କୁଇ ଭାଷା ସାହିତ୍ୟ ରାଜ୍ୟସ୍ତରୀୟ ସମ୍ମିଳନୀ ଓ ସାହିତ୍ୟ ସଂସ୍କୃତି ସଂରକ୍ଷଣ ଦାବି

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ଉପଲକ୍ଷେ କୁଇ ଭାଷା ସାହିତ୍ୟ କର୍ମଶାଳା ଓ କୁଇ କବିତା ପାଠୋତ୍ସବ ଏବଂ ଆଲୋଚନା ଚକ୍ର ଆଇ ଟି ଡି ଏ , ଫୁଲବାଣୀ ସଭାଗୃହଠାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ କୁଇ ଭାଷାର ପ୍ରଚାର ପ୍ରସାର ସମ୍ବନ୍ଧରେ ଆଲୋଚନାଚକ୍ର ଜିଲ୍ଲା ଶିକ୍ଷା ଅଧିକାରୀ, କନ୍ଧମାଳ, ଶ୍ରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । କୁଇ କବି ନରତ୍ତୋମ ପ୍ରଧାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ଗବେଷକ ଡଃ ପରମାନନ୍ଦ ପଟେଲ୍ , ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରି କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଛେଦରେ ସ୍ଥାନୀତ କରିବା ପାଇଁ ବିଭିନ୍ନ ସରକାରୀ ବିଧି ବିଧାନ ଏବଂ କୁଇ ସାହିତ୍ୟର ରୂପରେଖ ଉପରେ ଆଲୋଚନା କରିଥିଲେ। ଆବାହକ ନରେଶ ଚନ୍ଦ୍ର ଶବର, ପ୍ରକଳ୍ପ ପ୍ରଶାସକ, ଆଇ ଟି ଡି ଏ ,ଫୁଲବାଣୀ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡା. ନୀରଦ ଚନ୍ଦ୍ର କହଁର କୁଇ ଭାଷାର ପ୍ରଚାର ଓ ପ୍ରସାର ବେସରକାରୀ ତଥା ସରକାରୀ ସ୍ତରରେ ଉଦ୍ୟମ ହେବା ପାଇଁ ଧ୍ୟାନ ଆକର୍ଷଣ କରିଥିଲେ। ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଭାକର ପ୍ରଧାନ କୁଇ ଭାଷା ଅନ୍ୟମାନଙ୍କ ଦ୍ୱାରା କେଉଁ ଭଳି ପ୍ରଭାବିତ ହେଲା ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଶ୍ରୀ ଭାସ୍କର ପ୍ରଧାନ କୁଇ ମନ୍ତ୍ର, କୁଇ ବିଧି ବିଧାନ ଗୁଡ଼ିକ ପୁସ୍ତକ ଆକାରରେ ସଂରକ୍ଷଣ କରିବା ପାଇଁ ମତ ରଖିଥିଲେ। ଶ୍ରୀ ଲମ୍ବୋଦର କହଁର କୁଇ ଭାଷାରେ କଥା ବାର୍ତ୍ତା ହେବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ। ଶ୍ରୀ ସଦାଶିବ ପାତ୍ର ଧନ୍ୟବାଦ ଅର୍ପଣ କରିବା ବେଳେ କୁଇ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ସମସ୍ତଙ୍କର ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ।ଦ୍ଵିତୀୟ ଅଧିବେଶନ କୁଇ କବିତା ପାଠୋତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅପରାହ୍ନ ୩ଘଣ୍ଟା ସମୟରେ ଦୀନବନ୍ଧୁ କହଁରଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା ଏବଂ ସଂଧ୍ୟା ୬ଘଣ୍ଟାରେ ସମାପ୍ତ ହୋଇଥିଲା। ଏଠାରେ ଅବସର ପ୍ରାପ୍ତ ଅତିରିକ୍ତ କମିଶନର ଶ୍ରୀ କୁମୁଦ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ସଡ଼ଙ୍ଗୀ, ଡାକ୍ତର ନୀରଦ ଚନ୍ଦ୍ର କହଁର, ଶ୍ରୀ ଲମ୍ବୋଦର କହଁର, ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ଶ୍ରୀ ସଦାଶିବ ପାତ୍ର ମଞ୍ଚାସୀନ ଥିଲେ। ୩୦ ଜଣରୁ ଉର୍ଦ୍ଧ୍ବ କୁଇ କବି ବିଭିନ୍ନ ସ୍ଵାଦର କବିତା ଆବୃତ୍ତି କରିଥିଲେ। ଖଞ୍ଜଣୀ ବାଦ୍ୟର ତାଳେ ତାଳେ ଭାବଗର୍ଭକ ନବରସର କୁଇ କବିତା ସମସ୍ତ ଶ୍ରୋତାଙ୍କୁ ବିମୋହିତ କରି ବାନ୍ଧି ରଖିଥିଲା । କୁଇ କବି ସୁଦର୍ଶନ କହଁର, ବଳି କହଁର, ଭ୍ରୁଙ୍ଗରାଜ କହଁର, ଈଶ୍ୱର ମିଣ୍ୟାକା(କୋଲରାପୁଟ), ବୁଲୁ ହିକାକା(କୋରାପୁଟ),ଉଦୟନାଥ ପ୍ରଧାନ, ପ୍ରଦୀପ କହଁର, ଗଣପତି ମଲ୍ଲିକ, କରୁଣାକର ପ୍ରଧାନ, ରାମ ଚନ୍ଦ୍ର କହଁର, ବିଶ୍ରବା ପ୍ରଧାନ, ଲଙ୍କେଶ୍ଵର କହଁର, ମଙ୍ଗରାଜ କହଁର, ଶରତ ଚନ୍ଦ୍ର ମଲ୍ଲିକ, ବିଶ୍ଵମ୍ଭର ପ୍ରଧାନ, ଡରେ ମଲ୍ଲିକ, ବିପିନ୍ ମଲ୍ଲିକ, ସତ୍ୟଶ୍ଵର କହଁର, କିନ୍ଦୁ କହଁର, ଲଣ୍ଡା କହଁର, ମୋହନ ଦିଗାଲ, ନାଭିଦତ୍ୟ ଦିଗାଲ, କେମ ଦିଗାଲ ଆଦି କବିତା ପାଠ କରିଥିଲେ। ନରତ୍ତୋମ ପ୍ରଧାନ ଓ ଏସିଆ କହଁର ମଞ୍ଚ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଇଂ ଅବନୀ କୁମାର କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ