କୁକୁଡା କମ୍ପାନୀ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଗଞ୍ଜାମ କୁକୁଡା ଚାଷୀ ସଂଘ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରୋଏଲର କୁକୁଡା ଚାଷୀଙ୍କ ପ୍ରତି ହେଉଥିବା ଶୋଷଣର ସ୍ଥାୟୀ ପ୍ରତିକାର ସମେତ ୧୧ ଦଫା ଦାବି ନେଇ ସୋମବାର ଗଞ୍ଜାମ ଜିଲ୍ଲା କୁକୁଡା ଚାଷୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସଙ୍କୁ ଏକ ଲିଖିତ ଦାବି ପତ୍ର ପ୍‌ଦାନ କରିଛନ୍ତି । ରାଜ୍ୟରେ ଥିବା ବିଭିନ୍ନ କମ୍ପାନୀ ମାନେ କୁକୁଡା ଚାଷୀ ମାନଙ୍କୁ ନିମ୍ନ ମାନର ଚିଆଁ, କାଠଗୁଣ୍ଡ ମିଶା ଦାନା ଦେଉଥିବାରୁ ଚାଷୀ ମାନେ ବହୁ କ୍ଷତି ସହୁଛନ୍ତି । ଏପରିକି, କୁକୁଡା ଚିଆଁ ଯୋଗାଇ ଦେଇ କୁକୁଡା ନେଉ ନଥିବା ବେଳେ ଚାଷୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି । କୁକୁଡା ଚାଷୀ ମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଛନ୍ତି । ଯାହା ଫଳରେ ଗଞ୍ଜାମ ଜିଲ୍ଲାର ୧୨୦୦ ରୁ ଉର୍ଦ୍ଧ୍ୱ କୁକୁଡା ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି ଶହ ଶହ କୁକୁଡା ଚାଷୀ ମାନେ ବିଭିନ୍ନ କୁକୁଡା କମ୍ପାନୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏନେଇ ସେମାନେ ଗତ କିଛି ଦିନ ତଳେ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ମଧ୍ୟ ଏହାର ସମାଧାନ ନ ହେବାରୁ ପୁଣି ସେମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏହା ସହ ସରକାର ସେମାନଙ୍କ ଦାବି ଗୁଡିକ ଯଥା ଶୀଘ୍ର ପୂରଣ ନ କଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବା ସହ ଭାଗଚାଷୀ କରୁଥିବା କମ୍ପାନୀ ମାନଙ୍କ କୁକୁଡା ସ୍ଥାନାନ୍ତରିତ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛନ୍ତି । ସେମାନଙ୍କ ଦାବି ଗୁଡିକ ହେଲା ସରକାର ଭାଗ ଚାଷୀ କରାଉଥିବା କମ୍ପାନୀ ଗୁଡିକ ବୃଦ୍ଧି ଦେୟ କି.ଗ୍ରା ପ୍ରତି ୧୬ ଟଙ୍କା ଧାର୍ଯ୍ୟ କରନ୍ତୁ । ଉତ୍ତମ ମାନର ଦାନା ଚିଆଁ କୁକୁଡା ଚାଷୀଙ୍କୁ କମ୍ପାନୀ ମାନେ ଯୋଗାଇ ଦେବାକୁ ସରକାର ପଦକ୍ଷେପ ନିଅନ୍ତୁ, ସର୍ବନିମ୍ନ ସମର୍ଥନ ମୁଲ୍ୟ କୁକୁଡା ମାଂସ ପ୍ରତି ୯ ଟଙ୍କା କରନ୍ତୁ, ଆଡମିନ ଚାର୍ଜ କମ୍ପାନୀ ଠାରୁ ପ୍ରତ୍ୟାହାର କରିନିଅନ୍ତୁୁ, ଭାଗଚାଷ କରାଉଥିବା କମ୍ପାନୀ ମାନେ ଦାନା ଚିଆଁ ସହିତ ମାଗଣା ଚଷୁ ବା କରତ ଗୁଣ୍ଡି , ବିଦ୍ୟୁତ ଶୁକ୍ଲ ପ୍ରଦାନ କରନ୍ତୁ । ଜିଲ୍ଲା ବା ଜିଲ୍ଲା ବାହାରୁ ଆସୁଥିବା ଚଷୁ ଓ କରତ ଗୁଣ୍ଡି, ଦଲାଲ ରାଇସ୍ ମିଲ ଏବଂ ଉଡ ମିଲ୍ ମାଲିକ ମାନେ କରୁଥିବା ଶୋଷଣକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉ, ଭାଗଚାଷୀ କରାଉଥିବା କମ୍ପାନୀ ମାନେ କୁକୁଡା ଚାଷୀର ସେଡ ର ବର୍ଗ ଫୁଟ ହିସାବରେ ଘରଭଡା ଦିଅନ୍ତୁ, ଭାଗଚାଷୀ କରାଉଥିବା କମ୍ପାନୀ ମାନେ ଠିକ ସମୟରେ ଯୋଗାଣ ଓ ଠିକ ସମୟ ସୀମା ମଧ୍ୟରେ ଉଠାଣରେ କରୁଥିବା ମନମାନୀକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ, ଭାଗଚାଷୀ କରାଉଥିବା କମ୍ପାନୀ ମାନେ ନିଜ ଇଚ୍ଛାରେ ନିର୍ଦ୍ଧାରିତ ମାଂସ ଦର ନ କରି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ଦେବାର ବ୍ୟବସ୍ଥା କରାଯାଉ, ପ୍ରତ୍ୟେକ କମ୍ପାନୀ ଗଞ୍ଜାମ ଜିଲ୍ଲା କୁକୁଡା ମାଲିକ ସଂଘର ଏନଓସି ଦେଇ ସମସ୍ତ କୁକୁଡା ଚାଷୀଙ୍କୁ ଦାନା, ଚିଆଁ ପ୍ରଦାନ କରନ୍ତୁ । ଗଞ୍ଜାମ ଜିଲ୍ଲା କୁକୁଡା ଚାଷୀ ସଂଘର ଅନୁମତିରେ ବିଭିନ୍ନ କମ୍ପାନୀ ମାନେ ସମସ୍ତ କୁକୁଡା ଚାଷୀଙ୍କୁ ପଞ୍ଜୀକୃତ କରିବେ ନଚେତ୍ ଏହା ବିରୁଦ୍ଧରେ ସଂଘ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏଥିପାଇଁ ସଂଘ ଉତ୍ତରଦାୟୀ ରହିବ ନାହିଁ , ଦୈବୀ ଦୁର୍ବିପାକ ଯଥା ବନ୍ୟା, ବାତ୍ୟା, ବିଜୁଳି, ଘଡଘଡି, ସଂକ୍ରମଣ ରୋଗ ଇତ୍ୟାଦି ରେ ହେଉଥିବା କ୍ଷୟକ୍ଷତି ପାଇଁ କୁକୁଡା ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ଏବଂ ଚାଷୀ ଏବଂ ଚାଷୀର ଫାର୍ମକୁ ବୀମା ଅନ୍ତର୍ଭୁକ୍ତ କରାଯାଉ ବୋଲି ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ କୁକୁଡା ଚାଷୀ ସଂଘର ଜିଲ୍ଲା ଉପସଭାପତି ବିଜୟ ଚନ୍ଦ୍ର ଗୌଡ, ସୁଶାନ୍ତ କୁମାର ମଣ୍ଡଳ, ସନ୍ତୋଷ ସ୍ୱାଇଁ, ନାରାୟଣ ବେହେରା, ବାବୁଲି ନାହାକ, ବିଚିତ୍ରାନନ୍ଦ ସ୍ୱାଇଁ, ସୁଶାନ୍ତ ନାହାକ, ଅଙ୍କୁର କୁମାର ସାହୁଙ୍କ ସମେତ ଶତାଧିକ କୁକୁଡା ଚାଷୀ ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ