କିଶୋର କିଶୋରୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ହିଞ୍ଜିଳିକାଟୁ ପୈାରାଞ୍ଚଳ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ କିଶୋର, କିଶୋରୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୈାର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପଦ୍ମିନୀ ସାହୁ, ସଂଯୋଜକ ଦେବଦତ୍ତ ମହନ୍ତ, ଏକକ କେନ୍ଦ୍ର ପ୍ରଶାସନିକ ଅଧିକାରୀ ମହେଶ୍ବତା ପାଢି, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟକାନ୍ତି ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଶିଶୁକନ୍ୟା ବଞ୍ଚିରହିବା ଏବଂ ସେମାନଙ୍କର ବିକାଶ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରିବା ସହ କନ୍ୟା ସନ୍ତାନଙ୍କର ସମ୍ମାନ ବଜାୟ ରହିବା ଉପରେ ବକ୍ତା ମାନେ ଗୁରୁତ୍ୱ ଦେଇଥିଲେ l ବିଦ୍ୟାଳୟର ଛାତ୍ରୀ, ଛାତ୍ର ମାନଙ୍କ ମଧ୍ୟରେ ସମାଜରେ ଦେଖାଦେଉଥିବା ଲିଙ୍ଗ ଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି, ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, କନ୍ୟା ସନ୍ତାନ ମାନଙ୍କ ବିଦ୍ୟାଳୟ ରେ ଉପସ୍ଥାନ ବଢାଇବା ଉପରେ ମଞ୍ଚାସିନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉପସ୍ଥିତ କିଶୋର, କିଶୋରୀ ମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ସମେତ ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।