କୁଏତ ଓ ୟୁଏଇକୁ ଡାକ୍ତରୀ ଟିମ୍ ପଠାଇବ ଭାରତ
ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଅନେକ ଗଲ୍ଫ ରାଷ୍ଟ୍ର ଭାରତର ସହାୟତା ଲୋଡ଼ିଛନ୍ତି। ହାଇଡ୍ରୋକ୍ଦିକ୍ଲୋରୋକୁଇନ ସହ ଡାକ୍ତରୀ ଟିମ ପଠାଇବା ପାଇଁ ଭାରତ ସରକାରଙ୍କୁ ଏହି ଦେଶମାନେ ଅପିଲ କରିଛନ୍ତି। ଭାରତ ସରକାର ମଧ୍ୟ ଏଥିରେ ସହମତି ଜଣାଇବା ସହ କୋରୋନା ମୁକାବିଲାରେ ଏସବୁ ରାଷ୍ଟ୍ରମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। କୁଏତ ସରକାର ପ୍ରଥମେ ଭାରତ ସରକାରଙ୍କୁ ଡାକ୍ତରୀ ଟିମ୍ ପଠାଇବା ପାଇଁ ଅନୁରୋଧ କରିଥିଲେ। ତେଣୁ ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଏକ ୧୫ ଜଣିଆ ଟିମ୍ କୁଏତ ପଠାଇଥିଲେ। ଯେଉଁମାନେ ସେଠାରେ ସେବା ଯୋଗାଇବା ପରେ ଭାରତ ଫେରିଛନ୍ତି। ଏହାପରେ କୁଏତ ଆଉ ଗୋଟିଏ ଡାକ୍ତରୀ ଟିମ ପଠାଇବା ପାଇଁ ମଧ୍ୟ ଅନୁରୋଧ କରିଛି।
ତେଣୁ ଭାରତ ସରକାର ଅବସରପ୍ରାପ୍ତ ମିଲିଟାରୀ ଡାକ୍ତର, ନର୍ସ ଓ ଅନ୍ୟ ପାରା ମେଡିକାଲ୍ ଷ୍ଟାଫଙ୍କୁ ଗଲ୍ଫ ରାଷ୍ଟ୍ର ଗସ୍ତ କରି ସେବା ଯୋଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ କେତେକ ଅବସରପ୍ରାପ୍ତ ଡାକ୍ତର ସହମତି ପ୍ରକାଶ କରିବା ପରେ କେନ୍ଦ୍ର ପୁଣି ଏକ ଟିମ ପଠାଇବା ପାଇଁ ଯୋଜନା ଚୂଡ଼ାନ୍ତ କରୁଥିବା ମଧ୍ୟ ସୂଚନା ମିଳିଛି। କେବଳ କୁଏତ ନୁହେଁ ଏଥର ୟୁଏଇକୁ ମଧ୍ୟ ଭାରତ ସରକାର ମେଡିକାଲ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତାଲିକାରେ କୋମୋରୋଜ ଓ ମରିସସ୍ ପରି ରାଷ୍ଟ୍ର ମଧ୍ୟ ରହିଛନ୍ତି।