କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଚାଷୀ ମାନଙ୍କ ନିମନ୍ତେ ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପିତ ହୋଇଯାଇଛି । ଗତ ୧୦ ଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୂଆଗଡ ଏବଂ ମୋହନା ବ୍ଲକରୁ ୧୮ଜଣ ପୁରୁଷ ଚାଷୀ ମାନେ ଯୋଗଦେଇ ତାଲିମ ନେଇଥିଲେ । ଅନୁଷ୍ଠିତ ଉଦ୍ଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବାବେଳେ ଫୁଲବାଣୀ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ଡିଜିଏମ୍ ବିକ୍ରମ କେଶରୀ ମାନଧାମ୍ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ଶ୍ରୀନିବାସ ସାହୁ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ପ୍ରବନ୍ଧକ କେ.ସି. ନାୟକ, ଫୁଲବାଣୀ ଆଞ୍ଚଳିକ ଏସ୍.ବି.ଆଇ.ର ମୁଖ୍ୟ ପ୍ରବନ୍ଧକ ବିଷ୍ଣୁ ସାହାଣୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମ ନେଇଥିବା ଚାଷୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଆତ୍ମ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।


